ବ୍ରହ୍ମପୁର: ଗଞ୍ଜାମରେ କୋରୋନା ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କ ନୂଆ ପଦକ୍ଷେପ । ଅଧିକାରୀ ଓ କର୍ମଚାରୀଙ୍କୁ ନିଜ ହେଡ୍ କ୍ବାର୍ଟର ଛାଡି ବାହାରକୁ ଯିବାକୁ ବାରଣ। ଜନସାଧାରଣଙ୍କୁ ସେବା ଯୋଗାଉଥିବା ଅଧିକାରୀ ଓ କର୍ମଚାରୀଙ୍କ ଯୋଗୁଁ ସାଧାରଣ ଲୋକ ଯେପରି କୋରୋନା ସଂକ୍ରମଣରୁ ସଂକ୍ରମିତ ହେବେ ନାହିଁ ସେଥିଲାଗି ଅଧିକାରୀମାନଙ୍କୁ ମଙ୍ଗଳବାର ଏଭଳି ନିର୍ଦ୍ଦେଶ ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ । ଏହାକୁ ଅବମାନନା କଲେ ସଂପୃକ୍ତ ବ୍ୟକ୍ତିବିଶେଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସ୍ପଷ୍ଟ କରିଛନ୍ତି ଜିଲ୍ଲାପାଳ ।
କୌଣସି କାରଣ ନଥାଇ କଟକ ଓ ଭୁବନେଶ୍ବରକୁ କେତେକ କର୍ମଚାରୀ ଯିବା ଆସିବା ଘଟଣା ଜିଲ୍ଲା ପ୍ରଶାସନ ନଜରକୁ ଆସିଛି । ସମସ୍ତଙ୍କ ଅହରହ ଅକ୍ଲାନ୍ତ ପରିଶ୍ରମ ଫଳରେ ଗଞ୍ଜାମକୁ ସଂକ୍ରମଣ ମୁକ୍ତ କରିବା ନେଇ ପ୍ରୟାସ ଜାରି ରହିଛି । ତେବେ ପୂର୍ବ ଅପେକ୍ଷା ବର୍ତ୍ତମାନ ସ୍ଥିତିରେ ଗଞ୍ଜାମ ଜିଲ୍ଲାରେ କିଛି ମାତ୍ରାରେ ସୁଧାର ଆସିଛି ।