ଓଡିଶା

odisha

ଖୋଲାଆକାଶ ତଳେ ଚାଷୀର ବର୍ଷକର ପରିଶ୍ରମ, ଧାନବିକ୍ରିରୁ ବଞ୍ଚିତ 11 ହଜାର ଚାଷୀ

By

Published : Mar 24, 2021, 10:12 PM IST

ଜଗତସିଂହପୁର ଜିଲ୍ଲାରେ ଧାନକିଣାରେ ବ୍ୟାପକ ଅବବ୍ୟସ୍ଥା ଦେଖିବାକୁ ମିଳିଛି । ପ୍ରକୃତ ଚାଷୀ ଧାନ କିଣିବା ବଦଳରେ ବେପାରୀ ବିକୁଛନ୍ତି ଧାନ । ଅଧିକ ପଢନ୍ତୁ...

ଧାନମଣ୍ଡିରେ ଅବବ୍ୟସ୍ଥା
ଧାନମଣ୍ଡିରେ ଅବବ୍ୟସ୍ଥା

ଜଗତସିଂହପୁର:ଜିଲ୍ଲାରେ ମଣ୍ଡିରେ ଦେଖିଦେଇଛି ବ୍ୟାପକ ଅନିୟମିତତା । ଚାଷୀଙ୍କ ନାମରେ ନକଲି ଚାଷୀ, ମଣ୍ଡିରେ ଧାନ ଦେଇ ମାଲାମାଲ ହେଉଥିବା ବେଳେ ପ୍ରକୃତ ଚାଷୀ ଧାନ ଦେଇ ନ ପାରି ହତାଶ ହୋଇଛି । ଧାନ ବିକ୍ରି ପାଇଁ ଚାଷୀଙ୍କ ନାମ ପଞ୍ଜୀକରଣରେ ମଧ୍ୟ ମନମୁଖୀ କାର୍ଯ୍ୟ ହୋଇଥିବା ଅଭିଯୋଗ ହୋଇଛି । ଫଳରେ ମଣ୍ଡିରେ ପଡି ରହିଛି ବସ୍ତାବସ୍ତା ଧାନ ।

ଖୋଲାଆକାଶ ତଳେ ଚାଷୀର ବର୍ଷକର ପରିଶ୍ରମ, ଧାନବିକ୍ରିରୁ ବଞ୍ଚିତ 11 ହଜାର ଚାଷୀ

ଜିଲ୍ଲାରେ ଗତ ଜାନୁୟାରୀ ମାସର ପ୍ରଥମ ସପ୍ତାହରେ 105 ଟି ମଣ୍ଡି କାର୍ଯ୍ୟକ୍ଷମ ହୋଇଥିଲା। ସେଥି ମଧ୍ୟରୁ ବାଲିକୁଦାରେ ସର୍ବାଧିକ 21ଟି ମଣ୍ଡି ଖୋଲିଥିବା ବେଳେ ବିରିଡିରେ 6, ଏରସମାରେ 16, କୁଜଙ୍ଗରେ 16, ଜଗତସିଂହପୁରରେ 16, ନାଉଗାଁରେ 6, ରଘୁନାଥପୁରରେ 9ଟି ଓ ତିିର୍ତ୍ତୋଳରେ 15 ଟି ମଣ୍ଡି ଖୋଲାଯାଇ ଧାନ ସଂଗ୍ରହର ପାଇଁ ବ୍ୟବସ୍ଥା କରାଯାଇଛି । ଜିଲ୍ଲାରେ ମୋଟ 39 ହଜାର 96 ଜଣ ଚାଷୀ ଅନଲାଇନରେ ନାମ ପଞ୍ଜିକରଣ କରିଛନ୍ତି । ହେଲେ ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ 27 ହଜାର 9ଶହ 91 ଜଣଚାଷୀଙ୍କ ଠାରୁ ଧାନ କିଣାଯାଇଛି। ବର୍ତ୍ତମାନ ସୁଦ୍ଧା 11 ହଜାର, 105 ଜଣ ଚାଷୀଙ୍କ ଧାନ ବିକ୍ରି ନ ହୋଇ ମଣ୍ଡିରେ ପଡି ରହିଛି । ଏପରିକି ଅନେକ ଚାଷୀଙ୍କ ଟୋକାନର ଅବଧି ମଧ୍ୟ ସାରିଗଲାଣି । ଯାହାକୁ ନେଇ ସମସ୍ୟା ଦେଖା ଦେଇଛି । ଚାଷୀମାନେ ମଣ୍ଡିରେ ନିଜ କଷ୍ଟର୍ଜିତ ଧାନକୁ ଜଗି ରହିଛନ୍ତି ।


ଜିଲ୍ଲା ଯୋଗାଣ ବିଭାଗ ପକ୍ଷରୁ ଆରଏମସି ଜରିଆରେ 13 ଲକ୍ଷ କ୍ବିଣ୍ଟାଲ ଧାନ ସଂଗ୍ରହ ପାଇଁ ଲକ୍ଷ ଧାର୍ଯ୍ୟ କରାଯାଇ ଥିଲା କିନ୍ତୁ ବର୍ତ୍ତମାନ ସୁଦ୍ଧା ପ୍ରଶାସନ 11 ହଜାର କୁଇଣ୍ଟାଲ ଧାନ ସଂଗ୍ରହ ସରିଛି । ବର୍ତ୍ତମାନ ସୁଦ୍ଧା ମଣ୍ଡିରେ 2 ଲକ୍ଷ କ୍ବିଣ୍ଟାଲ ପଞ୍ଜିକରଣ ଧାନ ସହ ବଳକା ଧାନ ମଧ୍ୟ ପଡି ରହିଛି । ଧାନ ମଣ୍ଡିରେ ବିକ୍ରି ହେଉ ନଥିବାରୁ ଚାଷୀ ବାଧ୍ୟ ହୋଇ କମ ଦାମରେ ଧାନକୁ ଦଲାଲକୁ ବିକ୍ରି କରି ଦେଉଛି ।

ଏହାକୁ ନେଇ ଜିଲ୍ଲାରେ ଧାନର ଅଭାବି ବିକ୍ରି ହେଉଥିବା ଅଭିଯୋଗ ହେଉଛି । ଫଳରେ ଚାଷୀ ତାର ପ୍ରକୃତ ମୂଲ୍ୟ ପାଇପାରୁ ନାହିଁ। ଏହାକୁ ନେଇ ବିଭିନ୍ନ ସ୍ଥାନରେ ଆନ୍ଦୋଳନ ମୁଣ୍ଡ ଟେକୁଛି । ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଏହାକୁ ବିରୋଧ କରାଯିବା ସହ ସରକାର ଓ ଜିଲ୍ଲା ପ୍ରଶାସନ ଏହାର ପ୍ରତିକାର ନ କଲେ ଆଗାମୀ ଦିନରେ ଜିଲ୍ଲାବ୍ୟାପି ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି ଚାଷୀ । ସେପଟେ ସମସ୍ୟାର ଯାଞ୍ଚ କରାଯାଇ ତୁରନ୍ତ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଜିଲ୍ଲା ଯୋଗାଣ ଅଧିକାରୀ ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details