ଜଗତସିଂହପୁର: ଜଗତସିଂହପୁରରେ ଆରମ୍ଭ ହୋଇଛି କଳିଙ୍ଗ ବାଲିଯାତ୍ରା । ସୁନ୍ଦର ଆଲୋକ ମାଳରେ ସଜେଇ ହୋଇଛି ପାରାଦ୍ୱୀପ ସହରର ବିଜୁ ମଇଦାନ । ଏହି ବାଲିଯାତ୍ରା ଦେଖିବାକୁ ଲାଗିଛି ପ୍ରବଳ ଗହଳି । କରୋନାର ପ୍ରଭାବରେ ଗତ ଦୁଇବର୍ଷ ହେବ କଳିଙ୍ଗ ବାଲିଯାତ୍ରା ବନ୍ଦ ରହିଥିଲା । ଏପରିକି ଚଳିତ ବର୍ଷ ବିଶ୍ୱକର୍ମା ପୂଜା ମଧ୍ୟ ବନ୍ଦ ରହିଥିଲା । ଫଳରେ ପାରାଦ୍ୱୀପବାସୀ ଦୀର୍ଘ ଦିନ ହେବ ଏହି ଯାତ୍ରା ଦେଖି ପାରିନଥିଲେ । ତେବେ ଚଳିତଥର ଏହି ଯାତ୍ରା ବିନା କଟକଣାରେ ଚାଲୁଥିବାରୁ ପର୍ଯ୍ୟଟକଙ୍କ ମଧ୍ୟରେ ଖୁସି ଦେଖିବାକୁ ମିଳିଛି ।
ପାରାଦ୍ୱୀପରେ ଜମୁଛି କଳିଙ୍ଗ ବାଲିଯାତ୍ରା ଚଟପଟି ଖାଦ୍ୟ ଠାରୁ ଆରମ୍ଭ କରି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଓ ଘର କରଣା ଜିନିଷ ଆଦି କିଣୁଛନ୍ତି ଲୋକେ । ତେବେ ଏହି ଯାତ୍ରାକୁ ଦେଖିବା ପାଇଁ ଜଗତସିଂହପୁର ବ୍ୟତୀତ ପଡୋଶୀ କେନ୍ଦ୍ରାପଡା, ପୁରୀ ଆଦି ଅଞ୍ଚଳରୁ ଲକ୍ଷାଧିକ ଲୋକଙ୍କ ସମାଗମ ହେଉଛି । ଲୋକେ, ଚଟପଟି ଖାଦ୍ୟ ସାଙ୍ଗକୁ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଲୋକଙ୍କୁ ଖୁବ୍ ଆକର୍ଷଣ କରୁଛି । ସଞ୍ଜ ନହେଉଣୁ ଦର୍ଶକ ମାନେ ସନ୍ଧ୍ୟାରେ ସମୁଦ୍ର ବେଳାଭୂମିରେ ବୁଲିବା ସହ ବିଭିନ୍ନ ଷ୍ଟଲରେ ଭିଡ଼ ଲଗାଉଛନ୍ତି ।
ରାଜ୍ୟ ଓ ରାଜ୍ୟ ବାହାରୁ ବିଭିନ୍ନ କିସମର ସାଜସଜ୍ଜା, ଘର କରଣା ସାମଗ୍ରୀ ସହିତ ହସ୍ତତନ୍ତ ଲୁଗା ଓ ପୋଷାକ ଦୋକାନରେ ଭିଡ଼ ଲାଗୁଛି । ଚଳିତ ବର୍ଷ କଳିଙ୍ଗ ବାଲିଯାତ୍ରାରେ ପ୍ରାୟ 400ରୁ ଅଧିକ ଷ୍ଟଲ ଲାଗିଥିବା ବେଳେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ସ୍ବଂୟସହାୟିକା ଗୋଷ୍ଠୀଙ୍କ ଦ୍ଵାରା ପ୍ରସ୍ତୁତ ବିଭିନ୍ନ ସାମଗ୍ରୀ ଏହି ଯାତ୍ରାରେ ଉପଲବ୍ଧ ହେଉଛି । ଦୀର୍ଘ ଦୁଇ ବର୍ଷ ପରେ ଲୋକେ ବାଲିଯାତ୍ରାର ମଜା ଉଠାଉଥିବା ଦେଖିବାକୁ ମିଳିଛି। ସେହିପରି ଏହି ଯାତ୍ରାରେ ଯେପରି କୌଣସି ସମସ୍ୟା ସୃଷ୍ଟି ନହୁଏ ସେଥିପାଇଁ ବ୍ୟାପକ ପୋଲିସ ମୁତୟନ କରାଯାଇଛି । ୨୦ ଜଣ ଅଫିସରଙ୍କୁ ମଧ୍ୟ ନିୟୋଜିତ କରାଯାଇଛି ।
ସେହିପରି ଯେପରି କୌଣସି ଦୁର୍ଘଟଣା ନଘଟେ ସେଥିପାଇଁ କୌଣସି ଯାନବାହନ ଭିତରକୁ ମଧ୍ୟ ଛଡ଼ାଯାଉନି । କେବଳ ସରକାରୀ ଗାଡ଼ି ହିଁ ଭିତରକୁ ଆସିପାରୁଛି ବୋଲି କହିଛନ୍ତି ପାରାଦ୍ୱୀପ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ନିମାଇଁ ଚରଣ ସେଠୀ । ସେହିପରି ଚୋରିକୁ ଦୃଷ୍ଟିରେ ରଖି ଆଣ୍ଟି ସ୍କାଚିଙ୍ଗ ସ୍କ୍ବାର୍ଡ ଗଠନ କରାଯାଇଛି । ମୀନୀବଜାରରେ ଅଧିକ ଗହଳି ହେଉଥିବାରୁ ମହିଳା ପୋଲିସ ଅଧିକାରୀଙ୍କୁ ମଧ୍ୟ ନିୟୋଜିତ କରାଯାଇଛି । ତେବେ ଏ ପର୍ଯ୍ୟନ୍ତ କୌଣସି ଅସୁବିଧା ହୋଇନା ହିଁ। ଆଉ ଆଗକୁ ଯେପରି କୌଣସି ସମସ୍ୟା ନଉପୁଜେ ସେଥିପାଇଁ ମଧ୍ୟ କଡ଼ା ନଜର ରଖାଯାଇଛି ।
ଇଟିଭି ଭାରତ, ଜଗତସିଂହପୁର