Goods train derailed: ୨ଟି ବଗି ଲାଇନଚ୍ୟୁତ, ବିଭିନ୍ନ ରେଳଷ୍ଟେସନରେ ଅଟକି ରହିଲା ଟ୍ରେନ ବ୍ରହ୍ମପୁର:ଗଞ୍ଜାମ ଜିଲ୍ଲାର ଛତ୍ରପୁର ରେଳଷ୍ଟେସନ ଓ ଗଞ୍ଜାମ ରେଳଷ୍ଟେସନ ମଧ୍ୟବର୍ତ୍ତୀ ପୋଡାପଦର ନିକଟରେ ଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନର ୨ଟି ବଗି । ସାଉଣ୍ଟ ସେଣ୍ଟ୍ରାଲ ରେଳବାଇ (ରାଜଗାଙ୍ଗପୁର)ରୁ ବାହାରି ବଇରି ଅଭିମୁଖେ ଯାଉଥିବା ଏହି ମାଲବାହୀ ଟ୍ରେନଟି ଗୁରୁବାର ଲାଇନଚ୍ୟୁତ ହୋଇଛି । ତେବେ ବିଶାଖାପଟଣା–ଭୁବନେଶ୍ବର ଲାଇନରେ ଅଘଟଣ ଘଟିଥିବାରୁ ବିଶାଖାପାଟଣାରେ ଅନେକ ଟ୍ରେନ ଅଟକି ରହିଥିବା ଜଣାପଡ଼ିଛି । ଏହାଫଳରେ ଯାତ୍ରୀ ହନ୍ତସନ୍ତ ହୋଇଛନ୍ତି ।
ମାଲବାହୀ ଟ୍ରେନର ୨ଟି ବଗି ଲାଇନଚ୍ୟୁତ ଯୋଗୁଁ ଯାତ୍ରୀ ହନ୍ତସନ୍ତ ଗୁରୁବାର ୱାର୍କ ସାଇଡରେ ଦିନ ୯.୨୦ମିନଟ ସମୟରେ କୌଣସି କାରଣବଶତଃ ଟ୍ରାକରୁ ଟ୍ରେନର ୨ଟି ବଗି ହଠାତ ଲାଇନଚ୍ୟୁତ ହୋଇଥିଲା । ଏହି ଟ୍ରେନରେ କ୍ଲିଙ୍କର (ୱାଇଟ ଡଷ୍ଟ୍) ବୋଝେଇ ହୋଇଯାଉଥିବା ବେଳେ ଏପରି ଘଟଣା ଘଟିଥିବା କୁହାଯାଉଛି । ତେବେ ଗୋଟିଏ ଲାଇନ ବ୍ଲକ କରି ଅନ୍ୟ ଲାଇନରେ ଟ୍ରେନ ଯାତାୟାତ କରିବା ଯୋଗୁଁ ଦୀର୍ଘ ସମୟ ଧରି ଏହି କାରଣରୁ ବିଭିନ୍ନ ଷ୍ଟେସନରେ କେତେକ ଟ୍ରେନ ଅଟକି ରହିଛି । ବ୍ରହ୍ମପୁର ରେଳଷ୍ଟେସନ ସମେତ ଛତ୍ରପୁର ରେଳଷ୍ଟେସନରେ ଦୀର୍ଘ ୩ରୁ ୪ଘଣ୍ଟା ଧରି ଅଟକି ରହିଥିଲା ଅନେକ ଟ୍ରେନ । ବ୍ରହ୍ମପୁର ରେଳଷ୍ଟେସନରେ ଇଲ୍ଲୁପୁରମ–ପୁରଲିଆ ଏକ୍ସପ୍ରେସ ସମେତ ଗୁଣପୁର–ପୁରୀ ଏକ୍ସପ୍ରେସ, ସେହିପରି ଛତ୍ରପୁର ରେଳଷ୍ଟେସନରେ ଜସୱନ୍ତପୁରୁ- ହାୱାଡା ଟ୍ରେନକୁ ଅଟକାଇ ରଖାଯାଇଥିଲା ।
ବିଭିନ୍ନ ସ୍ଥାନରେ ଅଟକି ରହିଛି ଟ୍ରେନ ଏହା ବି ପଢନ୍ତୁ- ରାଜ୍ୟରେ କାଳବୈଶାଖୀ ସକ୍ରିୟ, ଆହୁରି ୫ ଦିନ ବର୍ଷିବ
ଟ୍ରେନ ବଗି ଲାଇନଚ୍ୟୁତ ହୋଇଥିବା ଖବର ପାଇବା ପରେ ଉଦ୍ଧାର କାର୍ଯ୍ୟରେ ଖୋର୍ଦ୍ଧା ଡିଭିଜନ ଓ ପାଲସା ଡିଭିଜନର ୨ଟି ଟିମ ପହଞ୍ଚି ମାଲବାହୀ ଟ୍ରେନର ଲାଇନଚ୍ୟୁତ ହୋଇଥିବା ଇଞ୍ଜିନକୁ ଟ୍ରାକକୁ ଉଠାଇ ନେବାକୁ ଉଦ୍ୟମ କରିଥିଲେ । ଘଟଣାସ୍ଥଳରେ ଖୋର୍ଦ୍ଧା ଡିଭିଜନର ଡିଆରଏମ ରିଙ୍କେଶ ରାୟ ଉପସ୍ଥିତ ରହି ଏହାର ସମୀକ୍ଷା କରିଥିବା ବେଳେ ବହୁ ବରିଷ୍ଠ ଅଧିକାରୀ ଓ କର୍ମଚାରୀ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ରହିଥିଲେ ।
ବିଭିନ୍ନ ସ୍ଥାନରେ ଅଟକି ରହିଛି ଟ୍ରେନ ତେବେ ଗୋଟିଏ ପଟେ ଗ୍ରୀଷ୍ମର ପ୍ରଭାବ ଏବଂ ଅନ୍ୟପଟେ ବହୁ ସମୟ ଧରି ମାଲବାହୀ ଟ୍ରେନ ଲାଇନଚ୍ୟୁତ ହେବା କାରଣରୁ ଟ୍ରେନ ବ୍ରହ୍ମପୁର ରେଳଷ୍ଟେସନରେ ଅଧିକ ସମୟ ଅଟକି ରହିଥିବା ଯୋଗୁଁ ଏହାକୁ ନେଇ ନାନା ସମସ୍ୟା ମଧ୍ୟରେ ଯାତ୍ରୀ ମାନେ ନାନା ହଇରାଣ ହରକତ ହୋଇଥିବା ଦେଖିବାକୁ ମିଳିଥିଲା । ସେପଟେ ଅଧା ବାଟରେ ଟ୍ରେନ ଅଟକି ଥିବାରୁ ପାନୀୟ ଜଳ ସାଙ୍ଗକୁ ଖାଦ୍ୟପଦାର୍ଥର ଅସୁବିଧା ହେଉଥିବା ଯାତ୍ରୀମାନେ ଅଭିଯୋଗ କରିଛନ୍ତି । ଖୁବଶୀଘ୍ର ଟ୍ରେନ ଚଳାଚଳ କରିବା ଲାଗି ଉଦ୍ୟମ ଜାରି ରହିଥିବା ରେଳ ଅଧିକାରୀ ସୂଚନା ଦେଇଛନ୍ତି ।
ଇଟିଭି ଭାରତ, ବ୍ରହ୍ମପୁର