ଭଞ୍ଜନଗର: ଧାରକରଜ କରି ଏକମାତ୍ର ଝିଅ ଖୁସିର ବାହାଘର କରିଥିଲେ । ଆଶା ଥିଲା ଝିଅ ହସଖୁସିରେ ଗଢିବ ସୁନା ସଂସାର । ହେଲେ ପୁଅ ଘର ସେମାନଙ୍କୁ ଅନ୍ଧାରରେ ରଖିଥିବା ଜାଣିପାରିନଥିଲେ । ପ୍ରଥମ ପତ୍ନୀ ଥାଉ ଥାଉ ପୁଅ କରିଥିଲା ଦ୍ବିତୀୟ ବିବାହ । ଆଉ ଯୌତୁକ ଆକାରରେ ନେଇଥିଲା ନଗଦ ଟଙ୍କା ଓ ସୁନା । ଚତୁର୍ଥୀ ରାତି ପରେ ହିଁ ଝିଅ ଉପରେ ଆରମ୍ଭ ହୋଇଗଲା ଅତ୍ୟାଚାର । ପୋଲିସରେ ଅଭିଯୋଗ ପରେ ଝିଅ ଉଦ୍ଧାର ହୋଇଛି । ମାତ୍ର ଏପର୍ଯ୍ୟନ୍ତ ମିଳିଲାନି ଯୌତୁକ ବାବଦ ଟଙ୍କା ।
ଏହା ହେଉଛି ଗଞ୍ଜାମ ଭଞ୍ଜନଗରର ସଦାନନ୍ଦ ତ୍ରିପାଠୀଙ୍କ ଝିଅ ସ୍ଵାଗତିକାଙ୍କ କାହାଣୀ । ବଡଗଡ ଥାନା ଅନ୍ତର୍ଗତ ଜଗନ୍ନାଥପୁର ଶାସନ ଗ୍ରାମରେ ବସବାସ କରନ୍ତି ସଦାନନ୍ଦ । ତାଙ୍କ ଝିଅ ସ୍ଵାଗତିକା ସହିତ ମାନସ ରଞ୍ଜନ ଦାଶଙ୍କ ବିବାହ ଗତବର୍ଷ ଏପ୍ରିଲରେ ହୋଇଥିଲା । କବିସୂର୍ଯ୍ୟନଗର ବୃନ୍ଦାବନଚନ୍ଦ୍ରପୁର ଶାସନ ଗ୍ରାମର ବାଲ୍ମୀକ ଦାଶଙ୍କ ପୁଅ ମାନସ । ବିବାହ ସମୟରେ ପୁଅ ଘର ଦାବି ମୁତାବକ 18 ଭରି ସୁନା ସହ ନଗଦ 4 ଲକ୍ଷ ଟଙ୍କାର ଆସବାବପତ୍ର ଯୌତୁକ ଆକାରରେ ଦିଆଯାଇଥିଲା । ଜଣେ ସାଧାରଣ ଶିକ୍ଷକ ହୋଇଥିଲେ ମଧ୍ୟ ଏକମାତ୍ର ଝିଅର ଖୁସି ଯୋଗୁଁ ସଦାନନ୍ଦ ଧାରକରଜ କରି ବାହାଘର କରିଥିଲେ ।
ହେଲେ ସେ ଜାଣିନଥିଲେ ଯେ ଝିଅ ଭାଗ୍ୟରେ ଖୁସି ବଦଳରେ ଦୁଃଖ ଭରି ରହିଛି । ବାହାଘରର ଚଉଠି ରାତିରେ ହିଁ ସ୍ଵାଗତିକାର ସୁନାର ସଂସାର ଭାଙ୍ଗି ଚୁରମାର ହୋଇଯାଇଥିଲା । ପ୍ରଥମ ରାତିରେ ହିଁ ସ୍ଵାଗତିକାକୁ ଲାଗିଥିଲା ଜୋରଦାର ଝଟକା । ଯେତେବେଳେ ସେ ଜାଣିଲେ ଯେ ମାନସ ପୂର୍ବରୁ ବିବାହିତ । ଏନେଇ ନିଜେ ମାନସ ହିଁ ତାଙ୍କୁ କହିଥିଲେ । ସେ ଆଗରୁ ବାହା ହୋଇଛନ୍ତି ଏବଂ ତାଙ୍କର ଗୋଟିଏ ଝିଅ ଅଛି ।
ଏପରିକି ଏକଥା ତାଙ୍କ ବାପା ଓ ମାଆ ସମସ୍ତେ ଜାଣିଥିବା ସେ କହିଥିଲେ । ତାଙ୍କ ଠାରୁ କିଛି ଆଶା ନ ରଖିବାକୁ ସେ ସ୍ବାଗତିକାଙ୍କୁ କହିବା ସହ ତାଙ୍କ ପ୍ରଥମ ସ୍ତ୍ରୀ ଘରେ ରହିବ ବୋଲି କହିଥିଲେ । ତେବେ ସ୍ଵାଗତିକା ଏହାର ପ୍ରତିବାଦ କରିବାରୁ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ଆରମ୍ଭ ହୋଇଥିଲା । ଏହାପରେ ମାନସ ଘର ଛାଡି ଅନ୍ୟତ୍ର ଚାଲିଯାଇଥିଲେ । ଏହାପରଠାରୁ ସ୍ବାଗତିକାଙ୍କ ଉପରେ ଆରମ୍ଭ ହୋଇଥିଲା ଅତ୍ୟାଚାର । ମାନସ ଚିଲିକା ସ୍ଥିତ ନାଭାଲରେ ଚାକିରୀ କରୁଥିବାରୁ ଛୁଟି ପରେ ସେଠାକୁ ପଳାଇଥିଲେ ।