ଓଡିଶା

odisha

By

Published : Jan 27, 2020, 12:04 AM IST

ETV Bharat / state

ବର୍ଷ ବର୍ଷ ଧରି ସରୁନି ଦୁଃଖ, ଦୁର୍ଦ୍ଦିନରେ କଟୁଛି ମିନାଯୋଡି ଲୋକଙ୍କ ଦିନ

କେନ୍ଦ୍ର ଓ ରାଜ୍ୟ ସରକାର ଆଦିବାସୀଙ୍କ ବିକାଶ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ଆଦିବାସୀଙ୍କ ଦୁଃଖ ଯେମିତି ସେମିତି ରହିଛି। କେବଳ କାଗଜ କଲମରେ ସୀମିତ ରହିଯାଇଛି ସେମାନଙ୍କ ବିକାଶ।

minajodi villagers basic problems, bhanjanagar latest news, ଭଞ୍ଜନଗର ଲାଟେଷ୍ଟ ନ୍ୟୁଜ୍‌, ମିନାଯୋଡି ଗ୍ରାମର ଦୁଃଖ
ବର୍ଷ ବର୍ଷ ଧରି ସରୁନି ଦୁଃଖ, ଦୁର୍ଦ୍ଦିନରେ କଟୁଛି ମିନାଯୋଡି ଅଧିବାସୀଙ୍କ ଦିନ

ଭଞ୍ଜନଗର: କେନ୍ଦ୍ର ଓ ରାଜ୍ୟ ସରକାର ଆଦିବାସୀଙ୍କ ବିକାଶ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ଆଦିବାସୀଙ୍କ ଦୁଃଖ ଯେମିତି ସେମିତି ରହିଛି । କେବଳ କାଗଜ କଲମରେ ସୀମିତ ରହିଯାଇଛି ସେମାନଙ୍କ ବିକାଶ । ଆମେ କହୁଛୁ ଗଞ୍ଜାମ ଜିଲ୍ଲା ସୋରଡା ବ୍ଲକ ଗାଜଲବାଡି ପଞ୍ଚାୟତର ମିନାଯୋଡି ଗ୍ରାମର କଥା । ଯେଉଁଠି 25ରୁ ଉର୍ଦ୍ଧ୍ବ ଆଦିବାସୀ ପରିବାର ବସବାସ କରନ୍ତି । ହେଲେ ଶିକ୍ଷା, ସ୍ବାସ୍ଥ୍ୟ ଓ ଗମନାଗମନ ଭଳି ମୌଳିକ ସୁବିଧାରୁ ବଞ୍ଚିତ ରହିଛନ୍ତି ଏଠାକାର ଅଧିବାସୀ ।

ବ୍ଲକ ଯିବାକୁ ହେଲେ ପ୍ରାୟ 25 କିଲୋମିଟର, ପଞ୍ଚାୟତକୁ ଯିବାକୁ ହେଲେ 10 କିଲୋମିଟର କଚ୍ଚା ରାସ୍ତା ଅତିକ୍ରମ କରିବାକୁ ହୁଏ । ସେପଟେ ଗାଁରେ ଥିବା ଦୁଇ ଦୁଇଟି ନଳକୂପ ଖୋଳି ଚୁପ ବସିଛି ପ୍ରଶାସନ । ଆଉ ଗାଁରେ ଥିବା ନଳକୂପରୁ ପାଣି ବାହାରୁଛି କି ନାହିଁ ଦେଖିବାକୁ ସରକାରୀ ବାବୁଙ୍କ ପାଖରେ ସମୟ ନାହିଁ । ଏହି ନୀରିହ ଆଦିବାସୀ ବ୍ଲକ ପ୍ରଶାସନ ପାଖରେ ଗୁହାରି କଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ।

ଜଳକଷ୍ଟରୁ ମୁକୁଳିବା ପାଇଁ ଝରଣା ପାଣି ଆଣି ବ୍ୟବହାର କରୁଛନ୍ତି ଗ୍ରାମବାସୀ । ଗାଁରେ ଏବେଠାରୁ ଜଳକଷ୍ଟ ଲାଗି ରହିଥିବା ବେଳେ ଆଗକୁ ଆସୁଛି ଖରା ଦିନ । ଅନ୍ୟପଟେ ଗାଁକୁ ଭଲ ରାସ୍ତା ଖଣ୍ଡେ ନ ଥିବାରୁ ସମସ୍ତ ମୌଳିକ ସୁବିଧାରୁ ବଞ୍ଚିତ ହେଉଛନ୍ତି ଏହି ଆଦିବାସୀ । ବଣ ଜଙ୍ଗଲରେ ମାଙ୍କଡ଼ ପରି ଚଳୁଛୁ ବୋଲି କହିଛନ୍ତି ଗ୍ରାମବାସୀ ।

ବର୍ଷ ବର୍ଷ ଧରି ସରୁନି ଦୁଃଖ, ଦୁର୍ଦ୍ଦିନରେ କଟୁଛି ମିନାଯୋଡି ଅଧିବାସୀଙ୍କ ଦିନ

ଦେଶ 71ତମ ସାଧାରଣତନ୍ତ୍ର ଦିବସ ପାଳନ କରୁଥିବା ବେଳେ ଏହି ଆଦିବାସୀ ପରାଧୀନ ହୋଇ ରହିଯାଇଛନ୍ତି । ନା ଅଛି ଭଲ ରାସ୍ତା ନା ଅଛି ପାନୀୟ ଜଳର ସୁବିଧା, ନା ପାଇପାରୁଛନ୍ତି ସ୍ବାସ୍ଥ୍ୟ ସେବା । ଏହି ଆଦିବାସୀଙ୍କ ନିଜସ୍ବ ଉଦ୍ୟମରେ ବର୍ଷା ଦିନେ ଝରଣାରୁ ଡଙ୍ଗା ସାହାଯ୍ୟରେ ପାଣି ଆଣି ଚାଷ କାର୍ଯ୍ୟ କରିଥାନ୍ତି । ଆଉ ବର୍ଷା ଋତୁ ପରେ ଆସ୍ତେ ଆସ୍ତେ ଝରଣା ଶୁଖିଯାଏ । ଫଳରେ ଚାଷ କାର୍ଯ୍ୟ ଠପ ହୋଇଯାଏ ।

ବର୍ଷା ପାଣିରେ ଚାଷ କରି ଯାହା କିଛି ଅମଳ କରିଥାନ୍ତି ସେତିକିରେ ବର୍ଷ ସାରା ଚଳିବାକୁ ପଡିଥାଏ ଏମାନଙ୍କୁ। କେବେ ଏହି ଆଦିବାସୀ ଗ୍ରାମ ଉପରେ ସରକାରଙ୍କ ଦୃଷ୍ଟି ପଡିବ ତାହା ଦେଖିବାକୁ ବାକି ରହିଲା ।

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

ABOUT THE AUTHOR

...view details