ବ୍ରହ୍ମପୁର:ପରିଚୟ ପାଇବ ଅଘୋରୀ ମଠ । ଇଟିଭି ଭାରତରେ ଖବର ପ୍ରସାରଣ ପରେ ପଡିଲା ପ୍ରଭାବ । ବିଭିନ୍ନ ମହଲରୁ ଦାବି ପରେ ଅଘୋରୀ ମଠର ପୁନରୁଦ୍ଧାର ପାଇଁ ଆସିଲା ସରକାରୀ ଅନୁଦାନ । ଏବେ ମନ୍ଦିରର ଉନ୍ନତିକରଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିବା ବେଳେ ବିକାଶ କାର୍ଯ୍ୟ ଆରମ୍ଭ ହେବ ବୋଲି ଜଣାପଡ଼ିଛି । ୩୦୦ ବର୍ଷର ପୁରାତନ ଏହି ମନ୍ଦିରରେ ପୂଜା ପାଆନ୍ତି ଚତୁର୍ଦ୍ଧାମୂର୍ତ୍ତି । ଏଠାରେ କେବଳ ଗୋଟିଏ ବେଳା ମହାପ୍ରଭୁ ପୂଜା ପାଉଥିଲେ । ହେଲେ ଏବେ ମହାପ୍ରଭୁଙ୍କୁ ଏକ ଅସ୍ଥାୟୀ ମନ୍ଦିରକୁ ଆଣି ପୂଜାର୍ଚ୍ଚନା କରାଯିବ ବୋଲି ନିଷ୍ପତ୍ତି ହୋଇଛି ।
ଭୋକରେ ରହୁଥିଲେ ମହାପ୍ରଭୁ, ଜଣାଇଥିଲୁ ଆମେ: ୩୦୦ ବର୍ଷର ପୁରାତନ ଅଘୋରୀ ମଠ ବିକାଶ ଆଢୁଆଳରେ ରହିଯାଇଥିବା ଏବଂ ବ୍ରହ୍ମପୁର ସହର ଉପକଣ୍ଠ ସୁକୁଣ୍ଡା ଅଞ୍ଚଳର ପାହାଡଘେରା ମଧ୍ୟରେ ରହିଥିବା ଏହି ମଠରେ ଗୋଟିଏ ବେଳା ମହାପ୍ରଭୁଙ୍କ ଭୋଗ ହେବା ସହ ରାତ୍ର ସମୟରେ ଶ୍ରୀଜିଉ ଭୋକରେ ରହୁଥିବା ଖବର ପ୍ରଥମେ ଇଟିଭି ଭାରତରେ ପ୍ରସାରଣ ପରେ ଏହାକୁ ନେଇ ବିଭିନ୍ନ ମହଲରେ ଦେଖିବାକୁ ମିଳିଥିଲା ତତ୍ପରତା । ଏହି ପୁରାତନ ମଠର ବିକାଶ ପାଇଁ ବ୍ରହ୍ମପୁର ସହରର ବରିଷ୍ଠ ନାଗରିକଙ୍କ ସମେତ ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷ ଏକତ୍ରିତ ହୋଇ ମଠର ବିକାଶ ପାଇଁ ଏକ କମିଟି ଗଠନ କରି ସ୍ଥାନୀୟ ପ୍ରଶାସନ ଏବଂ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।
ଏହା ବି ପଢନ୍ତୁ- ଖବର ବାଜିଲା ପ୍ରଭାବ ପଡ଼ିଲା: ବିକାଶ ଦେଖିବ ଅଘୋରୀ ମଠ, ଅଣ୍ଟା ଭିଡିଲେ ଗ୍ରାମବାସୀ
ବାଜିଲା ଖବର ପଡିଲା ପ୍ରଭାବ: ଆଉ ଶେଷରେ ସରକାରଙ୍କ ପକ୍ଷରୁ ଏହି ମଠର ଉନ୍ନତି ପାଇଁ ଅନୁଦାନ ଆସିବା ସହିତ ଏହାର ଉନ୍ନତିକରଣ ପାଇଁ ଶେଷରେ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁଦାନ ଆସି ପହଞ୍ଚିଥିବା ବେଳେ ଏଥିରେ ମଠର ଚତୁର୍ଦ୍ଧାମୂର୍ତ୍ତିକୁ ଆଣି ଅସ୍ଥାୟୀ ମନ୍ଦିରରେ ରଖି ପୂଜାର୍ଚ୍ଚନା କରାଯିବାକୁ ସ୍ଥିର କରାଯାଇଛି । ଏପରିକି ପ୍ରାକୃତିକ ପରିବେଶ ମଧ୍ୟରେ ରହିଥିବା ଏହି ମଠକୁ ସମ୍ପୂର୍ଣ୍ଣ ଭାବରେ ପୁନଃରୁଦ୍ଧାର କରାଯାଇ ଏହାକୁ ଯେପରି ଜିଲ୍ଲାର ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳର ମାନ୍ୟତା ପ୍ରଦାନ କରାଯିବ ସେ ନେଇ ଉଦ୍ୟମ କରାଯିବ ବୋଲି କୁହାଯାଇଛି ।