ଜଗତସିଂହପୁର: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ 100 ଶଯ୍ୟା ବିଶିଷ୍ଟ ନୂଆ ବିଲ୍ଡିଂର ନିର୍ମାଣ ପଥ ପରିସ୍କାର। ଏନେଇ ସ୍ବାସ୍ଥ୍ୟ ବିଭାଗକୁ ଜମି ଯୋଗାଇଦେବ ଜଳସେଚନ ବିଭାଗ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପାଖରେ ଥିବା ଜଳସେଚନ ବିଭାଗର କ୍ବାର୍ଟର ଜାଗାକୁ ବିଭାଗ ମେଡିକାଲକୁ ପ୍ରଦାନ କରିବ । ଯେଉଁଠି 100 ଶଯ୍ୟା ବିଶିଷ୍ଟ ନୂଆ ବିଲ୍ଡିଂ ନିର୍ମିତ ହେବ । ଏହା ବଦଳରେ ଅନ୍ୟ ଏକ ଜାଗାରେ ଜଳସେଚନ ବିଭାଗକୁ କ୍ବାର୍ଟର ଯୋଗାଇବ ସ୍ବାସ୍ଥ୍ୟ ବିଭାଗ । ଫଳରେ ଜିଲ୍ଲା ଚିକିତ୍ସାଳୟରେ ଥିବା ଅବ୍ୟବସ୍ଥା ଦୂର ହେବ ବୋଲି କୁହାଯାଉଛି ।
ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆବଶ୍ୟକ ଭିତ୍ତିଭୂମିର ଅଭାବ ଥିବାରୁ ରୋଗୀସେବା ବ୍ୟାହତ ହେଉଛି । ଭେଷଜ ଓ ସଂକ୍ରମଣ ଠାରୁ ଆରମ୍ଭ କରି ଅଧିକାଂଶ ୱାର୍ଡରେ ଆବଶ୍ୟକ ଶଯ୍ୟା ନାହିଁ। ବିଶେଷ କରି ପ୍ରସୂତି ବିଭାଗ ବାରଣ୍ଡାରେ ପ୍ରତି ଦିନ ବହୁ ଗର୍ଭବତୀ ଅତି ଦୟନୀୟ ଅବସ୍ଥାରେ ରହୁଛନ୍ତି। ଶିଶୁ ୱାର୍ଡ ଅବସ୍ଥା ମଧ୍ୟ ଅନୁରୂପ। ଯାହାକୁ ଦୃଷ୍ଟିରେ ରଖି ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ମେଡିକାଲ ପରିସରରେ 100 ଶଯ୍ୟା ବିଶିଷ୍ଟ ଏକ ବିଲ୍ଡିଂ ନିର୍ମାଣ ପାଇଁ 2ବର୍ଷ ପୂର୍ବେ ଉଦ୍ୟମ ଆରମ୍ଭ ହୋଇଥିଲା। ତେବେ ଜମି ପାଇଁ ଏହା ଅଦ୍ୟାବଧି କାର୍ଯ୍ୟକାରୀ ହୋଇପାରିନାହିଁ ।