ଜଗତସିଂହପୁର:ଜିଲ୍ଲାର ସୁନାମଧନ୍ୟ ଶିକ୍ଷାନୁଷ୍ଠାନ ସ୍ୱାମୀ ବିବେକାନନ୍ଦ ସ୍ୱୟଂ ଶାସିତ ମହାବିଦ୍ୟାଳୟ ପୁଣି ଚର୍ଚ୍ଚାକୁ ଆସିଛି । ଅଡ଼ୁଆରେ କଲେଜ ଅଧ୍ୟକ୍ଷ । ବିପଦରେ ପଡିଛି ଅଧ୍ୟକ୍ଷଙ୍କ ପଦ । କଲେଜ ଅଧ୍ୟକ୍ଷଙ୍କ ନାମରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ପୁରାତନ ଛାତ୍ର ସଂସଦ । 2015-16ର ଛାତ୍ର ସଂସଦ ସଭାପତି ଆଶିଷ କୁମାର ସ୍ୱାଇଁଙ୍କ ନେତୃତ୍ୱରେ କିଛି ପୁରାତନ ଛାତ୍ର କଲେଜ ଅଧ୍ୟକ୍ଷଙ୍କୁ ଭେଟି ଏକ ଅଭିଯୋଗ ପତ୍ର ପ୍ରଦାନ କରିବା ସହ ଏହାର ନକଲ ମୁଖ୍ୟମନ୍ତ୍ରୀ, ଉଚ୍ଚଶିକ୍ଷା ବିଭାଗ ଓ 5ଟି ସଚିବଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଛନ୍ତି ।
ପୁରାତନ ଛାତ୍ର ସଂସଦ ଅଭିଯୋଗ କରିଛି ଯେ, ବର୍ତ୍ତମାନ ସ୍ୱାମୀ ବିବେକାନନ୍ଦ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଥିବା ବିଜୟ କୁମାର ପାତ୍ର ଯିଏ କି ଅଧ୍ୟାପକ ଭାବରେ ପ୍ରଥମେ ସୁଦର୍ଶନ ମହାବିଦ୍ୟାଳୟ ୪୨ ମୌଜା କଟକରୁ କ୍ୟାରିଅର ଆରମ୍ଭ କରିଥିଲେ । ବର୍ତ୍ତମାନ ସେ ସ୍ୱାମୀ ବିବେକାନନ୍ଦ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ନିଯୁକ୍ତ ହୋଇଛନ୍ତି । ଗତ ୦୪.୦୮.୨୦୨୩ ତାରିଖରେ ଉଞ୍ଚାଶିକ୍ଷା ବିଭାଗର ଚିଠି ନଂ ୩୩୦୪୭ ମୁତାବକ ହାଇକୋର୍ଟଙ୍କ ନିର୍ଦ୍ଦେଶ ଦେଇଥିଲେ କୌଣସି ଜୁନିୟର କଲେଜର ଅଧ୍ୟାପକ ଡିଗ୍ରୀ କଲେଜରେ ଅଧ୍ୟକ୍ଷ ହୋଇ ପାରିବେ ନାହିଁ । କିପରି ଭାବରେ ଜଣେ ଜୁନିୟର କଲେଜ ଅଧ୍ୟାପକ ସ୍ୱାମୀ ବିବେକାନନ୍ଦ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଗଲା ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ପୁରାତନ ଛାତ୍ର ସଂସଦ।