ଓଡିଶା

odisha

ETV Bharat / state

ଡ୍ରେନ ପାଲଟିଛି ଜଗତସିଂହପୁରର କେନାଲ

ଜଗତସିଂହପୁରର ସହର ଦେଇ ଯାଇଥିବା ମାଛଗାଁ ଓ ତାର ଶାଖା କେନାଲଗୁଡିକ ଏବେ ଆବର୍ଜନାରେ ଭର୍ତ୍ତି । ସହରରେ ଦୁର୍ଗନ୍ଧ ସାଙ୍ଗକୁ ମଶାମାନଙ୍କ ପ୍ରାଦୁର୍ଭାବ ବଢିବାରେ ଲାଗିଥିବା ବେଳେ ସହରବାସୀଙ୍କ ମଧ୍ୟ ଦେଖାଦେଇଛି ଅସନ୍ତୋଷ ।

By

Published : Jun 21, 2019, 2:19 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ଜଗତସିଂହପୁର

ଜଗତସିଂହପୁର: କୁଢକୁଢ ଆବର୍ଜନାରେ ଭର୍ତ୍ତି ହୋଇଗଲାଣି ଜଗତସିଂହପୁରର ମାଛଗାଁ ଓ ତାର ଶାଖା କେନାଲଗୁଡିକ । ଜିଲ୍ଲାର ଜୀବନ ରେଖା ସାଜିଥିବା ଏହି କେନାଲଗୁଡିକ ଏବେ ଭୟଙ୍କର ପ୍ରଦୂଷଣ ହେବାରେ ଲାଗିଛି । କୃଷି ଓ ଜଳସେଚନ ପାଇଁ ଉଦ୍ଦିଷ୍ଚ କେନାଲଟି ଏବେ ଦୋକାନୀମାନଙ୍କ ପାଇଁ ସାଜିଛି ବର୍ଜ୍ୟବସ୍ତୁ ନିଷ୍କାସନର ବାହକ । ଆଉ ବେଆଇନ ଭାବେ 55ନଂ ଜାତୀୟ ରାଜପଥ ଖୋଳି ନିଷ୍କାସିତ ହେଉଛି ବର୍ଜ୍ୟବସ୍ତୁ ଓ ଦୂଷିତ ପାଣି । ଯାହାକୁ ନେଇ ସହରବାସୀ ଅସନ୍ତୋଷ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଜଗତସିଂହପୁର

ସହରର କଲେଜ ଛକ ନିକଟରୁ 10 ନମ୍ବର କେନାଲ ସହର ମଧ୍ୟ ଦେଇ ଯାଇଛି । କିନ୍ତୁ ଲୋକଙ୍କ ଅସଚେତନତା ଓ ପ୍ରଶାସନିକ ଅପାରଗତା କାରଣରୁ କେନାଲଗୁଡିକ ପ୍ରଦୂଷିତ ହେବାରେ ଲାଗୁଛି । ଯାହାକୁ ନେଇ ପୂର୍ବରୁ ଲୋକଙ୍କୁ ଅବଗତ କରାଯିବା ସହ ଜରିମାନା ଆଦାୟ କରାଯାଇଥିଲା । ଏଥିସହ ଫାଟିଯାଇଥିବା ପାଇପ ଲାଇନଗୁଡିକୁ ସିଲ ମଧ୍ୟ କରାଯାଇଥିଲା ।

କିନ୍ତୁ କେତେକ ଅସାଧୁ ବ୍ୟବସାୟୀ ତାଙ୍କ କାର୍ଯ୍ୟାକଳାପରୁ ବାଦ୍ ଆସୁନାହାନ୍ତି । ଫଳରେ ସହରରେ ଦୁର୍ଗନ୍ଧ ବଢିବା ସାଙ୍ଗକୁ ପରିବେଶ ଦୂଷିତ ହେବାରେ ଲାଗିଛି । ଯାହାକୁ ନେଇ ଜିଲ୍ଲାପାଳ ଓ ପ୍ରଦୂଷଣ ନିୟନ୍ତ୍ରଣ ବିଭାଗକୁ ଚିଠି କରାଯାଇଛି। ଉତ୍ତର ଆସିଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମଧ୍ୟ ନିର୍ବାହୀ ଅଧିକାରୀ କହିଛନ୍ତି ।

ସହର ଦେଇ କେନାଲଟି ଯାଇଥିବା ବେଳେ ଦୁର୍ଗନ୍ଧ ସହ ମଶାମାଛିଙ୍କ ପ୍ରାଦୁର୍ଭାବ ବଢିବାରେ ଲାଗିଛି । ଆଉ ଆଗକୁ ବର୍ଷା ଆସୁଥିବା ବେଳେ ଏହାର ସ୍ଥାୟୀ ସମାଧାନ ଆବଶ୍ୟକ ହୋଇପଡିଛି ।

ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details