ଜଗତସିଂହପୁର/ ଖୋର୍ଦ୍ଧା :ସମ୍ଭାବ୍ୟ ବାତ୍ୟାକୁ ନେଇ ଚାଷୀ ମନରେ ଏବେ ଛନକା ପଶିଛି । ଦକ୍ଷିଣ ଆଣ୍ଡାମାନ ସାଗର ନିକଟ ଓ ପାଶ୍ବବର୍ତ୍ତୀ ଅଞ୍ଚଳରେ ଆସନ୍ତା 30 ତାରିଖ ସୁଦ୍ଧା ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆସନ୍ତା 3 ତାରିଖ ସୁଦ୍ଧା ରାଜ୍ୟର ବିଭିନ୍ନ ସ୍ଥାନ ସମେତ ଜଗତସିଂହପୁର ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି ।
ଏହା ସହିତ ଘଣ୍ଟା ପ୍ରତି 60 କିଲୋମିଟର ବେଗରେ ପବନ ବହିବା ସମ୍ଭାବନା ରହିଥିବାରୁ ଜିଲ୍ଲାର ଚାଷୀମାନେ ଆତଙ୍କିତ ହୋଇ ପଡିଛନ୍ତି। ବର୍ତ୍ତମାନ ଧାନ ପାଚିବା ସମୟ ହୋଇ ଥିବା ବେଳେ କ୍ଷେତରେ ପେନ୍ଥା ପେନ୍ଥା ଧାନ ଲହଡି ମାରୁଛି । ଏହି ସମୟରେ ଯଦି ବର୍ଷା ହୁଏ । ତେବେ ଧାନ ଗୁଡିକ ପଚିଯିବା ସହ ଗଜା ହୋଇଯିବାର ସମ୍ଭାବନା ରହିଛି । ଧାର କରଜ କରି କ୍ଷେତରେ ସୁନା ଫଳାଇଥିବା ଚାଷୀଟିଏ ଏବେ ଚିନ୍ତାରେ ପଡ଼ି ଯାଇଛି । ଧାନ ଅମଳ ସମୟରେ ବର୍ଷା ସମ୍ଭାବନା ଚାଷୀଙ୍କ ଚିନ୍ତା ବଢାଇଛି ।