ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ସୋରଡା ଥାନା ନିକଟ ନୂଆଗଡ ଗ୍ରାମ ଋଷିକୂଲ୍ୟା ନଦୀପଠାରୁ ଏକ ମୁଣ୍ଡ ବିହୀନ ମୃତଦେହକୁ ଉଦ୍ଧାର କରିଛି ସୋରଡା ପୋଲିସ । ମୃତଦେହର ମୁଣ୍ଡଟିକୁ କାଟି ଅନ୍ୟ କେଉଁ ସ୍ଥାନରେ ଲୁଚାଇଛନ୍ତି ହତ୍ୟାକାରୀ । ହତ୍ୟାର ଶିକାର ହୋଇଛନ୍ତି ଭଗିଆ ନାୟକ ହତ୍ୟାକାରୀ ଆଉ କେହି ନୁହେଁ ବରଂ ମୃତକଙ୍କ ନିଜ ସ୍ତ୍ରୀ ବୋଲି ଅଭିଯୋଗ କରିଛନ୍ତି ମୃତ ଭଗିଆଙ୍କ ଭାଉଜ ।
ମୁଣ୍ଡ ବିହୀନ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହରେ ସ୍ତ୍ରୀକୁ ଅଟକ ରଖିଛି ପୋଲିସ ମିଳିଥିବା ସୂଚନା ଅନୁସାରେ ଭଗିଆ ନାୟକ 8 ବର୍ଷ ତଳେ ଝିଲି ନାୟକଙ୍କୁ ବିବାହ କରିଥିଲେ । ସେମାନଙ୍କର ଦୁଇଟି ସନ୍ତାନ ମଧ୍ୟ ଅଛି । କିନ୍ତୁ ଅଧିକାଂଶ ସମୟରେ ସ୍ଵାମୀ ସ୍ତ୍ରୀ ମଧ୍ୟରେ କଳହ ଲାଗିରହିଥାଏ । ସ୍ତ୍ରୀର ଅନୈତିକ ସମ୍ପର୍କ ଥିବାନେଇ ଗୁଡିପଲ୍ଲୀରୁ ଗ୍ରାମବାସୀ ବାହାର କରିଦେଇଥିଲେ ବୋଲି ମୃତକ ଭଗିଆଙ୍କ ବଡ ଭାଇ ବିଦେଶୀ ଏବଂ ଭାଉଜ ସାଇବାଣୀ ଅଭିଯୋଗ କରିଛନ୍ତି ।
ସ୍ତ୍ରୀ ଝିଲି ପୁଷ୍ପନଗର ଗ୍ରାମରେ ଦୁଇ ପିଲାଙ୍କୁ ଧରି ରହୁଥିଲେ । ଗତ ପାଞ୍ଚ ଦିନ ହେବ ସ୍ଵାମୀ ପିଲାଙ୍କୁ ଦେଖିବା ପାଇ ସ୍ତ୍ରୀ ପାଖକୁ ଯାଇଥିଲେ ସେଠାରେ ପୁଣି ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହୋଇଥିଲା । ସ୍ତ୍ରୀ ସ୍ଵାମୀକୁ ମାରିବା ପାଇଁ ନିଜ ବାପା ଓ ମା ର ସହଯୋଗ ନେଇ ହତ୍ୟା କରିଥିଲେ । ମୃତଦେହକୁ ନଦୀରେ ଫିଙ୍ଗି ଦେଇ ମୁଣ୍ଡଟିକୁ ବାଲିରେ ପୋତି ଦିଆଯାଇଥିବା ମୃତକଙ୍କ ଭାଉଜ ଅଭିଯୋଗ କରିବା ସହ ଅଭିଯୁକ୍ତ ସ୍ତ୍ରୀକୁ ଗିରଫ କରିବା ପାଇଁ ଦାବି କରିଛନ୍ତି ।
ଘଟଣାସ୍ଥଳରେ ସୋରଡା ଥାନା ଅଧିକାରୀ ରମେଶ ପ୍ରଧାନ, ବଡଗଡ ଥାନା ଅଧିକାରୀ ,ପାଟପୁର ଥାନା ଅଧିକାରୀ ,ଗାଙ୍ଗପୁର ଥାନା ଅଧିକାରୀ ଆସିକା SDPO ଉମା ଶଙ୍କର ସିଂ ଉପସ୍ଥିତ ରହି ତଦନ୍ତ ଆରମ୍ଭ କରିଛନ୍ତି। ସ୍ତ୍ରୀ ଝିଲିଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଛି ପୋଲିସ ।
ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ