ବ୍ରହ୍ମପୁର :ମହିଳା ସଶକ୍ତିକରଣ ଦିଗରେ ରାଜ୍ୟ ସରକାରଙ୍କ ଆଉ ଏକ ବଡ଼ ପଦକ୍ଷେପ । ଆରମ୍ଭ ହୋଇଛି ମିଶନ ଶକ୍ତି ସ୍କୁଟର ଯୋଜନା । ଗତକାଲି ଭିଡିଓ କନଫରେନ୍ସ ମାଧ୍ୟମରେ ଏକା ସାଙ୍ଗରେ 30ଟି ଜିଲ୍ଲାରେ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଅବସରରେ ଗଞ୍ଜାମ ଜିଲ୍ଲାର ସଦର ମହକୁମ୍ମା ଛତ୍ରପୁରଠାରେ ଆୟୋଜିତ କାର୍ଯ୍ୟକ୍ରମରେ ୨୨ ବ୍ଲକର ୧୫୦୦ ଜଣଙ୍କୁ ପ୍ରଥମ ପର୍ଯ୍ୟାୟରେ ଏହି ସ୍କୁଟର ପ୍ରଦାନ କରାଯାଇଛି । ସ୍କୁଟର୍ ପାଇବା ଫଳରେ SHG ମହିଳାମାନଙ୍କୁ ପୂର୍ବ ଭଳି ଆଉ ବସ୍, ଅଟୋକୁ ଅପେକ୍ଷା କରିବାକୁ ପଡ଼ିବ ନାହିଁ । ଫଳରେ ସେମାନେ ଅଳ୍ପ ସମୟ ମଧ୍ୟରେ ଅଧିକ କାମ କରିପାରିବେ ।
ତେବେ ଜିଲ୍ଲାର ୨୨ ଗୋଟି ବ୍ଲକର ୫ ହଜାର ୨୧୨ ମହିଳାଙ୍କୁ ଏହି ଯୋଜନାରେ ସ୍କୁଟି ପ୍ରଦାନ କରିବାକୁ ସ୍ଥିର ହୋଇଥିବା ବେଳେ ଏଥିରେ ପ୍ରଥମ ପର୍ଯ୍ୟାୟରେ ଗଞ୍ଜାମରେ ୧୫୦୦ ଜଣଙ୍କୁ ପ୍ରଦାନ କରାଯାଇଛି । ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏହି ଅବସରରେ ମିଶନ ଶକ୍ତି ସ୍କୁଟର ଯୋଜନା କିଭଳି ଭାବେ ଗଞ୍ଜାମ ଜିଲ୍ଲାରେ ସଫଳ ହେବ ସେଥି ନିମନ୍ତେ ସମସ୍ତ ଅତିଥି ମାନେ ଆଶାବ୍ୟକ୍ତ କରିଥିଲେ । ଏଥି ସହ ସମସ୍ତ ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟ ଏବଂ ଇସି ସଦସ୍ୟାମାନେ ଗାଁ ଗାଁ ବୁଲି ଉତ୍ତମ ସେବା ଯୋଗାଇ ପାରିବେ । ଏଥିପାଇଁ ଓଡ଼ିଶା ସରକାର ବିନା ସୁଧରେ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପ୍ରତ୍ୟେକ ଯୋଗ୍ୟ ହିତାଧିକାରୀଙ୍କୁ ବ୍ୟାଙ୍କ ଋଣ ଯୋଗାଇ ଦେବାର ବ୍ୟବସ୍ଥା କରିଥିବା ବେଳେ ଏହାକୁ ୪ ବର୍ଷ ମଧ୍ୟରେ ଅର୍ଥାତ ୪୮ଟି କିସ୍ତିରେ ଋଣ ପରିଶୋଧ କରିବେ ।