ଜଗତସିଂହପୁର: ସ୍କୁଲର ମଧ୍ୟାହ୍ନ ଚାଉଳ ହେରଫେର ଅଭିଯୋଗ । ହେରଫେର ମାମଲାରେ ଦୁଇ ଶିକ୍ଷକ ସାମିଲ ଥିବା ଅଭିଯୋଗ । ଏପରି ଘଟଣା ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଅନ୍ତର୍ଗତ ବିବି ହାଇସ୍କୁଲରରୁ ସାମ୍ନାକୁ ଆସିଛି । ମଧ୍ୟାହ୍ନ ଚାଉଳ ହଡ଼ପ ଘଟଣା ପଦାକୁ ଆସିବା ପରେ ପ୍ରଶାସନ ପକ୍ଷରୁ ତଦନ୍ତ ନିର୍ଦ୍ଦେଶ ଦିଆ ଯାଇଛି । ଦୁଇଜଣ ଶିକ୍ଷକଙ୍କୁ ମଧ୍ୟ କୁଜଙ୍ଗ ପୋଲିସ ଅଟକ ରଖିଥିବା ଖବର ମିଳିଛି ।
ସୂଚନାନୁଯାୟୀ, ଗତକାଲି ରାତିରେ କୁଜଙ୍ଗରେ ଥିବା ବିବି ହାଇସ୍କୁଲର ମଧ୍ୟାହ୍ନ ଭୋଜନ ଚାଉଳ ହେରଫେର କରାଯାଇଥିବା ଅଭିଯୋଗ ହୋଇଥିଲା । ମଧ୍ୟାହ୍ନ ଭୋଜନ ଚାଉଳ ଦାୟୀତ୍ୱରେ ଥିବା ପ୍ରଧାନ ଶିକ୍ଷକ ରବୀନ୍ଦ୍ର କୁମାର ନନ୍ଦଙ୍କ ଉପସ୍ଥିତରେ ଏହି କାର୍ଯ୍ୟ କରାଯାଉଥିଲା। ଏକ ପିକପ ଭ୍ୟାନରେ ବସ୍ତା ବସ୍ତା ଚାଉଳ ଲୋଡ଼ କରାଯାଉଥିବା ବେଳେ କେତେକ ଶିକ୍ଷକ ଏହାକୁ ଦେଖିଥିଲେ । ଫଳରେ ଏ ସମ୍ପର୍କରେ ସେହି ବିଦ୍ୟାଳୟର ସହକାରୀ ଶିକ୍ଷକ ଓ ଗ୍ରାମବାସୀ ସେଠାରେ ପହଞ୍ଚିଛି ଚାଉଳ କୁଆଡେ ଯାଉଛି ବୋଲି ପ୍ରଧାନ ଶିକ୍ଷକଙ୍କୁ ପଚାରିଥିଲେ।
ତେବେ ଏଥିରେ ପ୍ରଧାନ ଶିକ୍ଷକ କୌଣସି ସନ୍ତୋଷଜନକ ଉତ୍ତର ଦେଇ ପାରି ନଥିଲେ । ଯାହାକୁ ନେଇ ଗ୍ରାମବାସୀମାନେ ପ୍ରଧାନ ଶିକ୍ଷକଙ୍କୁ ଘେରିବା ସହିତ ଗାଡିଟିକୁ ଅଟକ ରଖିଥିଲେ । ରୀତିମତ ଭାବରେ ସ୍କୁଲ୍ରୁ ଚାଉଳ ଚୋରି ହେଉଥିବା ଗ୍ରାମବାସୀମାନେ ଅଭିଯୋଗ କରି ଆସୁଥିଲେ । ଏହି ଘଟଣା ଜଣାପଡିବା ପରେ ସହକାରୀ ପ୍ରଧାନ ଶିକ୍ଷୟିତ୍ରୀ ଗୀତାଞ୍ଜଳି ସେନାପତି ଏ ସମ୍ପର୍କରେ କୁଜଙ୍ଗ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଏ ସମ୍ପର୍କରେ ଥାନାରେ ଅଭିଯୋଗ ହେବାପରେ ପୋଲିସ ଦୁଇଜଣ ଶିକ୍ଷକଙ୍କୁ ଥାନାକୁ ଆଣି ପଚରାଉଚରା କରିଛି ।