ଜଗତସିଂହପୁର: ଖେଳିବା ବୁଲିବା ବୟସରେ ସେ ରାଜ୍ୟ ଓ ନିଜ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି । ବୟସ ତାଙ୍କର ମାତ୍ର ୪ ବର୍ଷ, ଭଲକି ପାଟି ଫିଟୁନି । ଆଜିକାଲି ଛୋଟ ପିଲା ଅଧିକାଂଶ ସମୟ ମୋବାଇଲ କିମ୍ବା ଅନ୍ୟ ଇଲେକ୍ଟ୍ରୋନିକ୍ ଯନ୍ତ୍ର ସହ ଅଧିକ ସମୟ ବିତାଉଥିବା ବେଳେ ସେ ସଂସ୍କୃତର କଠିନ ଶବ୍ବ ସଂଯୋଜନାରେ ଗଢ଼ା ମନ୍ତ୍ର ଶ୍ଲୋକ ଶିକ୍ଷା ନେଇ ସଭିଁଙ୍କୁ ଚକିତ କରାଇଛନ୍ତି । ସେ ହେଉଛନ୍ତି ଜଗତସିଂହପୁର ଜିଲ୍ଲା ଉପକଣ୍ଠ ତରଡାପଡ଼ା ଗ୍ରାମର ସରୋଜ ପଣ୍ଡା ଓ ସସ୍ମିତା ମିଶ୍ରଙ୍କ ୪ ବର୍ଷର ଝିଅ ସାଇ ଶ୍ରୀୟାନ୍ସି ।
ମାତ୍ର ୪ ବର୍ଷ ବୟସରେ ଅନେକ ପ୍ରତିଭାର ଅଧିକାରୀ ହୋଇପାରିଛନ୍ତି ସାଇ ଶ୍ରୀୟାନ୍ସି । ମାତ୍ର 24 ମିନିଟ 50 ସେକେଣ୍ଡରେ 108ଟି ବେଦ ମନ୍ତ୍ର ଉଚ୍ଚାରଣ କରୁଛନ୍ତି ସାଇ ଶ୍ରୀୟାନ୍ସି । ଅନର୍ଗଳ ବୈଦିକ ମନ୍ତ୍ର ଉଚ୍ଚାରଣ କରି ସେ ଜଗତସିଂହପୁର ଜିଲ୍ଲା ସହ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି । ସମ୍ପୂର୍ଣ୍ଣ ପାଟି ଖୋଲି ନଥିବା ଏହି କୁନିଝିଅର ବୈଦିକ ମନ୍ତ୍ର ଉଚ୍ଚାରଣ, ନିହାତି ଭାବରେ ସମସ୍ତଙ୍କୁ ଚକିତ କରିବ । ନାଚ, ଗୀତ ଓ ଶାସ୍ତ୍ରୀୟ ସଙ୍ଗୀତରେ ସେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସମ୍ମାନିତ ହୋଇ ସାରିଛନ୍ତି ।
ଲକଡାଉନ ସମୟରେ ନିଜଘରେ ରହି ବାପା ମାଆ ଓ ଜେଜେଙ୍କଠାରୁ ମନ୍ତ୍ର ଶିଖିବା ଆରମ୍ଭ କରିଥିଲେ କୁନି ଝିଅ ସାଇ ଶ୍ରୀୟାନ୍ସି । ଥରେ ମାତ୍ର ମନ୍ତ୍ର ଶୁଣିଦେଲେ ମନ ରଖି ପାରନ୍ତି ସାଇ । ବୈଦିକ ଯଜ୍ଞରେ ପାଠ କରାଯାଉଥିବା ସମସ୍ତ ମନ୍ତ୍ରକୁ ସେ କଣ୍ଠସ୍ଥ କରି ସାରିଛନ୍ତି । ଏନେଇ 2020 ମସିହାରେ ପରିବାର ଲୋକେ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇବାକୁ ପରିବାର ଲୋକେ ଆବେଦନ କରିଥିଲେ।