ବ୍ରହ୍ମପୁର: ବ୍ରହ୍ମପୁରବାସୀଙ୍କ ଦୀର୍ଘ ଦିନର ଦାବି ପୂରଣ ହେବାକୁ ଯାଉଛି । ଏମ୍କେସିଜିରେ ବର୍ଣ୍ଣ କେୟାର ୟୁନିଟ୍ କୋଠା ନିର୍ମାଣ ପାଇଁ ମିଳିଲା ସରକାରଙ୍କ ଅନୁମତି । ଏହାକୁ ନେଇ ଆଗାମୀ ଦିନରେ ଏହି ବର୍ଣ୍ଣ କେୟାର ୟୁନିଟ୍ ଖୋଲିବା ଏକ ପ୍ରକାର ନିଶ୍ଚିତ ହୋଇଛି । ଏମକେସିଜି ମେଡିକାଲରେ ବର୍ଣ୍ଣ କେୟାର ୟୁନିଟ୍ ଖୋଲିବା ପାଇଁ ଦୀର୍ଘ ବର୍ଷ ଧରି ଦାବି ହୋଇଆସୁଥିଲା । ମେଡିକାଲ କର୍ତ୍ତୃପକ୍ଷଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ରାଜନୈତିକ ଦଳ, ଅନେକ ସଙ୍ଗଠନ ଏହି ଦାବିକୁ ବିଭିନ୍ନ ଫୋରମରେ ଉପସ୍ଥାପନ କରିବା ସହିତ ଅନେକ ସମୟରେ ସ୍ୱାସ୍ଥ୍ୟ ବିଭାଗ ନିକଟରେ ଜଣାଉଥିଲେ । ଯାହା ଖୁବଶୀଘ୍ର ପୂରଣ ହେବାକୁ ଯାଉଛି ।
ଏମକେସିଜି ମେଡିକାଲ ଉପରେ ବ୍ରହ୍ମପୁର ସହର ସମେତ ଗଞ୍ଜାମ ଏବଂ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲାର ଲୋକେ ନିର୍ଭର କରୁଛନ୍ତି । ହେଲେ ଏଠାରେ ସ୍ୱତନ୍ତ୍ର ଭାବରେ ବର୍ଣ୍ଣ କେୟାର ୟୁନିଟ୍ ନଥିବା ଯୋଗୁଁ ରୋଗୀମାନେ ନାହିଁ ନଥିବାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏନେଇ ସରକାରଙ୍କ ପକ୍ଷରୁ ଅନୁମତି ଅନୁଯାୟୀ ଏମକେସିଜି ମେଡିକାଲ ପରିସରରେ ରହିଥିବା ହାଉସ ସର୍ଜନ ଛାତ୍ରାବାସ ସ୍ଥାନରେ ହିଁ ଏହି ୟୁନିଟର କୋଠା ନିର୍ମାଣ କରାଯିବାକୁ ବିସ୍ତୃତ ଆଲୋଚନା ହୋଇଛି । ବର୍ଣ୍ଣ ୟୁନିଟ୍ ଖୋଲିବା ନିମନ୍ତେ ସର୍ଜରୀ ବିଭାଗର ଜଣେ ଆସୋସିଏଟ ପ୍ରଫେସର ସମେତ ୪ ଜଣ ଆସିଷ୍ଟାଣ୍ଟ ପ୍ରଫେସର ରହିବେ ।
ଏହା ମଧ୍ୟ ପଢନ୍ତୁ - MKCG ସମସ୍ୟା ନେଇ ଅନଶନରେ ଯୁବ ସମାଜସେବୀ , ସାମିଲ ହେଲେ ବହୁ ଆଇନଜୀବୀ