ଭଞ୍ଜନଗର:ରୋଜଗାର ଯୋଗାଇଛି କାଠ ସାମଗ୍ରୀ । ବିଭିନ୍ନ କାଠରୁ ଗୃହ ଉପଯୋଗୀ ସାମଗ୍ରୀ ତିଆରି କରି ସ୍ବାବଲମ୍ବୀ ହୋଇଛନ୍ତି ମହିଳା । ଖଣିଜ ସମ୍ପଦରେ ଭରପୂର ଆମ ରାଜ୍ୟ କିନ୍ତୁ କିଛି କାଠ ମାଫିଆଙ୍କ ପାଇଁ ଏହି ପ୍ରାକୃତିକ ସମ୍ପଦ ହରାଇବାରେ ଲାଗିଲାଣି ।
କାଠମାଫିଆଙ୍କ ପ୍ରାଦୁର୍ଭାବରେ ଦିନକୁ ଦିନ ଜଙ୍ଗଲ ସଙ୍କୁଚିତ ହେବାରେ ଲାଗିଛି । ଯେଉଁଥିପାଇଁ ବନବିଭାଗ ଗଞ୍ଜାମ ଜିଲ୍ଲା ଦକ୍ଷିଣ ଘୁମୁସର ସୋରଡା ବନାଞ୍ଚଳରେ ଜଙ୍ଗଲ ସୁରକ୍ଷା ନିମନ୍ତେ ଏକ ନୂଆ ବାଟ ଆପଣେଇଛି । କାଠ ଚୋରିକୁ ରୋକିବା ପାଇଁ ବନବିଭାଗ ପ୍ରତି ଗ୍ରାମକୁ ଯାଇ ଲୋକଙ୍କୁ ସଚେତନ କରାଇବା ସହ ମହିଳା ମାନଙ୍କୁ ନେଇ ବନ ସୁରକ୍ଷା ସମିତି ଗଠନ କରାଇଛି ।
ସୋରଡା ବ୍ଲକର ସୋରଡା ବନାଞ୍ଚଳ, ବଡଗଡ ବନାଞ୍ଚଳ ଅଧୀନରେ ୪୦ ଗୋଟି ବନ ସୁରକ୍ଷା ସମିତି ମାଧ୍ୟମରେ ଏକ ହଜାରରୁ ଉର୍ଦ୍ଧ୍ବ ମହିଳା ଏଥିରେ ନିୟୋଜିତ ହୋଇଛନ୍ତି । ପ୍ରତିବର୍ଷ ତିନି ଲକ୍ଷରୁ ଉର୍ଦ୍ଧ୍ବ ଗଛ ଲଗାଯାଇ ଜଙ୍ଗଲ ସୃଷ୍ଟି କରାଯାଉଛି । ବର୍ତ୍ତମାନ ଜଙ୍ଗଲରେ ସାଗୁଆନ, ଶାଳ, ପିଆଶାଳ, ଶିଶୁଆ, ହଲନ୍ଦ, କାଠ ସହିତ ଚନ୍ଦନ, ରକ୍ତ ଚନ୍ଦନ, ଏବଂ ବିଭିନ୍ନ ଔଷଧୀୟ ବୃକ୍ଷ ଲଗାଯାଇଛି । ଜଙ୍ଗଲ ବଢିବା ସହିତ ସବୁଜ ଜଙ୍ଗଲ ସୃଷ୍ଟି ହୋଇଛି । ପୂର୍ବ ଭଳି ବନ କର୍ମଚାରୀଙ୍କୁ ମଧ୍ୟ ଜଙ୍ଗଲ ସୁରକ୍ଷା ପାଇଁ ଆଉ କଷ୍ଟ କରିବାକୁ ପଡୁନାହିଁ ।