ବ୍ରହ୍ମପୁର: ବିଷଧର ସର୍ପକୁ ବ୍ୟବହାର କରି ନିଜର ବିବାହିତ ପତ୍ନୀ ଓ ଦୁଇ ବର୍ଷର ଛୁଆକୁ ହତ୍ୟା । ପତ୍ନୀ ଓ ସନ୍ତାନ ଶୋଇଥିବା ବେଳେ ପାଖକୁ ଛାଡ଼ିଥିଲା ବିଷଧର ନାଗସାପ । ଆଉ ସାପ ଦଂଶନରେ ଶେଷରେ ଆଖି ବୁଜିଛନ୍ତି ମହିଳା ଓ ୨ ବର୍ଷର ଶିଶୁକନ୍ୟା । ଏଭଳି ଛାତିଧରା ଘଟଣା ଗଞ୍ଜାମ ଜିଲ୍ଲାର ଅଢେଇବର ଗ୍ରାମରେ ଘଟିଛି । କବିସୂର୍ଯ୍ୟନଗର ଥାନା ପୋଲିସ ଏଭଳି ଏକ ଡବଲ ମର୍ଡର ଘଟଣାର ପର୍ଦ୍ଦାଫାସ କରିଥିବା ବେଳେ ଅଭିଯୁକ୍ତ ବ୍ୟକ୍ତିଙ୍କୁ ଗିରଫ କରିଛି । ହତ୍ୟାକାଣ୍ଡରୁ ନିଜକୁ ରକ୍ଷା କରିବା ଲାଗି ସ୍ବାମୀ ହିଁ ଏପରି ଭୟାନକ କାଣ୍ଡ ଘଟାଇଥିବା ପୋଲିସ କହିଛି ।
ଘଟଣା ରହିଥିଲା ଏଭଳି:-ଗଞ୍ଜାମ ଜିଲ୍ଲାର ଅଢେଇବର ଗ୍ରାମର ବି.ଖଲି ପାତ୍ରଙ୍କ ଦ୍ଵିତୀୟ ଝିଅ ବାସନ୍ତୀ ପାତ୍ରଙ୍କ ସହିତ ଉକ୍ତ ଗ୍ରାମର କେ.ଧନୁ ପାତ୍ରଙ୍କ ସାନ ପୁଅ କେ ଗଣେଶ ପାତ୍ରଙ୍କ ୩ ବର୍ଷ ତଳେ ବିବାହ ହୋଇଥିଲା । ହେଲେ ନିଜର ସ୍ତ୍ରୀଙ୍କ ଉପରେ ସନ୍ଦେହ ହେବା ସହିତ ଏହାକୁ ନେଇ ଗତ ବର୍ଷ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଏନେଇ ବାସନ୍ତୀ ନିଜ ସ୍ବାମୀ ଗଣେଶଙ୍କ ବିରୁଦ୍ଧରେ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଉକ୍ତ ମାମଲାରେ ଗଣେଶ ଥାନାରୁ ଲିଖିତ ପ୍ରତିଶ୍ରୁତି ଦେବା ସହ ଧାରା-୪୧ରେ ଜାମିନରେ ଆସିଥିଲେ । ଏହାପରେ ଉଭୟ ଗତ କିଛି ମାସ ହେଲା ପୁଣି ଏକାଠି ଗଣେଶଙ୍କ ଘରେ ମିଳିତ ରହୁଥିଲେ । ବିଭିନ୍ନ ସମୟରେ ଗଣେଶ ଅଭିଯୋଗକୁ ଫେରାଇ ନେବା ପାଇଁ ବାସନ୍ତୀଙ୍କ ଉପରେ ଚାପ ପକାଇବା ସହ ତାଙ୍କୁ ଓ ଦୁଇ ବର୍ଷର ଝିଅକୁ ଜୀବନରୁ ମାରିଦେବାକୁ ଧମକ ଦେଇ କୁଆଡେ ଆସୁଥିଲେ।
ଗତ ଅକ୍ଟୋବର ମାସ ୭ ତାରିଖ ଭୋର ସକାଳ ୫ଟା ସମୟରେ ନିଜ ଘରେ ଥାଇ ଗଣେଶ ବହୁ ଜୋରରେ ପାଟି କରିବାରୁ ସମସ୍ତ ସାହି ବାସିନ୍ଦା ଘର ସମ୍ମୁଖରେ ଏକାଠି ହୋଇଥିଲେ । ଏହି ସମୟରେ ବାସନ୍ତୀଙ୍କ ବାପା ଖଲି ପାତ୍ର ଘର ଭିତରକୁ ଯାଇ ଦେଖିବା ସମୟରେ ଗଣେଶ ହାତରେ ବାଡ଼ିଟିଏ ଧରି ଗୋଟିଏ ବିଷଧର ନାଗ ସାପକୁ ବାଡଉଛି ଏବଂ ନିକଟରେ ଝିଅ ଓ ନାତୁଣୀ ଶୋଇ ରହିଛନ୍ତି । ସଙ୍ଗେ ସଙ୍ଗେ ସେମାନେ ୧୦୮ ଆମ୍ବୁଲାନ୍ସ ଜରିଆରେ ଉଭୟଙ୍କୁ ଚିକିତ୍ସା ପାଇଁ ହିଞ୍ଜିଳିକାଟୁ ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିବା ସହ ପୋଲିସକୁ ଖବର ଦେଇଥିଲେ । ପୋଲିସ ସେଠାରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରିଥିଲା ।
ଘଟଣାର 5 ଦିନ ପରେ ରୁଜୁ ହୋଇଥିଲା ମାମଲା:- ସାପ କାମୁଡ଼ାରେ ମାଆ ଓ ଝିଅଙ୍କ ମୃତ୍ୟୁ ଘଟିବା ଘଟଣାକୁ ନେଇ ପ୍ରଥମେ ଅପମୃତ୍ୟୁ ଏବଂ ପରେ ରୁଜୁ ହୋଇଥିଲା ହତ୍ୟା ମାମଲା । ମୃତ ମହିଳାଙ୍କ ପରିବାର ବର୍ଗଙ୍କ ମଧ୍ୟରେ ସନ୍ଦେହ ହେବାରୁ ଘଟଣାର ୫ ଦିନ ପରେ ୧୨ ତାରିଖ ଦିନ ମୃତକଙ୍କ ବାପା ଖଲି ପାତ୍ର ନିଜ ଝିଅ ଓ ନାତୁଣୀକୁ ହତ୍ୟା କରାଯାଇଥିବା ନେଇ ଥାନାରେ ଅଭିଯୋଗ କରିଥିଲେ । ଏହାପରେ ପୋଲିସ ୬୧୫/୨୩ ରେ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ ସମୟରେ ଅଭିଯୁକ୍ତ ଜଣକ ପୋଲସରା ଥାନା ଅନ୍ତର୍ଗତ ମୂକ୍ତାମାଳ ଦେଇପୁରଶାସନରୁ ଜଣେ ସର୍ପ ଧରାଳୀ ଠାରୁ ସାପ ଆଣି ନିଜେ ପତ୍ନୀ ଓ ୨ ବର୍ଷର ଶିଶୁ କନ୍ୟାକୁ କାମୁଡେଇ ମାରିଥିବା ସ୍ବୀକାର କରିଥିଲା ।
ଏହା ବି ପଢନ୍ତୁ- ଶୋଇଥିବା ସମୟରେ ଚୋଟ ମାରିଲା ସାପ, ଆଖି ବୁଜିଲା ନାବାଳକ