ଓଡିଶା

odisha

ETV Bharat / state

ଅନନ୍ୟ ଝଙ୍କଡ ପୀଠର ଚନ୍ଦନ ଉତ୍ସବ, ଅକ୍ଷୟ ତୃତୀୟାରୁ 21 ଦିନ ଧରି ଚାପ ଖେଳନ୍ତି ମା' ଶାରଳା - ଝଙ୍କଡ ପୀଠର ଚନ୍ଦନ ଉତ୍ସବ

ଅନନ୍ୟ ଅପୂର୍ବ ଝଙ୍କଡ ବାସିନୀ ମା' ଶାରଳାଙ୍କ ଚନ୍ଦନ ଯାତ୍ରା । ଅକ୍ଷୟ ତୃତୀୟାଠୁ 21 ଦିନ ବ୍ୟାପି ଝଙ୍କଡ ପୀଠରେ ଚନ୍ଦନ ଯାତ୍ରା ଅନୁଷ୍ଠିତ ହୋଇଥାଏ । ଅଧିକ ପଢନ୍ତୁ

ଶାରଳାଙ୍କ ଚନ୍ଦନ ଯାତ୍ରା
ଅନନ୍ୟ ଝଙ୍କଡ ପୀଠର ଚନ୍ଦନ ଉତ୍ସବ

By

Published : May 8, 2023, 2:53 PM IST

ଅନନ୍ୟ ଝଙ୍କଡ ପୀଠର ଚନ୍ଦନ ଉତ୍ସବ

ଜଗତସିଂହପୁର:ଓଡ଼ିଶାର ଅନ୍ୟତମ ଶକ୍ତିପୀଠ ଦେଉଛି ଝଙ୍କଡ ପୀଠ । ବୈଷ୍ଣବ ଓ ଶାକ୍ତ ବାଦର ସମିଶ୍ରର୍ଣ ହେଉଛି ଏହି ମହାନ ପୀଠ। ବାଣୀକ୍ଷେତ୍ର ଜଗତସିଂହପୁର ଝଙ୍କଡ ପୀଠର ଈଷ୍ଟଦେବୀ ମା' ଶାରଳା । ମା'ଙ୍କ ମହିମା ଅପାର । ମା'ଙ୍କ ସାନିଧ୍ୟ ପାଇଁ କାହିଁ କେତେ ଦୂରରୁ ଧାଇଁ ଆସେ ଭକ୍ତ । ଏହି ମହାନ ପୀଠର ପର୍ବ ପରମ୍ପରା ଅନନ୍ୟ ଅପୂର୍ବ । ବୈଷବୀୟ ପରମ୍ପରା ଅନୁସାରେ ଏକାଦଶୀ ତିଥିରେ ମା'ଙ୍କୁ ଶ୍ରୀଜଗନ୍ନାଥଙ୍କ ବେଶରେ ସଜିତ କରାଯାଇଥାଏ । ଆଶ୍ବୀନ ମାସରେ ଶାରଦୀୟ ଦୁର୍ଗାତ୍ସବ ସମୟରେ ଦେବୀ ଶ୍ରୀଚଣ୍ଡୀ ରୂପରେ ପୂଜିତ ହୋଇଥାନ୍ତି। ଏହି ଅନନ୍ୟ ପରମ୍ପରା ଅନ୍ୟ କୌଣସି ଦେବୀ ପୀଠମାନଙ୍କରେ ଦେଖିବାକୁ ମିଳି ନଥାଏ। ସେହିପରି ବୈଶାଖ ମାସର ପ୍ରବଳ ରୌଦ୍ରତାପରୁ ରକ୍ଷା ପାଇବା ପାଇଁ ଶ୍ରୀକ୍ଷେତ୍ରଠାରୁ ଆରମ୍ଭ କରି ବିଭିନ୍ନ ବିଷ୍ଣୁ ମନ୍ଦିରରେ ଚନ୍ଦନ ଯାତ୍ରା ହୋଇଥାଏ । ଝଙ୍କଡ ପୀଠରେ ମଧ୍ୟ 21 ଦିନ ବ୍ୟାପି ଚନ୍ଦନ ଯାତ୍ରା ଅନୁଷ୍ଠିତ ହୋଇଥାଏ । ଏହି ଅପୂର୍ବ ଦୃଶ୍ୟ ଦେଖିବାକୁ କାହିଁ କେତେ ଦୂରରୁ ଧାଇଁ ଆସିଥାଏ ଶ୍ରଦ୍ଧାଳୁ ।

ମା' ଶାରଳାଙ୍କ ଚାନ୍ଦନ ଯାତ୍ରା ପର୍ବ ଅନ୍ୟ ପର୍ବ ମଧ୍ୟରେ ଅନ୍ୟତମ। ଅକ୍ଷୟ ତୃତୀୟ ଠାରୁ 21 ଦିନ ପର୍ଯ୍ୟନ୍ତ ମା'ଙ୍କ ଚଳନ୍ତି ପ୍ରତିମା ଚାପକୁ ବିଜେ କରିଥାନ୍ତି । ପ୍ରଥମେ ଦ୍ବାରଫିଟା ନୀତି ସମ୍ପାଦନ ହେବାପରେ ଦେବୀଙ୍କୁ ମହାସ୍ନାନ କରାଯାଇଥାଏ । ପରେ ବେଶ ଓ ବାଳଧୂପ ଓ ଶଙ୍ଖୁଡ଼ି ଭୋଗ ସରିବା ପରେ ସେବକମାନଙ୍କ ଦ୍ବାରା ଚନ୍ଦନ ଘୋରାଯାଇ ଦେବୀଙ୍କୁ ସର୍ବାଙ୍ଗ ଚନ୍ଦନ ଲାଗି କରାଯାଇଥାଏ । ଚନ୍ଦନ ଲାଗି ସମୟରେ ମା'ଙ୍କ ନିକଟରେ ଗୀତ ଗୋବିନ୍ଦ ପାଠ କରାଯିବାର ବିଧି ରହିଛି । ପରେ ଚଳନ୍ତି ବିଗ୍ରହଙ୍କୁ ବେଢା ପରିକ୍ରମା କରାଯିବା ପରେ ମଣି ବିମାନରେ ବିଜେ କରିଥାଆନ୍ତି । ଏହି ଦୃଶ୍ୟ ଦେଖିବା ପାଇଁ ପୀଠରେ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥାଏ । ଘଣ୍ଟଘଣ୍ଟା କାହାଳୀ ବଜାଇ ଚନ୍ଦନ ପୁଷ୍କରିଣୀ ନିକଟକୁ ମା' ବିଜେ କରିଥାନ୍ତି ।

ପ୍ରଥମ ଦିନ ଏକ ଘେରା ବୁଲିବାର ବିଧି ରହିଥିବା ବେଳେ 21 ଦିନ ପର୍ଯ୍ୟନ୍ତ ଏକୋଇଶ ଘେରା ବୁଲିବାର ପରମ୍ପରା ରହି ଆସିଛି । ଚନ୍ଦନ ପୁଷ୍କରିଣୀ ମଧ୍ୟରେ ଥିବା ଦୀପଦଣ୍ଡି ମଧ୍ୟରେ ଥିବା ସିଂହାସନରେ ମା'ଙ୍କୁ ସେବକମାନେ ବିଜେ କରାଇଥାଆନ୍ତି । ସେହିପରି ଏଠାରେ ରାତ୍ରି ଚାପ ମଧ୍ୟ ଦେଖିବାକୁ ମିଳେ । ଅକ୍ଷୟ ତୃତୀୟାଠାରୁ 10ଦିନ ପରେ ମା'ଙ୍କ ରାତ୍ରିଚାପ ଅନୁଷ୍ଠିତ ହୋଇଥାଏ । ଏହି ଚନ୍ଦନ ଯାତ୍ରାରେ କ୍ବିଣ୍ଟାଲକ୍ବିଣ୍ଟାଲ ଚନ୍ଦନ ଘୋରା ଯାଇ ଦେବୀଙ୍କୁ ଲେପନ କରିବାର ବିଧି ରହିଛି । ବିଶ୍ବାସ ରହିଛି ଚନ୍ଦନ ଲାଗି ସମୟରେ ଯେଉଁମାନେ ମାନସିକ ରଖିଥାନ୍ତି ସେମାନଙ୍କ ମାନସିକ ପୂରଣ ହୋଇଥାଏ ।

ସେ ଭାବକୁ ନିକଟ, ଅଭାବକୁ ଦୂର । ତାର କାଣିଚାଏ କରୁଣା ପାଇବା ପାଇଁ ଦୌଡ଼ି ଆସେ ଭକ୍ତଟିଏ । ସତରେ ଏହି ପୀଠକୁ ଆସି ମା' ବୋଲି ଡାକି ଦେଲେ ସେ ତାର ପଣତ ତଳେ ସନ୍ତାନକୁ ଆଶ୍ରା ଦେଇଥାଏ। ସେଥିପାଇଁ ତ ସେ କରୁଣାମୟୀ । ମାଙ୍କ କୃପାରୁ ବିଶ୍ବମ୍ବର ପରିଡା ଶାରଳା ଦାସ ହୋଇଛନ୍ତି । ଓଡ଼ିଆ ସାହିତ୍ୟକୁ ରୁଦ୍ଧିମନ୍ତ କରି ଲେଖିଥିଲେ ଶାରଳା ମହାଭାରତ ।

ଇଟିଭି ଭାରତ, ଜଗତସିଂହପୁର

ABOUT THE AUTHOR

...view details