ବ୍ରହ୍ମପୁର: ସୁରତ ତକ୍ଷଶୀଳା କୋଚିଂ ସେଣ୍ଟର ଅଗ୍ନିକାଣ୍ଡ ଘଟଣା ସମଗ୍ର ଦେଶକୁ ଦୋହଲାଇ ଦେଇଛି । ଏହି ଅଘଟଣରେ 23 ଛାତ୍ରଛାତ୍ରୀଙ୍କ ମୃତ୍ୟୁ ପରେ ତତ୍ପରତା ଦେଖାଇଛି ବ୍ରହ୍ମପୁର ପ୍ରଶାସନ । ସହରର ବଡବଡ କୋଠା ଓ କୋଚିଂ ସେଣ୍ଟର ଗୁଡିକ ଫାୟାର କ୍ଲିୟରାନ୍ସ ପ୍ରମାଣପତ୍ର ହାସଲ କରିବା ପାଇଁ ନୋଟିସ ଦେଇଛି ମହାନଗର ନିଗମ ।
ଅନ୍ୟପଟେ ଆଗାମୀ ଦିନରେ ପ୍ରତ୍ୟେକ ବିଲ୍ଡିଂର ସୁରକ୍ଷା ଯାଞ୍ଚ କରାଯିବା ନେଇ ରୋକଠୋକ କହି ଦେଇଛନ୍ତି ମହାନଗର ନିଗମ କମିଶନର । ଯଦି ସେହି ବିଲ୍ଡିଂର ମାଲିକଙ୍କ ନିକଟରେ ଫାୟାର କ୍ଲିୟରାନ୍ସ ପ୍ରମାଣପତ୍ର ନଥାଏ ଆବଶ୍ୟକ ପଡିଲେ ତାହା ସିଲ କରିବ ପ୍ରଶାସନ । ଗତବର୍ଷ ସହରର ୧୫୦ଟି କୋଠାର ମାଲିକ ଓ ବ୍ୟବସାୟିକ ପ୍ରତିଷ୍ଠାନକୁ ଏ ନେଇ ନୋଟିସ ଦିଆ ଯାଇଥିଲା ।