ବ୍ରହ୍ମପୁର: ଗତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଶେଷ ହେବାର ୧୫ ମାସ ବିତିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ହୋଇନାହିଁ ପଞ୍ଚାୟତ ସମିତି ବୈଠକ । ଗଞ୍ଜାମ ଜିଲ୍ଲାର ରଙ୍ଗେଇଲୁଣ୍ଡା ପଞ୍ଚାୟତ ସମିତି ବିରୋଧରେ ଏପରି ଅଭିଯୋଗ ଆଣି ବ୍ଲକ ସମ୍ମୁଖରେ ବିକ୍ଷୋଭ ଓ ପ୍ରତିବାଦ କରିଛି କଂଗ୍ରେସ । ଜିଲ୍ଲାର ଗୋପାଳପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରଙ୍ଗେଇଲୁଣ୍ଡା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ କଂଗ୍ରେସ କର୍ମୀ ମାନେ ଏକତ୍ରୀତ ହୋଇ ସ୍ଥାନୀୟ କଂଗ୍ରେସ ନେତା ଡବ୍ଲ୍ୟୁ. ବାଲକ୍ରିଷ୍ଣାଙ୍କ ନେତୃତ୍ବରେ ବିକ୍ଷୋଭ ସହିତ ଘେରାଉ କରି ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି ।
ଏହି ଅବସରରେ ପ୍ରଦେଶ କଂଗ୍ରେସ କମିଟି ମୁଖପାତ୍ର ପୀତବାସ ପଣ୍ଡା ଓ ମହିଳା କଂଗ୍ରେସ ନେତା ବନଜା ପଣ୍ଡାଙ୍କ ସମେତ ବହୁ ନେତୃବୃନ୍ଦ ଉପସ୍ଥିତ ରହି ଦୁର୍ନୀତି ବିରୋଧରେ ସ୍ବର ଉତ୍ତୋଳନ କରିଥିଲେ । ଜିଲ୍ଲାର ସମସ୍ତ ବ୍ଲକରେ ନିୟମିତ ବୈଠକ ହେଉଥିବା ବେଳେ ରଙ୍ଗେଇଲୁଣ୍ଡାରେ ଗତ ପଞ୍ଚାୟତ ନିର୍ବାଚନ ସରିବାର ୧୫ ମାସ ବିତିଗଲାଣି, କିନ୍ତୁ ଗୋଟିଏ ଥର ମଧ୍ୟ ସମିତି ବୈଠକ ବସିନଥିବା ଘଟଣାକୁ ନିନ୍ଦା କରାଯାଇଛି । ପ୍ରତି ୪ ମାସକୁ ଥରେ ପଞ୍ଚାୟତ ସମିତି ବୈଠକ ଡାକିବା ବାଧ୍ୟତାମୂଳକ । ହେଲେ ସରକାରୀ ଅଧିକାରୀ ମାନେ ଜଣେ ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କ ଦ୍ବାରା ପରିଚାଳିତ ହୋଇ ବୈଠକ ଡାକୁନଥିବା ଅଭିଯୋଗ କରିବା ସହିତ ବ୍ଲକରେ ବିକାଶ ସ୍ଥାଣୁ ହୋଇଯାଇଥିବା ଏବଂ ଦୁର୍ନୀତି ଚରମ ସୀମାରେ ପହଞ୍ଚିଥିବା ଅଭିଯୋଗ ଆଣିଛି କଂଗ୍ରେସ ।