ଭଞ୍ଜନଗର: ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟ ଜଳ ଓ ଗମନାଗମନ ଭଳି ମୌଳିକ ସୁବିଧା ପାଇଁ ରାଜ୍ୟ ସରକାରଙ୍କ କୋଟି କୋଟି ଟଙ୍କା ବ୍ୟୟରେ ମାଳ ମାଳ ଯୋଜନା । ହେଲେ ପ୍ରକୃତ ହିତାଧିକାରୀଙ୍କ ପାଖରେ ପହଞ୍ଚି ପାରୁନି ଯୋଜନା । ଆଜି ବି ବିପଦସଂକୁଳ ଅବସ୍ଥାରେ ନଦୀପାର ହେଉଛନ୍ତି ଲୋକେ । କେବଳ ସାଧାରଣ ଜନତା କାହିଁକି କୋମଳମତି ଛାତ୍ରଛାତ୍ରୀ ମଧ୍ୟ ନଦୀର ପ୍ରଖୋର ସ୍ରୋତରେ ସ୍କୁଲ୍ କଲେଜ ଯାଉଛନ୍ତି ।
ଠିକାସଂସ୍ଥାର ମନମାନି, ବିପଦସଂକୁଳ ଅବସ୍ଥାରେ ନଦୀପାର ହେଉଛନ୍ତି ଛାତ୍ରଛାତ୍ରୀ ଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ସୋରଡା ବ୍ଲକ ସୁରମଣି ପଞ୍ଚାୟତରେ । ସୋରଡା ବ୍ଲକର ଅଧିକାଂଶ ଗ୍ରାମକୁ ପ୍ରଧାନମନ୍ତ୍ରୀ ସଡକ ଯୋଜନା ହେଉ କିମ୍ବା ବିଜୁ ସଡକ ଯୋଜନାରେ ରାସ୍ତା କରାଯାଇଛି । ଯଦି କେଉଁ ଗ୍ରାମକୁ ନଦୀ କିମ୍ବା ନାଳ ପଡୁଛି ସେଥିରେ ସେତୁ ବନ୍ଧାଯାଇ ଲୋକମାନଙ୍କ ପାଇଁ ସୁବିଧା କରାଯାଉଛି । ମାତ୍ର ସୋରଡା ବ୍ଲକର ୫ଟି ପଞ୍ଚାୟତର ୫ ହଜାରୁ ଅଧିକ ଲୋକେ ବର୍ଷା ଦିନରେ ଜଳବନ୍ଦୀ । ଋଷିକୂଲ୍ୟା ନଦୀରେ ଜଳସ୍ତର ବୃଦ୍ଧି ପାଇଥିବାରୁ ପ୍ରତିଦିନ ନଦୀ ପାର ହେବାକୁ ପଡୁଛି ଅଞ୍ଚଳବାସୀଙ୍କୁ । ରାଶନ ସାମଗ୍ରୀ ଠାରୁ ଆରମ୍ଭ କରି ସ୍ବାସ୍ଥ୍ୟ, ଶିକ୍ଷା ପାଇଁ ନଦୀ ପାର ହେବାକୁ ପଡିଥାଏ । କେସରା ଗ୍ରାମରେ ଦୁଇଶହରୁ ଊର୍ଦ୍ଧ୍ବ ପରିବାର ବାସ କରନ୍ତି । ସମସ୍ତେ ନଦୀ ଆର ପଟେ ଥିବା ସୁରମଣି ଗ୍ରାମ ପଞ୍ଚାଯତ ଉପରେ ନିର୍ଭର କରନ୍ତି । ସୋରଡା ଆସିବାକୁ ହେଲେ ନଦୀ ପାର ହୋଇ ଆସିବାକୁ ପଡିଥାଏ ।
ସବୁଠାରୁ ଅଧିକ ସମସ୍ୟାରେ ପଡିଥାନ୍ତି ହାଇସ୍କୁଲ ଛାତ୍ରଛାତ୍ରୀ । କାରଣ ଅଷ୍ଟମ ପାସ କରିବା ପରେ ନବମ ଦଶମ ପଢିବା ପାଇଁ ନୂଆଗଡ ହାଇସ୍କୁଲକୁ ଆସିବାକୁ ପଡିଥାଏ । ପ୍ରତିଦିନ ସକାଳୁ ଘରୁ ବାହାରି ଋଷିକୁଲ୍ୟା ନଦୀ ପାର ହୋଇ ଆସି ସନ୍ଧ୍ୟାରେ ଘରକୁ ଫେରିଥାନ୍ତି ଏଠାକାର ଛାତ୍ରଛାତ୍ରୀ । ସେପଟେ ସୋରଡା ଦେଇ ସ୍କୁଲ୍ ଯିବାକୁ ହେଲେ ଅଧିକ 20 କିଲୋମିଟର ଅଧିକ ଯିବାକୁ ପଡିଥାଏ । ତେଣୁ ଛାତ୍ରଛାତ୍ରୀମାନେ ଜୀବନକୁ ବାଜି ଲଗାଇ ବେକେ ପାଣିରେ ନଦୀପାର୍ ହେଉଛନ୍ତି । ଯଦି ଅକସ୍ମାତ ନଦୀରେ ପାଣି ଆସିଲା ତେବେ ସ୍କୁଲରେ ରାତ୍ରୀ ଯାପନ କରିବାକୁ ପଡିଥାଏ । କିଛି କଲେଜ ପିଲା ମଧ୍ୟ ସୋରଡା, ଆସିକା କଲେଜରେ ପାଠ ପଢିବା ପାଇଁ ଏହି ନଦୀ ପାର୍ ହୋଇ ଯାଇଥାନ୍ତି ।
ଏସବୁ ସମସ୍ୟାର ସମାଧାନ ପାଇଁ ପ୍ରଶାସନ ପକ୍ଷରୁ 2018 ମସିହାରେ ବିଜୁ ସେତୁ ଯୋଜନାରେ କାମ ଆରମ୍ଭ ହୋଇଥିଲା । ହିନ୍ଦୁସ୍ତାନ ବିଲଡର ନାମକ କମ୍ପାନୀ ଠିକା ନେଇ କାମ ଆରମ୍ଭ କରିଥିଲା । 2020 ରେ କାମ ସାରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲେ ମଧ୍ୟ 2022 ରେ ବି ଚିତ୍ର ଯଥା ପୂର୍ବମ ତଥା ପରମ । ଏନେଇ ଭଞ୍ଜନଗର ଉପଜିଲ୍ଲାପାଳ ଜ୍ୟୋତି ଶଙ୍କର ରାୟଙ୍କୁ ଅବଗତ କରିବାରୁ ସେ କହିଛନ୍ତି ଯେ, 'ସରକାରଙ୍କ ତରଫରୁ ବିଜୁସେତୁ ଯୋଜନାରେ ସାମିଲ କରି ଟେଣ୍ଡର ଦିଆସରିଛି । କିନ୍ତୁ କଣ୍ଟ୍ରାକ୍ଟରର ମନମୁଖୀ ଯୋଗୁଁ ସେତୁ କାମ ଅଧାପନ୍ତରିଆ ହୋଇ ପଡିରହିଛି । କଣ୍ଟ୍ରାକ୍ଟରକୁ ବାରମ୍ବାର ତାଗିଦ କରାଯାଉଛି ହେଲେ ସେ ହାଇକୋର୍ଟର ଆଶ୍ରୟ ନେଉଛି ।' ଖୁବଶୀଘ୍ର ସମସ୍ୟାର ସମାଧାନ କରି ସେତୁ କାର୍ଯ୍ୟ ଆରମ୍ଭ ହେବ ବୋଲି ଉପଜିଲ୍ଲାପାଳ କହିଛନ୍ତି l
ଇଟିଭି ଭାରତ, ଗଞ୍ଜାମ