ବ୍ରହ୍ମପୁର: ମାନବ ବିହୀନ ଡ୍ରୋନକୁ ବ୍ୟବହାର କରି ଶତ୍ରୁ ପକ୍ଷର ଡ୍ରୋନକୁ ପ୍ରତିରୋଧ କରିବା ଲାଗି ପ୍ରଶିକ୍ଷଣ ନେଇଛନ୍ତି ଭାରତୀୟ ସେନା ବାହିନୀ । ଗୋପାଳପୁର ନିକଟବର୍ତ୍ତୀ ଗୋଳାବନ୍ଧ ଆର୍ମି ଏୟାର ଡିଫେନ୍ସ କଲେଜ ପରିସରରେ ଜଳ, ସ୍ଥଳ ଓ ଆକାଶପଥଠାରୁ ଆରମ୍ଭ କରି ଦେଶର ସୁରକ୍ଷାରେ ନିୟୋଜିତ ହେଉଥିବା ବେସାମରିକ ସୁରକ୍ଷା ଅଧିକାରୀଙ୍କୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ କାଉଣ୍ଟର ଡ୍ରୋନ ଟେକ୍ନୋଲୋଜିର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଶିକ୍ଷା ଦିଆଯାଇଛି । ଭାରତୀୟ ସୈନାବାହିନୀ ଆହୁରୀ ସଶକ୍ତ କରିବା କ୍ଷେତ୍ରରେ ଏହା ସହାୟକ ହେବ ବୋଲି କୁହାଯାଇଛି ।
ବିଶ୍ୱର ପ୍ରମୁଖ ଦେଶମାନେ ଡ୍ରୋନର ବ୍ୟବହାର ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି । ଆତ୍ୟାଧୁନିକ ଜ୍ଞାନ କୌଶଳ ବଳରେ ଡ୍ରୋନ ସାହାଯ୍ୟରେ ଶତ୍ରୁ ଦେଶକୁ ଆକ୍ରମଣ କରୁଛନ୍ତି । ଏହି କ୍ରମରେ ଅନେକ ସମୟରେ କିଛି ଶତ୍ରୁ ଦେଶର ଡ୍ରୋନ ଭାରତ ଆକାଶରେ ମଧ୍ୟ ଦେଖିବାକୁ ମିଳିଥାଏ । ତେଣୁ ସେହି ଡ୍ରୋନକୁ ସହଜରେ ଖସାଇବା ପାଇଁ ବେସାମରିକ ସୁରକ୍ଷା ଅଧିକାରୀଙ୍କୁ ତାଲିମ ଦିଆଯାଇଛି । ଦେଶର ଯବାନମାନେ ଏହାକୁ ଆକାଶମାର୍ଗରେ ହିଁ କିପରି ଅତ୍ୟାଧୁନିକ ଟେକ୍ନୋଲୋଜି ମାଧ୍ୟମରେ ଚିହ୍ନଟ କରି ବହୁ କିଲୋମିଟର ଉଚ୍ଚ ଦୂରରେ ଥିବା ଡ୍ରୋନକୁ ଅଚଳ କରିପାରିବେ ସେ ସମ୍ପର୍କରେ ତିନି ସେନାର ଅଧିକାରୀ ସେମାନଙ୍କୁ ତାଲିମ ଦେଇଥିଲେ । ସେନାକୁ ଯୋଗାଉଥିବା ରାଷ୍ଟ୍ରୀୟ କମ୍ପାନୀର ଅଧିକାରୀମାନେ ଏହାର ବ୍ୟବହାର ଉପରେ ବିସ୍ତୃତ ଭାବରେ ବର୍ଣ୍ଣନା କରିଥିଲେ ।