ଜଗତସିଂହପୁର/କେନ୍ଦୁଝର: ସାରା ଦେଶର ବିଭିନ୍ନ ଓକିଲ ସଂଘର ନିର୍ଵାଚନ ଅନୁଷ୍ଠିତ ହୋଇଯାଇଛି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଗୋଟିଏ ଦିନରେ ସମସ୍ତ ଓକିଲ ସଂଘ ନିର୍ବାଚନ ଅନୁଷ୍ଠିତ ହେଉଛି । ଏହିକ୍ରମରେ ଜଗତସିଂହପୁର ଜିଲ୍ଲାର ବାର ଆସୋସିଏସନ ପକ୍ଷରୁ ଆଜି ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ବାର ଆସୋସିଏସନର ସଭାପତି ଭାବେ ଦେବେନ୍ଦ୍ର ସ୍ୱାଇଁ ନିର୍ବାଚିତ ହୋଇଥିବା ବେଳେ ସାଧାରଣ ସମ୍ପାଦକ ଭବେ ନରେଶ ଚନ୍ଦ୍ର ଦାସ ଓ କୋଷାଧ୍ୟକ୍ଷ ଭାବେ ଦୁର୍ଯ୍ୟୋଧନ ରାଉତ ବିଜୟୀ ହୋଇଛନ୍ତି । ବାର ଆସୋସିଏସନ ସଭାପତିଙ୍କ ପଦ ପାଇଁ ତ୍ରିମୁଖୀ ପ୍ରତିଦ୍ବନ୍ଦିତା ହୋଇଥିଲା । ସଭାପତି ପଦ ପାଇଁ ଆଇନଜୀବୀ ଦୀପକ ନାୟକ ଓ ସୁରେନ୍ଦ୍ର ନାଥ ମିଶ୍ର ପ୍ରତିଦ୍ବନ୍ଦିତା କରିଥିଲେ । ତେବେ 30 ଖଣ୍ଡଭୋଟ ଅଧିକ ପାଇ ଦେବେନ୍ଦ୍ର ସ୍ୱାଇଁ ବିଜୟୀ ହୋଇଥିଲେ ।
ଅନ୍ୟପଟେ କେନ୍ଦୁଝର ଜିଲ୍ଲାର ଓକିଲ ସଂଘର ମଧ୍ୟ ନିର୍ଵାଚନ ଅନୁଷ୍ଠିତ ହୋଇଥିଲା । ଗୋଟିଏ ସଭାପତି, ସମ୍ପାଦକ, ଉପସଭାପତି ସହ ଦୁଇଟି ସହ ସମ୍ପାଦକ ଓ ପାଞ୍ଚ ଜଣ କାର୍ଯ୍ୟକାରୀ ସଦସ୍ୟଙ୍କ ନିର୍ଵାଚନ ଅନୁଷ୍ଠିତ ହୋଇଥିଲା । ଆଜିର ଏହି ନିର୍ଵାଚନରେ ଆଶିଷ ଚକ୍ରବର୍ତ୍ତୀ ନିକଟତମ ପ୍ରତିଦ୍ୱନ୍ଦୀ ପ୍ରଦୀପ୍ତ ମିଶ୍ରଙ୍କୁ ୭୬ ଖଣ୍ଡ ଭୋଟ ବ୍ୟବଧାନରେ ହରାଇ ସଭାପତି ପଦ ହାତେଇଛନ୍ତି । ଆଶିଷ ଏହି ସଭାପତି ପଦ ତୃତୀୟ ଥର ପାଇଁ ହାତେଇବାରେ ସଫଳ ହୋଇଛନ୍ତି । ସେହିପରି ବହୁ ପ୍ରତୀକ୍ଷିତ ସମ୍ପାଦକ ପଦ ପାଇଁ ସଞ୍ଜିତ ଦାସ ଓ ଅକ୍ଷୟ ଜେନାଙ୍କ ମଧ୍ୟରେ କଡା ମୁକାବିଲା ହୋଇଥିବା ବେଳେ ସଞ୍ଜିତ ୨୫ ଖଣ୍ଡ ଭୋଟ ବ୍ୟବଧାନରେ ଅକ୍ଷୟଙ୍କୁ ହରାଇ ପ୍ରଥମଥର ପାଇଁ ସମ୍ପାଦକ ପଦ ହାତେଇବାରେ ସଫଳ ହୋଇଛନ୍ତି ।