ବ୍ରହ୍ମପୁର: ମରିଗଲା ମାନବିକତା । କୋରୋନା ଯୋଦ୍ଧାଙ୍କ ମୃତଦେହକୁ ପୁଣି ଅସମ୍ମାନ । କେହି ନଆସିବାରୁ ଘଣ୍ଟା ଘଣ୍ଟା ଧରି ମେଡିକାଲ ବାହାରେ ପଡି ରହିଲା ପୋଲିସ ଏଏସଆଇଙ୍କ ମୃତଦେହ । ପୁଣି ଏମିତି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅଞ୍ଚଳରେ ।
ଯେଉଁ କୋରୋନା ଯୋଦ୍ଧା ନିଜ ଜୀବନକୁ ପଛ କରି ସାଧାରଣ ଲୋକଙ୍କ ପାଇଁ ଲଢୁଥିଲେ, ଆଜି ତାଙ୍କୁ ମିଳିନି ଚାରି କାନ୍ଧ । ଏପରିକି କୋରୋନା ଭୟରେ ଧର୍ମପତ୍ନୀ ସମେତ ନିଜର ପୁଅ ବି ଏହାକୁ ଛୁଇଁ ନଥିବା ଦେଖିବାକୁ ମିଳିଛି l ସେପଟେ ଅତି ଦୟନୀୟ ଅବସ୍ଥାରେ କୋଦଳା ମେଡିକାଲ ପରିସରରେ ପଡି ରହିଥିଲା ମୃତଦେହ l
ଗଞ୍ଜାମ ଜିଲ୍ଲାର ଭଞ୍ଜନଗର କୋର୍ଟରେ କାର୍ଯ୍ୟରତ ଥିଲେ ଏଏସଆଇ ରବୀନ୍ଦ୍ରନାଥ ବେହେରା । ଦୀର୍ଘ ଦିନ ଧରି ବେଗୁନିଆପଡାରେ ରହି ଆସୁଥିବା ରବିନ୍ଦ୍ର ଗତ 4 ଦିନ ହେଲା କାଶ ଓ ଥଣ୍ଡାରେ ପୀଡିତ ଥିଲେ । ଆଉ ଏହାପରେ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ମେଡିକାଲ ଆସିଥିଲେ । ଶୁକ୍ରବାର ତାଙ୍କ ସ୍ବାସ୍ଥ୍ୟ ଅଧିକ ଖରାପ ହେବାରୁ ସେ ବିଳମ୍ବିତ ରାତିରେ ମୃତ୍ୟୁବରଣ କରିଥିଲେ । ସମସ୍ତେ ଦେଖଣାହାରି ପାଲଟିଥିବା ବେଳେ ଦୁଇ ଜଣ ଗଣମାଧ୍ୟମ କର୍ମଚାରୀ ମୃତଦେହକୁ ଉଠାଇଥିଲେ ।