ବ୍ରହ୍ମପୁର:OSRTC ବସ୍ରେ ଯାଞ୍ଚ ବେଳେ ଧରାପଡିଲା ଗଞ୍ଜେଇ ସହ ସୁନା ବିସ୍କୁଟ । ଗତକାଲି ବ୍ରହ୍ମପୁର ସହରର ଗୋପାଳପୁର ଜଙ୍କସନ ଠାରେ ଗଞ୍ଜେଇ ଚୋରା ଚାଲାଣ ଧରିବାକୁ ଯାଞ୍ଚ ଚାଲିଥିବା ସମୟରେ ଅବକାରୀ ଗୁଇନ୍ଦା ବିଭାଗର ଟିମ୍ ଏକ ବସ୍ ମଧ୍ୟରୁ ୫ ଲକ୍ଷ ମୂଲ୍ୟର ୫୭ କେଜିରୁ ଅଧିକ ଗଞ୍ଜେଇ ୩୦୯ ଗ୍ରାମ ସୁନା ବିସ୍କୁଟ ଏବଂ ୫୦ ଗ୍ରାମ ସୁନା ଅଳଙ୍କାର ଜବତ କରିଛି । ଏହି ଘଟଣାରେ ୫ ଜଣଙ୍କୁ ଗିରଫ କରାଯାଇଛି ।
OSRTC ବସ୍ରୁ ଗଞ୍ଜେଇ ସହ ସୁନା ବିସ୍କୁଟ ଜବତ ମିଳିଥିବା ସୂଚନା ଅନୁଯାୟୀ, OSRTC ବସ୍ ଯୋଗେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ନେଇ ଅବକାରୀ ବିଭାଗକୁ ଖବର ମିଳିଥିଲା । ଏହାପରେ ଅବକାରୀ ଅଧିକାରୀ ହୃଦୟ ଚନ୍ଦ୍ର ସାମନ୍ତଙ୍କ ନେତୃତ୍ୱରେ ଏକ ଟିମ ସ୍ଥାନୀୟ ଗୋପାଳପୁର ଜଙ୍କସନ ଠାରେ ଜଗି ରହିଥିଲେ । ଏହି ସମୟରେ ଉକ୍ତ ରାସ୍ତା ଦେଇ କଟକ ଯାଉଥିବା ଏକ OSRTC ବସକୁ ଯାଞ୍ଚ କରାଯାଇଥିଲା । ଯାହାଫଳର ବସ୍ ମଧ୍ୟରୁ ପାଞ୍ଚ ଜଣ ବ୍ୟକ୍ତି ୫୭ କେଜିରୁ ଊର୍ଦ୍ଧ୍ବ ପରିମାଣର ଗଞ୍ଜେଇ ଧରି ଯାଉଥିବା ବେଳେ ସେମାନଙ୍କୁ ଗିରଫ କରାଯାଇଥିଲା ।
ସେହିପରି ଉକ୍ତ ବସରେ କଟକର ମହାଦେବ ଅଲୁ (୪୪) ନାମକ ଜଣେ ବ୍ୟକ୍ତି ପାଖାପାଖି ୩୦୯ ଗ୍ରାମ ସୁନା ବିସ୍କୁଟ ଏବଂ ୫୦ ଗ୍ରାମ ସୁନା ଅଳଙ୍କାର ଯାଉଥିବା ବେଳେ ଧରାପଡିଥିଲେ । ଅବକାରୀ ଅଧିକାରୀ ତାଙ୍କୁ ସୁନା କେଉଁଠାରୁ ଆଣିଲେ ଏବଂ କେଉଁ ସ୍ଥାନକୁ ନେଇ ଯାଉଥିଲେ ତାହାର ତଥ୍ୟ ମାଗିଥିଲେ । କିନ୍ତୁ ବ୍ୟକ୍ତି ଜଣଙ୍କ ସୁନାର କୌଣସି ସଠିକ ତଥ୍ୟ ଦେଇ ପାରି ନଥିଲେ । ଉକ୍ତ ବ୍ୟକ୍ତିଙ୍କ ସମେତ ଜବତ ୩୫୯ ଗ୍ରାମ ସୁନାକୁ ଅବକାରୀ ଗୁଇନ୍ଦା ବିଭାଗ ଗୋପାଳପୁର ପୋଲିସକୁ ହସ୍ତାନ୍ତର କରିଛି ।
ସେହିପରି ଜବତ ହୋଇଥିବା ୫୭ କିଲୋଗ୍ରାମ ଗଞ୍ଜେଇ ମାମଲାରେ ଗଜପତି ଜିଲ୍ଲାର ମୋହନା ଅଞ୍ଚଳର ଚିଦାନନ୍ଦ ବିରୋ ଓ ଚିତ୍ତରଞ୍ଜନ ଶତ୍ରୁସଲ୍ୟ, ଗଜପତି ଜିଲ୍ଲାର ଅଡଭା ଅଞ୍ଚଳର ଲାଲୁ ନାୟକ, କଟକ ଚାଉଲିଆଗଞ୍ଜ ଥାନା ଅଞ୍ଚଳର ଦେବେନ୍ଦ୍ର ସାହୁ ଏବଂ ବିହାର ରାଜ୍ୟର ମୁଲ୍କି ଶାହାକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଅବକାରୀ ଉପାୟୁକ୍ତ ଅଶୋକ ଶତପଥି ସୂଚନା ଦେଇଛନ୍ତି । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୫ ଲକ୍ଷରୁ ଊର୍ଦ୍ଧ୍ବ ହେବ ବୋଲି ଆକଳନ କରାଯାଇଥିବା ବେଳେ ଜବତ ସୁନାର ଆନୁମାନିକ ମୂଲ୍ୟ ୧୫ ଲକ୍ଷ ଟଙ୍କା ହେବ ବୋଲି କୁହାଯାଇଛି ।
ଇଟିଭି ଭାରତ, ବ୍ରହ୍ମପୁର