ବ୍ରହ୍ମପୁର: ଶିକ୍ଷକ ଚାକିରୀ ପାଇବା ପାଇଁ ନକଲି ସାର୍ଟିଫିକେଟ୍ ଦେବା ମହଙ୍ଗା ପଡିଛି ଗଞ୍ଜାମ ଜିଲ୍ଲାର ଚାରି ଜଣ ଶିକ୍ଷକଙ୍କୁ । ଏଭଳି ଏକ ଗୁରୁତ୍ବପୂର୍ଣ୍ଣ ଘଟଣା ଜଣାପଡିବା ପରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେଙ୍କ ନିର୍ଦ୍ଦେଶ କ୍ରମେ ଚାରି ଶିକ୍ଷକଙ୍କୁ ଚାକିରୀରୁ ବହିଷ୍କାର କରାଯିବା ସହ ଥାନାରେ ଏତଲା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ନିଯୁକ୍ତି ବେଳେ ଶିକ୍ଷାଗତ ଯୋଗ୍ୟତାର ନକଲି ସାର୍ଟିଫିକେଟ୍ ଦେଇଥିବା ଏହି ସମସ୍ତ ଶିକ୍ଷକ ଗଞ୍ଜାମ ଜିଲ୍ଲାର ଧରାକୋଟ ବ୍ଲକର ବିଭିନ୍ନ ବିଦ୍ୟାଳୟରେ ଶିକ୍ଷକତା କରୁଥିଲେ। ମୁଖ୍ୟତଃ ମିଥ୍ୟା ସାର୍ଟିଫିକେଟ୍ ଦେଇଥିବା ଅଭିଯୋଗ ଆସିବା ପରେ ଜିଲ୍ଲା ଶିକ୍ଷାଧିକାରୀ ଏବଂ ବ୍ଳକ ଶିକ୍ଷାଧିକାରୀ ମିଳିତ ଭାବରେ ଯାଞ୍ଚ କରିଥିଲେ । ପରେ ଏହା ନକଲି ବୋଲି ଜଣାପଡିଥିଲା ।
ଅପରପକ୍ଷେ ଘଟଣାକୁ ଜିଲ୍ଲାପାଳ ଗୁରୁତର ସହ ନେବା ସହ ଏହି ଶିକ୍ଷକଙ୍କୁ ବହିଷ୍କାର କରିବା ସହ ସେମାନଙ୍କ ବିରୋଧରେ ଥାନାରେ ଏତଲା ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ବହିଷ୍କାର ହୋଇଥିବା ଶିକ୍ଷକ ମାନେ ହେଲେ ଧରାକୋଟ ବ୍ଲକର ନୂଆଁସାହି ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ସନ୍ତୋଷ କୁମାର ନାହକ, ବରଡ଼ବିଲି ୟୁ.ଜି.ଏଚ୍.ଏସ୍ ବିଦ୍ୟାଳୟର କନିଷ୍ଠ ଶିକ୍ଷୟିତ୍ରୀ ପ୍ରଜ୍ଞା କୁମାରୀ ଗୌଡ଼, ତନର୍ଜିପଲ୍ଲୀ ପ୍ରାଥମିକ ବିଦ୍ୟାଳୟର କନିଷ୍ଠ ଶିକ୍ଷକ ଅମରେଶ ଚନ୍ଦ୍ର ପଣ୍ଡା ଏବଂ ଝିଲିମିଲି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର କନିଷ୍ଠ ଶିକ୍ଷକ ନାରାୟଣ ବେହେରା ।