ବ୍ରହ୍ମପୁର: କୋଭିଡ୍ ଯୋଦ୍ଧା ଗଣମାଧ୍ୟମ ପ୍ରତିନିଧିଙ୍କୁ ହରାଇ ଚିନ୍ତାରେ ଥିବା ପରିବାରଙ୍କୁ ସହାୟତା ପ୍ରଦାନ କରିଛନ୍ତି ରାଜ୍ୟ ସରକାର । ପ୍ରତି ପରିବାରକୁ ୧୫ ଲକ୍ଷ ଲେଖାଏଁ ଅନୁକମ୍ପା ରାଶି ପ୍ରଦାନ କରାଯାଇଛି । ଏହି କ୍ରମରେ ଗଞ୍ଜାମର ୭ ଜଣ ପ୍ରତିନିଧିଙ୍କୁ ସହାୟତାର ପ୍ରଦାନ କରାଯାଇଛି ।
ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ଅଞ୍ଚଳର ସମାଜ ଖବରକାଗଜର ସାମ୍ବାଦିକ ସ୍ବର୍ଗତ ନୀଳୟ ରଞ୍ଜନ ପଟ୍ଟନାୟକ । କୋଭିଡ୍ -୧୯ ମହାମାରୀ ସମୟରେ ଏହି ପରିବାରର ମୁଖିଆ ଜଣେ ଆଗଧାଡିର କୋଭିଡ୍ ଯୋଦ୍ଧା ଗଣମାଧ୍ୟମ ପ୍ରତିନିଧି ଭାବରେ କାର୍ଯ୍ୟ ସମ୍ପାଦନା କରୁ କରୁ ପ୍ରାଣ ହରାଇଥିଲେ । କେବଳ ନୀଳୟଙ୍କର ଯେ, ମୃତ୍ୟୁ ଘଟିଛି ତା ନୁହେଁ, ପୂର୍ବରୁ ତାଙ୍କ ଭାଇ ପ୍ରିୟଦର୍ଶୀ ପଟ୍ଟନାୟକ ଯିଏକି ରାଜ୍ୟର ପ୍ରଥମ ଗଣମାଧ୍ୟମ ପ୍ରତିନିଧି ଭାବରେ କୋଭିଡ ସମୟରେ ପ୍ରାଣ ହରାଇଛନ୍ତି । ଏଣୁ ପରିବାରର ଦୁଇ ଦୁଇ ଜଣଙ୍କୁ ହରାଇବା କଥା କହିବା ବେଳକୁ ନୀଳୟଙ୍କ ପତ୍ନୀଙ୍କ ଆଖିରୁ ଝରିଆସୁଛି ଅସୁମାରି ଲୁହ ।
କୋଭିଡ ଯୋଦ୍ଧାଙ୍କୁ ସହାୟତା ରାଶି ପ୍ରଦାନ, ସମ୍ପର୍କୀୟଙ୍କୁ ମନେ ପକାଇ ଭାବବିହ୍ବଳ ହେଲେ ପରିବାର ଅତ୍ୟନ୍ତ ଦୁଃଖରେ ରହିଥିବା ପରିବାରକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଓଡିଶା କାର୍ଯ୍ୟରତ ସାମ୍ବାଦିକ କଲ୍ୟାଣ ପାଣ୍ଠିରୁ ପ୍ରଦାନ କରାଯାଇଛି ୧୫ ଲକ୍ଷ ଟଙ୍କାର ସହାୟତା ରାଶି । ଯାହାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଜିଲ୍ଲା ପ୍ରଶାସନକୁ ଧନ୍ୟବାଦ ଜଣାଇଛନ୍ତି ପରିବାର ବର୍ଗ । ସେହିପରି କୋରୋନାର ଦୁଇଟି ଲହରରେ ପ୍ରାଣ ହରାଇଥିବା ଗଞ୍ଜାମ ଜିଲ୍ଲାର ସାମ୍ବାଦିକଙ୍କ ମଧ୍ୟରୁ ୭ ଜଣ ପରିବାରକୁ ଯୋଗାଇ ଦିଆଯାଇଛି ସରକାରଙ୍କ ସହାୟତା । ଏଭଳି ସମୟରେ ପ୍ରତ୍ୟେକ ପରିବାର ବର୍ଗ ଝୁରିଥିଲେ କୋଭିଡ ସମୟରେ କାର୍ଯ୍ଯ ସମ୍ପାଦନା କରି ଜୀବନ ହରାଇଥିବା ପରିବାରର ସେହି ଯୋଦ୍ଧାଙ୍କୁ ।
ରାଜ୍ୟ ସରକାରଙ୍କ ପକ୍ଷରୁ ଆସିଥିବା ଅନୁଦାନକୁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଚେକ୍ ସହ ସହାୟତା ରାଶି ପ୍ରଦାନ କରିବା ଅବସରରେ ପ୍ରତ୍ୟେକ ପରିବାରର ସଦସ୍ୟ ଏବଂ ସ୍ବର୍ଗତ ସାମ୍ବାଦିକଙ୍କ ପିଲାମାନଙ୍କ ବିଷୟରେ ପଚାରି ବୁଝିଥିଲେ ।
କୋଭିଡ୍ ସମୟରେ ଲୋକଙ୍କ ନିକଟରେ ସରକାରଙ୍କ ବିଭିନ୍ନ ବାର୍ତ୍ତାକୁ ପହଞ୍ଚାଇବାରେ ସାମ୍ବାଦିକଙ୍କ ଭୂମିକାକୁ ନେଇ ପ୍ରଶଂସା ମଧ୍ୟ କରିଛନ୍ତି ଜିଲ୍ଲାପାଳ ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ