ଓଡିଶା

odisha

ETV Bharat / state

ରାଜ୍ୟରେ ବୃଦ୍ଧି ପାଇଛି ଦୁର୍ନୀତି: ବ୍ରହ୍ମପୁରରେ ଭାରତୀୟ ଜନତା ପାର୍ଟିର ଶୋଭାଯାତ୍ରା - ବ୍ରହ୍ମପୁରରେ ବିକ୍ଷୋଭ

ବ୍ରହ୍ମପୁର ମହାନଗର ନିଗମରେ ଦୁର୍ନୀତି,ପିସି କାରବାର ଓ ଭ୍ରଷ୍ଟାଚାର ବିରୁଦ୍ଧରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଶୋଭାଯାତ୍ରା । ଦୁର୍ନୀତି ବିରୁଦ୍ଧରେ ଏକ ଦାବୀପତ୍ର ଓଡ଼ିଶା ରାଜ୍ୟପାଳଙ୍କ ଉଦ୍ଧେଶ୍ୟରେ ନିଗମ କମିଶନରଙ୍କୁ ପ୍ରଦାନ କରାଯାଇଥିଲା । ଆଗକୁ ପଢ଼ନ୍ତୁ,

ଭାରତୀୟ ଜନତା ପାର୍ଟି ପକ୍ଷରୁ ଶୋଭାଯାତ୍ରା
ଭାରତୀୟ ଜନତା ପାର୍ଟି ପକ୍ଷରୁ ଶୋଭାଯାତ୍ରା

By ETV Bharat Odisha Team

Published : Nov 30, 2023, 7:16 AM IST

ଭାରତୀୟ ଜନତା ପାର୍ଟି ପକ୍ଷରୁ ଶୋଭାଯାତ୍ରା

ବ୍ରହ୍ମପୁର: ବ୍ରହ୍ମପୁର ମହାନଗର ନିଗମରେ ଦୁର୍ନୀତି, ପିସି କାରବାର ଓ ଭ୍ରଷ୍ଟାଚାର ବିରୁଦ୍ଧରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଶୋଭାଯାତ୍ରା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ରାଜ୍ୟ କାର୍ଯ୍ୟକାରଣୀ ସଦସ୍ୟ ତଥା ବରିଷ୍ଠ ନେତା କାହ୍ନୁ ଚରଣ ପତିଙ୍କ ନେତୃତ୍ୱରେ ଦଳର ବହୁ କର୍ମୀ ଓ ନେତୃବୃନ୍ଦ ଗାନ୍ଧୀନଗରଠାରୁ ଶୋଭାଯାତ୍ରାରେ ବାହାରି ବ୍ରହ୍ମପୁର ମହାନଗର ନିଗମ କାର୍ଯ୍ୟାଳୟରେ ପହଞ୍ଚି ଘେରାଉ କରି ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ରାଜ୍ୟରେ ଦୀର୍ଘ ୨୪ ବର୍ଷ ହେଲା ଚାଲିଥିବା ଅରାଜକତା, ତୁଷ୍ଟିକରଣ ଓ ଅପାରଗ ସରକାରଙ୍କ ଦୁର୍ନିତୀର ଗନ୍ତାଘର ପାଲଟିଥିବା ଅଭିଯୋଗ ହୋଇଛି । ଦୁର୍ନୀତି ନିବାରଣ ନେଇ ଏକ ଦାବିପତ୍ର ଓଡ଼ିଶା ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ନିଗମ କମିଶନରଙ୍କୁ ପ୍ରଦାନ କରାଯାଇଥିଲା ।

ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ନିଗମ କମିଶନରଙ୍କୁ ପ୍ରଦାନ କରାଯାଇଥିବା ଦାବିପତ୍ରରେ ଅନେକ ସମସ୍ୟା ବିଷୟରେ ଦୃଷ୍ଟି ଦିଆଯାଇଛି । କେନ୍ଦ୍ର ସରକାରଙ୍କ ‘ଅମୃତ ସରୋବର’ ଯୋଜନାକୁ ରାଜ୍ୟ ସରକାର ‘ମୋ ପୋଖରୀ' ନାମରେ ନାମିତ କରି ବ୍ରହ୍ମପୁର ମହାନଗର ନିଗମ ଅନ୍ତର୍ଗତ ୪୮ଟି ପୋଖରୀରେ ମହାଦୁର୍ନୀତି କରାଯାଇଛି । ଏପରିକି ଜଳାଶୟଗୁଡିକ ପୁନଃରୁଦ୍ଧାର ପାଇଁ ଆସିଥିବା କୋଟି କୋଟି ଟଙ୍କାକୁ ଶାସକ ଦଳର ନେତା ଠିକାଦାର, ଯନ୍ତ୍ରୀ ଏବଂ ନିଗମର ଦୁର୍ନିତୀଗ୍ରସ୍ତ ଅଫିସର ମାନେ ହଡ଼ପ କରି ନେଉଥିବା ଅଭିଯୋଗ କରାଯାଇଛି । ଉଷା ସର୍ଭେ ନା’ରେ ସହରୀ ବସ୍ତି ବାସିନ୍ଦାଙ୍କୁ ପଟ୍ଟା ଯୋଗାଇଦେବା ପାଇଁ ପ୍ରତିଶୃତି ଦେଇ ଗରିବ ଲୋକଙ୍କୁ ପ୍ରତାରଣା କରିଛନ୍ତି । ଏପରିକି ଶାସକ ଦଳର କିଛି ପ୍ରଭାବଶାଳୀ ନେତା ଓ ଅଫିସରମାନେ କୋଟି କୋଟି ଟଙ୍କାର ସରକାରୀ ଜମିକୁ ହଡପ କରିଥିବା ନେଇ ଉଚ୍ଚ ସ୍ତରୀୟ ତଦନ୍ତ କରିବାକୁ ଦଳ ପକ୍ଷରୁ ଦାବି କରାଯାଇଛି ।

କେନ୍ଦ୍ର ସରକାରଙ୍କ ଲୋକାଭିମୁଖୀ ଯୋଜନା “ହର ଘର ନଳ” ଯୋଜନା ଦେୟମୁକ୍ତ ହୋଇଥିବା ବେଳେ ବିଇଏମ୍‌ସି କର୍ତ୍ତୃପକ୍ଷ ପ୍ରତ୍ୟେକ ଘରୁ ଯୋର ଜବରଦସ୍ତ ସାତ ହଜାର ଟଙ୍କା ଆଦାୟ କରୁଛନ୍ତି । ବ୍ରହ୍ମପୁର ମହାନଗର ନିଗମ ସାଧାରଣ ଜନତାଙ୍କଠାରୁ ପୂର୍ବ ଟିକସର ୫୦ଗୁଣ ଉଚ୍ଚ ଦରରେ ହୋଲ୍‌ଡିଂ ଟିକସ ଆଦାୟ କରୁଥିଲେ ମଧ୍ୟ ପୁନଃଶ୍ଚ ୟୁଜର୍ସ ଫି' ବାବଦରେ ସାଧାରଣ ଜନତାଙ୍କଠାରୁ ମାସିକିଆ ଟଙ୍କା ଆଦାୟ କରାଯାଉଛି । ସେହିଭଳି ମୁକ୍ତା ଯୋଜନାରେ କୋଟି କୋଟି ଟଙ୍କା ବାଟ ମାରଣା ଚାଲିଛି । ଏହି ଯୋଜନାରେ ସମସ୍ତ କାର୍ଯ୍ୟ ବେଆଇନ ଭାବେ ଓଭର ଏଷ୍ଟିମେଟ୍‌ରେ କରାଯାଉଛି । ଠିକାଦାର ମାନଙ୍କୁ ଟେଣ୍ଡର ଫିକ୍ସିଂ ମାଧ୍ୟମରେ କାମ ଦେଇ ଅତି ନିମ୍ନ ମାନର ରାସ୍ତା କାମ କରୁଛନ୍ତି । ଏହା ସହ ରାସ୍ତା କଡରେ ଥିବା ଦୀର୍ଘ ବର୍ଷର ଜୀବନ୍ତ ବୃକ୍ଷ ଗୁଡିକୁ ଅନାୟାସରେ କାଟିଦିଆଯାଉଛି । ରାଜୀବ ଆବାସ ଯୋଜନା ପ୍ରକୃତ ହୀତାଧିକାରୀ ମାନଙ୍କୁ ନଯୋଗାଇ ପ୍ରଭାବଶାଳୀ ଶାସକ ଦଳର ଦୁର୍ନିତୀଗ୍ରସ୍ତ ନେତାଙ୍କ ପ୍ରଭାବରେ ଲାଞ୍ଚ କାରବାର ହୋଇ ଆର୍ଥିକ ସ୍ୱଚ୍ଛଳ ଲୋକ ମାନଙ୍କୁ ପ୍ରଦାନ କରାଯାଇଛି । ପ୍ରକୃତ ଗରିବ ଏବଂ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ପରିବାର ମାନେ ରାସନ କାର୍ଡ଼ ପାଇବାରୁ ବଞ୍ଚିତ ହୋଇଛନ୍ତି । କାଉନସିଲ୍ ବୈଠକରେ ପ୍ରତି ଓ୍ୱାର୍ଡ଼ର ଶହେ ନୂତନ ହିତାଧିକାରୀଙ୍କୁ କାର୍ଡ଼ ଯୋଗାଇବା ପାଇଁ ନିଷ୍ପତ୍ତି ହୋଇଥିଲେ ମଧ୍ୟ ତାହା କାର୍ଯ୍ୟକ୍ଷମ ହେଲା ନାହିଁ ବୋଲି ଅଭିଯୋଗ କରିଛି ବିଜେପି ।

ଏହା ମଧ୍ୟ ପଢ଼ନ୍ତୁ...ମନରେଗା ଦୁର୍ନୀତି ! ପରିଶ୍ରମ କଲେ ଲୋକେ, ମିଳୁନି ପ୍ରାପ୍ୟ

ଏହି କାର୍ଯ୍ୟକ୍ରମରେ ଭାରତୀୟ ଜନତା ପାର୍ଟି ଗଞ୍ଜାମ ଜିଲ୍ଲା ସଭାପତି ଡ଼ଃ ସୁବାସ ସାହୁ, ବରିଷ୍ଠ ନେତା ତଥା ପୂର୍ବତନ ଗଞ୍ଜାମ ଜିଲ୍ଲା ସଭାପତି ବିଭୂତି ଭୂଷଣ ଜେନା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସରୋଜ ସାବତ, ପ୍ରଶାନ୍ତ କର, ବରିଷ୍ଠ ନେତା ମହନ୍ତ, ଚିନ୍ମୟାନନ୍ଦ ଦାସ, ଜିଲ୍ଲା ଉପସଭାପତି ସୁନିଲ କୁମାର ସାହୁ,ରାମ କୁମାର ପାତ୍ର, ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଭାତ କିରଣ ଷଡ଼ଙ୍ଗୀ, ଗଙ୍ଗାଧର ଶତପଥୀ, ଜିଲ୍ଲା ସମ୍ପାଦକ ତଥା କର୍ପୋରେଟର ପ୍ରଦୀପ ଶତପଥି, ଏଲ୍.ମୋହନ ଦାସ,ରାଜେଶ କୁମାର ସାହୁ, କର୍ପୋରେଟର ଡି.କରୁଣାକର, ସବିତା ସାହୁ, ରଞ୍ଜିତା ବେହେରା, ସବିତା ନାୟକ, ରାଜ୍ୟ ଯୁବମୋର୍ଚ୍ଚା ସମ୍ପାଦକ ଟୁଟୁନ୍ ପାତ୍ର, ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଶିବ ଶଙ୍କର ନାୟକ,ଜିଲ୍ଲା ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ସୋମନାଥ ପାତ୍ର ପ୍ରମୁଖ ଦଳୀୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ । ଏହି ବିଶାଳ ଶୋଭାଯାତ୍ରା ପୂର୍ବରୁ ଭାରତୀୟ ଜନତା ଯୁବମୋର୍ଚ୍ଚା ପକ୍ଷରୁ ଏକ ବିଶାଳ ମୋଟର ସାଇକେଲ ଶୋଭାଯାତ୍ରା ରାଜ୍ୟ ଯୁବମୋର୍ଚ୍ଚା ସମ୍ପାଦକ ଟୁଟୁନ୍ ପାତ୍ର ଏବଂ ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଶିବ ଶଙ୍କର ନାୟକଙ୍କ ନେତୃତ୍ୱରେ ସ୍ଥାନୀୟ କମାପଲ୍ଲୀ ଛକଠାରୁ ବାହାରି ଗାନ୍ଧୀନଗର ଛକ ସ୍ଥିତ ଗାନ୍ଧୀ ପ୍ରତିମୂର୍ତ୍ତି ଠାରେ ପହଞ୍ଚି ଥିଲା ।

ABOUT THE AUTHOR

...view details