ବ୍ରହ୍ମପୁର: ଗତକାଲି ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ତଥା 5T ସଚିବ ଭିକେ ପାଣ୍ଡିଆନଙ୍କର ଗଞ୍ଜାମ ଗସ୍ତ ଶେଷ ହୋଇଛି । ତେବେ 5T ସଚିବଙ୍କ ଏହି ଗସ୍ତର ପ୍ରଥମ ଦିନରେ ଗୋପାଳପୁର ବିଧାୟକଙ୍କୁ ବିଜେଡି କର୍ମୀଙ୍କ ବିରୋଧ ବେଶ ଚର୍ଚ୍ଚାର ବିଷୟ ପାଲଟିଥିବାବେଳେ ସଚିବଙ୍କ କାର୍ଯ୍ୟକ୍ରମ ଫିକା ପଡ଼ିଯାଇଥିବା କୁହାଯାଉଥିଲା । ହେଲେ ଏହାପରେ ଜନଶୁଣାଣି କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲା ସହିତ ତାଙ୍କର ରହିଥିବା ସମ୍ପର୍କକୁ ବଖାଣି ପୁଣି ଚର୍ଚ୍ଚାକୁ ଫେରିଥିଲେ ସଚିବ ପାଣ୍ଡିଆନ । ସେହିଭଳି ରାଜ୍ୟରେ ମିଶନ ଶକ୍ତି ମହିଳାମାନଙ୍କୁ ଆତ୍ମନିର୍ଭରଶୀଳ କରିବା ପାଇଁ ରାଜ୍ୟ ସରକାର ଆଣିଥିବା ମୁକ୍ତା ଯୋଜନାରେ ସ୍ବଚ୍ଛତା ସହିତ କାର୍ଯ୍ୟ କରାଯିବ । ଏଥିରେ କୌଣସି ଅନିୟମିତତା ହେଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ରୋକଠୋକ କହିଥିଲେ 5T ସଚିବ ।
5T ସଚିବ କହିଥିଲେ, "ରାଜ୍ୟରେ ମିଶନ ଶକ୍ତି ମହିଳାମାନେ କିପରି ଆତ୍ମନିର୍ଭରଶୀଳ ହେବେ ସେ ନେଇ ମୁଖ୍ୟମନ୍ତ୍ରୀ ସଦାସର୍ବଦା ଗୁରୁତ୍ବ ଦେଉଛନ୍ତି । ଏପରିକି ଏହି ମହିଳାମାନେ କିପରି ସଶକ୍ତ ହେବେ ସେନେଇ ସମସ୍ତ ପ୍ରକାର ପଦକ୍ଷେପ ନିଆଯାଉଛି । ସରକାର ମୁକ୍ତା ଯୋଜନା ମାଧ୍ୟମରେ ମହିଳାମାନେ କିପରି ଦୁଇ ଟଙ୍କା ଭଲ ଭାବରେ ରୋଜଗାର କରିପାରିବେ ସେନେଇ ଚେଷ୍ଟା କରାଯାଉଛି । ଏଣୁ ସହରାଞ୍ଚଳର ଏହି ଦାୟିତ୍ବରେ ରହୁଥିବା ଅଧିକାରୀମାନେ ମୁକ୍ତା ଯୋଜନାକୁ ସ୍ବଚ୍ଛତାର ସହିତ କାର୍ଯ୍ୟରେ ଲଗାଇବେ ।" ଏଥିରେ କାର୍ଯ୍ୟ କରୁଥିବା ମହିଳାମାନଙ୍କୁ କେହି ମଧ୍ୟ ଯେପରି ତାଙ୍କର କାର୍ଯ୍ୟ ଶେଷ ପରେ ବିଲ ପ୍ରଦାନ କରିବାରେ ବିଳମ୍ବ କରିବା ହେଉ ବା ଲାଞ୍ଚ ନେବାର ଜଣାଗଲେ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ରୋକଠୋକ ଭାବରେ କହିଛନ୍ତି 5T ସଚିବ ଭିକେ ପାଣ୍ଡିଆନ ।