ବ୍ରହ୍ମପୁର: ଦେଶରେ ଅନେକ ଲୋକ ରକ୍ତ ଅଭାବରୁ ପ୍ରାଣ ହରାଉଛନ୍ତି । ବିଶେଷକରି କୋଭିଡ ମହାମାରୀ ସମୟରେ ଯେପରି ପ୍ଲାଜମା ଅଭାବ ଦେଖାଦେଇଥିଲା ତାହା ସମସ୍ତଙ୍କୁ ଜଣା । ଠିକ୍ ସମୟରେ ପ୍ଲାଜମା ନମିଳିବା ନେଇ ଅନେକ ରୋଗୀଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଥିଲା । ତେଣୁ ଯେପରି ରକ୍ତ ଅଭାବରୁ କାହାର ମୃତ୍ୟୁ ନହୁଏ ସେନେଇ ସମସ୍ତଙ୍କୁ ରକ୍ତଦାନ ଭଳି ମହତ୍ କାର୍ଯ୍ୟରେ ସାମିଲ ହେବାକୁ ଆହ୍ବାନ ଦେଇ ସଚେତନତାର ବାର୍ତ୍ତା ବାଣ୍ଟୁଛନ୍ତି ଦିଲ୍ଲୀ ଯୁବକ କିରଣ ବର୍ମା । ଚାଲିଚାଲି ଲୋକଙ୍କୁ ରକ୍ତଦାନ ପାଇଁ ସଚେତନ କରୁଛନ୍ତି ଏହି ଯୁବକ । ସେ ୨୧ ହଜାର କିଲୋମିଟର ପଦଯାତ୍ରା କରି ସାରା ଦେଶରେ ଏହି ବାର୍ତ୍ତା ବାଣ୍ଟିବାକୁ ଲକ୍ଷ୍ୟ ରଖିଛନ୍ତି । କିରଣ ବର୍ଷକ ତଳେ କେରଳଠାରୁ ଏହି ଯାତ୍ରା ଆରମ୍ଭ କରିଥିବା ବେଳେ ଏଯାବତ୍ ୧୧ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ପରିକ୍ରମା କରି ଏବେ ଓଡ଼ିଶାର ବ୍ରହ୍ମପୁରରେ ପହଞ୍ଚିଛନ୍ତି ।
୨୦୨୧ ଡିସେମ୍ବର ୨୮ ତାରିଖରେ ଦିଲ୍ଲୀ ନିବାସୀ କିରଣ ବର୍ମା ରକ୍ତଦାନ ସମ୍ପର୍କରେ ସମାଜରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ କେଳର ଥିରୁଅନନ୍ତପୁରମଠାରୁ ପଦଯାତ୍ରା ଆରମ୍ଭ କରିଥିଲେ । ଇତିମଧ୍ୟରେ ସେ ତାମିଲନାଡୁ, କର୍ଣ୍ଣାଟକ, ଗୋଆ, ମହାରାଷ୍ଟ, ପଣ୍ଡିଚେରୀ, ଦାଦ୍ରାନଗର, ଡାମନଡିୟୁ , ଗୁଜୁରାଟ, ତେଲେଙ୍ଗାନା ଓ ଆନ୍ଧ୍ରପ୍ରଦେଶ ଯାତ୍ରା କରିସାରିଲେଣି । ଏବେ ସେ ବ୍ରହ୍ମପୁରରେ ପହଞ୍ଚି ନିଜର ଅନୁଭୂତି ବର୍ଣ୍ଣନା କରିଛନ୍ତି । ଯୁବକ କହିଛନ୍ତି, "ଦେଶରେ କୋଭିଡ ସମୟରେ ପ୍ଲାଜମା ସଙ୍କଟ ସୃଷ୍ଟି ହୋଇଥିଲା । ଏହି କାରଣରୁ ଅନେକ ଲୋକଙ୍କ ଜୀବନ ଯାଇଥିଲା । ଦୈନିକ ୧୨ ହଜାର ଲୋକ ରକ୍ତଭାବ ଏବଂ ତତ୍ ସମ୍ବନ୍ଧୀୟ କାରଣରୁ ପ୍ରାଣ ହରାଉଛନ୍ତି । ତେଣୁ ଯେପରି ରକ୍ତ ଅଭାବରୁ କାହାର ମୃତ୍ୟୁ ନହୁଏ ସେଥିପାଇଁ ରକ୍ତଦାନ କରିବାକୁ ସମସ୍ତେ ଆଗେଇ ଆସିବା ଆବଶ୍ୟକ ।"