ବ୍ରହ୍ମପୁର: ‘ସଚେତନତା, ସତର୍କତା ନ ରହିଲେ ଜିଲ୍ଲାର ପରିସ୍ଥିତି ଭୟାବହ ହେବ’ । ଏଭଳି ମତ ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ । ଜିଲ୍ଲାରେ କିଛି ଦିନ ତଳେ କୋଭିଡ୍ ସଂକ୍ରମଣ ସଂଖ୍ୟା ୧ କିମ୍ବା ୨ ମଧ୍ୟରେ ସୀମିତ ରହୁଥିଲା । କିନ୍ତୁ ଗତକାଲି ୭ ଜଣ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି । ବର୍ତ୍ତମାନ ସ୍ଥିତିରୁ ଜଣାପଡୁଛି ଜନସାଧାରଣଙ୍କ ମଧ୍ୟରେ ସଚେତନତାର ଅଭାବ ଏବଂ କୋଭିଡ୍ ସଂକ୍ରମଣରୁ ବର୍ତ୍ତିବା ପାଇଁ ଜାରି କରାଯାଇଥିବା ନିତି ନିୟମର କେହି ଠିକ ଭାବରେ ଅନୁପାଳନ କରୁନାହାନ୍ତି । ଫଳରେ ସଂକ୍ରମଣ ସଂଖ୍ୟା ବୃଦ୍ଧି ହେବାର ଲକ୍ଷ କରାଯାଉଛି । ଏହି ସଂକ୍ରମଣରୁ ରୋକିବା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଗୁରୁତ୍ବପୁର୍ଣ୍ଣ ବୈଠକ ରବିବାର ପୁର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି ।
ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଏକ ଭିଡିଓ କନଫେରନ୍ସିରେ ଜିଲ୍ଲାପାଳ ଜିଲ୍ଲାର ସମସ୍ତ ସରପଞ୍ଚ, ଜିଲ୍ଲା ପରିଷଦ ସଭ୍ୟ ଓ ଅଧିକାରୀମାନଙ୍କୁ ଜଣାଇଥିଲେ ଯେ, ଜିଲ୍ଲା ବାହାରେ ଏବଂ ଅନ୍ୟ ରାଜ୍ୟରେ ରହୁଥିବା ଜିଲ୍ଲାର ପ୍ରବାସୀମାନଙ୍କୁ ଅନୁରୋଧ କରି ଜଣାନ୍ତୁ ସେମାନେ ଯେଉଁଠାରେ ଅଛନ୍ତି ସେହି ଠାରେ ହିଁ ରୁହନ୍ତୁ । ଦଣ୍ଡନାଚ, ଯାନିଯାତ୍ରା କି ମା ତାରା ତାରିଣୀ ଯାତ୍ରାରେ ସାମିଲ ହେବାକୁ ଜିଲ୍ଲାକୁ ଆସନ୍ତୁ ନାହିଁ । ସେମାନେ ଜିଲ୍ଲାକୁ ଆସିବା ଫଳରେ ନିଜ ପରିବାର ସମେତ ଜିଲ୍ଲାବାସୀଙ୍କୁ ମଧ୍ୟ ବିପଦରେ ପକାଇବାର ଯଥେଷ୍ଟ ସମ୍ଭାବନା ରହୁଛି । ଅତି ଜରୁରୀ କାର୍ଯ୍ୟ କିମ୍ବା ସ୍ବାସ୍ଥ୍ୟଗତ ସମସ୍ୟା ନେଇ ଯେଉଁମାନେ ଆସୁଛନ୍ତି ସେମାନେ ନିଜ ସାଥିରେ କୋଭିଡ୍ ଟେଷ୍ଟର ରିପୋର୍ଟ ଆଣିବାକୁ ବାଧ୍ୟ କରାଯାଇଛି । ଏମାନେ ଆସିବା ପରେ ସେମାନଙ୍କ ସ୍ବାସ୍ଥ୍ୟ ପୁର୍ନବାର ଯାଞ୍ଚ କରାଯିବ ଏବଂ ସଂକ୍ରମିତ ହୋଇଥିବା ଲକ୍ଷଣ ଦେଖାଗଲେ ସେମାନଙ୍କୁ ଆଇସୋଲେସନରେ ରଖାଯିବ । ଜିଲ୍ଲା ବାହାରେ ଏବଂ ରାଜ୍ୟ ବାହାରେ ସଂକ୍ରମିତ ବୃଦ୍ଧି ପାଉଥିବା ହେତୁ ସତର୍କତା ପାଳନ ନ କଲେ ଜିଲ୍ଲାର ପରିସ୍ଥିତି ପୁର୍ବ ପରି ଭୟାଭୟ ହେବ । ଏନେଇ ସମସ୍ତ ସତର୍କତା ପାଳନ କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।