ଗଜପତି:ଓଡିଶାର ଉପରେ ଆନ୍ଧ୍ର ରହିଛି କଡା ନଜର । କେବଳ ଓଡିଶା ମାଟି, ପାଣି ଉପରେ ନୁହେଁ । ଏବେ ଆନ୍ଧ୍ରର ମନ୍ତ୍ରୀ ଏସ.ଆପଲରାଜୁ ଓଡିଶା ସୀମାକୁ ପଶି ଆସି ରାଜ୍ୟର ସମ୍ପତ୍ତିକୁ ନଷ୍ଟ କରିଦେବା ସହ ଅଧିକାରୀଙ୍କ ବିରୋଧରେ ଅଶାଳୀନ ମନ୍ତବ୍ୟ ଦେଇଥିଲେ । ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନ ଥିବା ବେଳେ ଓଡିଶା ନାଗରିକ ମହାମଞ୍ଚ ପକ୍ଷରୁ ମନ୍ତ୍ରୀଙ୍କ ବିରୋଧରେ ଥାନାରେ ମାମଲା ରୁଜୁ କରାଯାଇଛି । ଆନ୍ଧ୍ରର ମନ୍ତ୍ରୀ ଓଡ଼ିଶାର ଯେଉଁ ସ୍ଥାନରେ ଛିଡା ହୋଇ ଏଭଳି ଔଦ୍ଧତ୍ୟ ପ୍ରଦର୍ଶନ କରିଥିଲେ ସେହି ଗଙ୍ଗାବାଡ ପଞ୍ଚାୟତର ବିଭିନ୍ନ ଗାଁକୁ ଯାଇଥିଲେ ଓଡିଶା ନାଗରିକ ମହାମଞ୍ଚର ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ଶତପଥୀଙ୍କ ନେତୃତ୍ୱରେ ଏକ ଟିମ୍ ।
ସେମାନେ ସେଠାକାର ଲୋକଙ୍କ ସହ କଥା ଆଲୋଚନା କରିବା ସହ ଓଡିଶା ମାଟିରେ ଚାଲିଥିବା ଆନ୍ଧ୍ରର ଅଙ୍ଗନବାଡି କେନ୍ଦ୍ର ସମ୍ମୁଖରେ ଛିଡା ହୋଇ ବନ୍ଦେ ଉତ୍କଳ ଜନନୀ ନାରା ଦେଇଥିଲେ । ସେଠାରୁ ଫେରିବା ପରେ ପାରଳାଖେମୁଣ୍ଡି ଠାରେ ହେଡକ୍ବାର୍ଟର ଡିଏସପିଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଥିଲେ । ସମ୍ପୃକ୍ତ ଆନ୍ଧ୍ର ମନ୍ତ୍ରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ ।