ଜଗତସିଂହପୁର:ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା' ଶାରଳାଙ୍କ ମନ୍ଦିର ହୁଣ୍ଡିରୁ ଲୁଟ୍ ଘଟଣାର ପର୍ଦ୍ଦାଫାସ । ପୋଲିସ ହାତରେ ଧରା ପଡ଼ିଲା ଅଭିଯୁକ୍ତ ଚୋର । ଅଭିଯୁକ୍ତକୁ ଗିରଫ କରାଯାଇଥିବା ବେଳେ ସନ୍ଧ୍ୟାରେ କୋର୍ଟ ଚାଲାଣ କରାଯିବ । ଏଥି ସହିତ ଅଭିଯୁକ୍ତ ନିକଟରୁ ନଗଦ ୧,୮୫,୧୯୬ ଟଙ୍କା, ଦୁଇଟି ମୋବାଇଲ ଓ ମା' ଶାରଳାଙ୍କ ଏକ ଶାଢ଼ୀ ଜବତ କରାଯାଇଛି । ଅଭିଯୁକ୍ତ ଜଣଙ୍କ କେନ୍ଦୁଝର ସଦର ଥାନା ଅନ୍ତର୍ଗତ କେରୀ ଗାଁର ଋଷି ମହାନ୍ତ ବୋଲି ଜଣାପଡ଼ିଛି ।
ସୂଚନା ମୁତାବକ, ଅଭିଯୁକ୍ତ ଋଷି ମହାନ୍ତ ଗତ ୧୧ ତାରିଖରୁ ଜଗତସିଂହପୁର ଆସି ମା' ଶାରଳାଙ୍କ ମନ୍ଦିର ଯାଇ ଚୋରି ଯୋଜନା କରିଥିଲା । ଏହାସହ 13 ତାରିଖ ରାତିରେ ଇଲେକ୍ଟ୍ରି କଟର ଓ ରେଞ୍ଚି ବ୍ୟବହାର କରି ହୁଣ୍ଡି ଭାଙ୍ଗି ଟଙ୍କା ଲୁଟିନେଇ ଫେରାର ହୋଇ ଯାଇଥିଲା । ପରେ ପୋଲିସ ମୋବାଇଲ ଫୋନ ଟ୍ରାକ କରି କରଞ୍ଜିଆର ଏକ ହୋଟେଲରୁ ଅଭିଯୁକ୍ତକୁ ଗିରଫ କରିଛି । ତେବେ ପୂର୍ବରୁ ବାଟରେ ପଡିଥିବା ଟଙ୍କା ପାଇଥିବା ୩ ଜଣଙ୍କୁ ଅଟକ ରଖାଯାଇଥିବା ବେଳେ ସେମାନେ ଏଥିରେ ସମ୍ପୃକ୍ତ ନୁହନ୍ତି ବୋଲି କହିଛନ୍ତି ଅତିରିକ୍ତ ଏସପି । ଏହି ଘଟଣାରେ ଅଭିଯୁକ୍ତକୁ ଗିରଫ କରାଯିବା ପରେ ଆଜି ସନ୍ଧ୍ୟାରେ ତାକୁ କୋର୍ଟ ଚାଲାଣ କରାଯିବ ।