ଓଡିଶା

odisha

ETV Bharat / state

ଗଞ୍ଜାମରେ ୧୮ ରୁ ୨୪ ପର୍ଯ୍ୟନ୍ତ ପାଳନ ହେବ 'ସଡକ ସୁରକ୍ଷା ସପ୍ତାହ' - ସଡକ ସୁରକ୍ଷା ସପ୍ତାହ

ଗଞ୍ଜାମ ଜିଲ୍ଲାରେ ଚଳିତ ମାସ ୧୮ ତାରିଖ ଠାରୁ ୨୪ ତାରିଖ ପର୍ଯ୍ୟନ୍ତ ପାଳନ ହେବ ସଡକ ସୁରକ୍ଷା ସପ୍ତାହ । ସମସ୍ତ ବିଭାଗର ମିଳିତ ସହଯୋଗରେ ଏହି ସଚେତନତା ସପ୍ତାହ ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ ପାଳନ କରାଯିବ । ଅଧିକ ପଢନ୍ତୁ...

road safety week
ଚଳିତ ମାସ ୧୮ ରୁ ୨୪ ପର୍ଯ୍ୟନ୍ତ ପାଳନ ହେବ ସଡକ ସୁରକ୍ଷା ସପ୍ତାହ

By

Published : Jan 16, 2021, 6:19 AM IST

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଚଳିତ ମାସ ୧୮ ତାରିଖ ଠାରୁ ୨୪ ତାରିଖ ପର୍ଯ୍ୟନ୍ତ ପାଳନ ହେବ ସଡକ ସୁରକ୍ଷା ସପ୍ତାହ । ସମସ୍ତ ବିଭାଗର ମିଳିତ ସହଯୋଗ କ୍ରମେ ଏହି ସଚେତନତା ସପ୍ତାହ ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ ପାଳନ କରାଯିବ । ଜିଲ୍ଲାର ସମସ୍ତ କାର୍ଯ୍ୟାଳୟର କର୍ମଚାରୀ ଓ ଅଧିକାରୀଗଣ ଦୁଇଚକିଆ ଯାନରେ ଯାତାୟତ କଲା ବେଳେ ହେଲମେଟ୍ ବ୍ୟବହାର ସହିତ ସଡକ ସୁରକ୍ଷା ନିୟମ ମାନି ଚଳିବେ ।

ଚଳିତ ମାସ ୧୮ ରୁ ୨୪ ପର୍ଯ୍ୟନ୍ତ ପାଳନ ହେବ ସଡକ ସୁରକ୍ଷା ସପ୍ତାହ

ଚଳିତ ମାସ ୨୧ ତାରିଖ ଦିନ ଜିଲ୍ଲାର ସମସ୍ତ ଅଞ୍ଚଳରେ ପୂର୍ବାହ୍ନ ୯ଘ. ସମୟରେ ରାସ୍ତା ସୁରକ୍ଷା ସକାଶେ ପ୍ରତିଜ୍ଞା ଗ୍ରହଣ କରିବେ । ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଆୟୋଜିତ ବୈଠକରେ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ସଡକ ସୁରକ୍ଷା ସପ୍ତାହ ପାଳନ ନେଇ ଅଧ୍ୟକ୍ଷତା କରିଛନ୍ତି । ସମସ୍ତ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀଙ୍କୁ ସାମିଲ କରି ସଚେତନତା କାର୍ଯ୍ୟକୁ ବ୍ୟାପକ କରିବାକୁ କହିଛନ୍ତି । ଲାଇସେନ୍ସ ପ୍ରଦାନ ପୂର୍ବରୁ ପ୍ରଶିକ୍ଷଣ ପ୍ରାପ୍ତ ଏବଂ ଗାଡି ଚାଳନାର ଅଭିଜ୍ଞତା ଜ୍ଞାନ ଥିବା ବ୍ୟକ୍ତିକୁ ହିଁ ଡ୍ରାଇଭିଂ ଲାଇସେନ୍ସ ପ୍ରଦାନ କରିବା ସକାଶେ ଆଞ୍ଚଳିକ ପରିବହନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଦୁଇଚକିଆ ଗାଡି ଚାଳକ ହେଲମେଟ୍ ବ୍ୟବହାର କରୁନଥିଲେ ସେମାନଙ୍କର ଡ୍ରାଇଭିଂ ଲାଇସେନ୍ସ ଦିଗରେ ସମ୍ପୂର୍ଣ୍ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ବ୍ୟାଜ୍ୟାପ୍ତ କରାଯିବ । ୧୮ ବର୍ଷରୁ କମ୍ ବୟସର ବିଦ୍ୟାର୍ଥୀ ଦୁଇ ଚକିଆ ଯାନ ଚଳାଉଥିବା ନଜରକୁ ଆସୁଛି । ସେମାନଙ୍କୁ ଅଟକା ଯାଇ ସେମାନଙ୍କ ଅଭିଭାବକଙ୍କୁ ଡକାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ବ୍ରହ୍ମପୁର ହଳଦିଆପଦର ଏବଂ ଛତ୍ରପୁର ବିଜ୍ଞାନ ମହାବିଦ୍ୟାଳୟ ଜାତୀୟ ରାଜପଥରେ ଅଣ୍ଡରପାସ ନିମନ୍ତେ ଗ୍ରହଣ କରାଯାଇଥିବା ପଦକ୍ଷେପ ସମ୍ପର୍କରେ ଏନଏଚଆଇ ପ୍ରତିନିଧିଙ୍କ ଠାରୁ ଜିଲ୍ଲାପାଳ ବୈଠକରେ ଆଲୋଚନା କରିଥିଲେ ।

ଛତ୍ରପୁର, ଗୋପାଳପୁର ଅଞ୍ଚଳରେ ଶିଳ୍ପ ପ୍ରତିଷ୍ଠାନ ରହିଛି । ଏଣୁ ରାସ୍ତାର ପ୍ରଶସ୍ତିକରଣ ଓ ସୁରକ୍ଷାର ବିଭିନ୍ନ ଦିଗ ପ୍ରତି ପଦକ୍ଷେପ ଗ୍ରହଣ କରିବାକୁ ଆଲୋଚନା ହୋଇଥିଲା । ବସ୍ ଗୁଡିକ ବସ୍ ଷ୍ଟପ୍ ସ୍ଥାନ ବ୍ୟତୀତ ଅନ୍ୟ ସ୍ଥାନରେ ରଖି ଯାତ୍ରୀ ଉଠାଉଥିବା ହେତୁ ରାସ୍ତା ଅବରୋଧ ହେଉଛି । ଏ ଦିଗରେ ବସ୍ ମାଲିକ ସଂଘର ଉପସ୍ଥିତ ସଭ୍ୟ ମାନଙ୍କୁ ପଦକ୍ଷେପ ଗ୍ରହଣ କରିବାକୁ କୁହାଯାଇଛି । କେଶପୁର ଠାରୁ ହଳଦିଆପଦର ପର୍ଯ୍ୟନ୍ତ ଏକ କମିଟି ଦ୍ବାରା ଯାଞ୍ଚ ହେବ । କେଉଁ ଠାରେ ବ୍ରିଜ୍, ଅଣ୍ଡର ପାସ୍, ପ୍ରଶସ୍ତି କରଣ ଏବଂ ଅନ୍ୟାନ୍ୟ ଆବଶ୍ୟକତା ରିପୋର୍ଟ ଦେବେ । ସେହି ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ମଦ୍ୟପାନ କରି ଗାଡି ଚଳାଉଥିବା ଯୋଗୁଁ ଅଧିକ ଦୁର୍ଘଟଣା ଘଟୁଛି । ଏଣୁ ଏ ଦିଗରେ କଡା ପଦକ୍ଷେପ ଗ୍ରହଣ କରାଯିବ । ବିନା ଅନୁମତି ଥାଇ ଉଠା ଦୋକାନୀ/ଠେଲା ଦୋକାନୀ ବେପାରୀ ରାସ୍ତା ପାର୍ଶ୍ବରେ ଦୋକାନ ଖୋଲୁଛନ୍ତି, ସେମାନଙ୍କୁ ହଟାଯିବ । ଜାତୀୟ ରାଜପଥ ପାର୍ଶ୍ବରେ ଟ୍ରକ୍ କମ୍ପ୍ଳେକ୍ସ ନିର୍ମାଣ କରି ସେଥିରେ ପାର୍କିଂ, ରିଫ୍ରେସମେଣ୍ଟ ବ୍ୟବସ୍ଥା କରିବାକୁ ଟ୍ରକ୍ ମାଲିକ ସଂଘର ଉପସ୍ଥିତ ସଭ୍ୟମାନଙ୍କୁ ଜଣାଇଥିଲେ । ଯେଉଁ ଢାବା ଗୁଡିକର ପାର୍କିଂ ସୁବିଧା ନାହିଁ ସେମାନଙ୍କୁ ଢାବା ଚଲାଇବା ନିମନ୍ତେ ଅନୁମତି ଦିଆଯିବ ନାହିଁ । ବସ୍, ଅଟୋ ଗୁଡିକରେ କ୍ଷମତା ଠାରୁ ଅଧିକ ଯାତ୍ରୀ ନେଉଥିବା ନଜର ଆସୁଛି । ଏ ଦିଗରେ କର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସ୍ବାସ୍ଥ୍ୟ କ୍ୟାମ୍ପ କରି ଚାଳକ ମାନଙ୍କର ଚକ୍ଷୁ ପରୀକ୍ଷା କରାଯିବ । ଗତ ୨୦୨୦ ମସିହାରେ ୧୫୦୬୩ ଇ ଚାଲାଣ କଟାଯାଇ ୨୭୪୧୩୯୯୧ ରାଜସ୍ବ ଆଦାୟ ହୋଇଥିବା ସୂଚନା ମିଳିଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details