ଗଜପତି: ପ୍ରତିବର୍ଷ ଅକ୍ଟୋବର ଆସିଲେ ଓଡିଶା କାନ୍ଦେ । ଥରି ଉଠେ ଉପକୂଳ ଅଞ୍ଚଳ। ପୁଣି ପ୍ରକୃତିର ପ୍ରତାରଣା ଭୟରେ ଭୟଭୀତ ହୋଇପଡ଼ନ୍ତି ଜିଲ୍ଲାବାସୀ । ଅଦିନିଆ ତାଣ୍ଡବରେ କାହା ମଥାର ସିନ୍ଦୁର ପୋଛିହୋଇଯାଏ ତ, କାହାର ପୁଣି ଲିଭିଯାଏ ଜୀବନ ସଳିତା । ଏଇ ଯେମିତି, ଠିକ ଆଜିର ତାରିଖ 2018 ମସିହାରେ ପ୍ରଖର ପ୍ରଚଣ୍ଡଧାରୀ ‘ତିତିଲି’ ରୂପୀ ବାତ୍ୟା ରାଜ୍ୟରେ ରଚିଥିଲା ବିଭୀଷିକା । ଫଳରେ ବଦଳି ଯାଇଥିଲା ଗଜପତି ଜିଲ୍ଲାର ମାନଚିତ୍ର । ଲଗାଣ ବର୍ଷା ପୁଣି ଭୂସ୍ଖଳନ ଯୋଗୁଁ ଅକାରଣରେ ଚାଲିଯାଇଥିଲା 48ଟି ଅମୂଲ୍ୟ ଜୀବନ । ଆଉ ନିଶ୍ଚିନ୍ନ ହୋଇଯାଇଥିଲା ଅନେକ ଗାଁ ।
ଅକ୍ଟୋବର ଆସିଲେ ଗଜପତିକୁ ଘାରେ ‘ତିତିଲି’ ଭୟ
ଅକ୍ଟୋବର ଆସିଲେ ମନେପଡେ ସେଦିନର... ବାତ୍ୟାର ଭୟଙ୍କର ତାଣ୍ଡବ । ଲୋମ ଟାଙ୍କୁରି ଉଠେ । ବା ବତାସର 49 ପବନ ମାଡରେ ସବୁକିଛି ହୋଇଥିଲା ଛାରଖାର । ଆଖି ଯୁଆଡେ ବୁଲାଇବେ ଚାରିଆଡେ ବାତ୍ୟା ମାଡରେ ସବୁକିଛି ଧରାଶାୟୀ । ଥରି ଉଠିଥିଲା ଉପକୂଳ ଅଞ୍ଚଳ । ଆଉ ଆଜକୁ ଠିକ୍ ଦୁଇ ବର୍ଷ ତଳେ ପ୍ରକୃତି ଦେଖାଇଥିବା ସେ କୋପକୁ ଭୁଲିନାହାଁନ୍ତି ଗଜପତିବାସୀ । ଅଧିକ ପଢନ୍ତୁ...
ତେବେ ଇତି ମଧ୍ୟରେ ଘଟଣାକୁ ପୁରିଛି ସମାନ ଦୁଇ ବର୍ଷ । ସର୍ବାଧିକ କ୍ଷତି ହୋଇଥିବା ରାୟଗଡ ବ୍ଲକର ଅନେକ ଗାଁକୁ ପାହାଡରୁ ସମତଳ ସ୍ଥାନକୁ ଆଣି ଥଇଥାନ କରାଯାଇଛି । ହେଲେ ସେମାନଙ୍କୁ ମୌଳିକ ସୁବିଧା ଯୋଗାଇବାରେ କିନ୍ତୁ ଫେଲ ମାରିଛି ପ୍ରଶାସନ । ରାୟଗଡ ବ୍ଲକର ତାମତରା ଗାଁ । ତିତିଲି ବାତ୍ୟାରେ ଏହି ଗାଁ ର ଅନେକ ଘର ନଷ୍ଟ ହୋଇଥିବାବେଳେ ବିଦ୍ୟୁତ ସେବା ମଧ୍ୟ ପ୍ରଭାବିତ ହୋଇଥିଲା । ହେଲେ ଆଜି ଯାଏଁ ଏହି ଗାଁର ଲୋକଙ୍କୁ ଘର କିମ୍ବା ବିଜୁଳି ମିଳି ପାରି ନାହିଁ । ସେଥିପାଇଁ ସେମାନେ ଆଜି ବି ପାହାଡ ଉପରେ ଭଙ୍ଗା ଘର ଭିତରେ ବିନା ଆଲୁଅରେ ରହୁଛନ୍ତି ।
ଗତ 2018 ଅକ୍ଟୋବର ମାସରେ ତିତିଲି ବାତ୍ୟା ତାଣ୍ଡବ ରଚିଥିବାବେଳେ ଗତ ବର୍ଷ ମଧ୍ୟ ଲଗାଣ ବର୍ଷା ଯୋଗୁଁ ଭୁସ୍ଖଳନ ହାେଇଥିଲା । ଏବେ ପୁଣି ଏକ ବଡ ଧରଣର ବର୍ଷା ଆସୁଥିବା ଶୁଣି ଗଜପତିବାସୀ ଭୟଭୀତ ହୋଇପଡିଛନ୍ତି। ଆସନ୍ତା ୧୧ ତାରିଖରୁ ୧୩ତାରିଖ ଯାଏଁ ଜିଲ୍ଲାରେ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସେପଟେ ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ଅନୁପମ ଶାହା ପ୍ରେସ୍ ବିବୃତି ମାଧ୍ୟମରେ ଭୟ କରିବାର ଆବଶ୍ୟକତା ନାହିଁ ବୋଲି କହିଛନ୍ତି । ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ପ୍ରଶାସନ ସଂପୂର୍ଣ୍ଣ ପ୍ରସ୍ତୁତ ରହିଥିବା ମଧ୍ୟ କହିଛନ୍ତି । ବାହାଘର ବେଳେ ବାଇଗଣ ରୁଆ ଭଳି, ବନ୍ୟା ବାତ୍ୟା ଆସିଲେ ସରକାରଙ୍କ ମନେପଡେ ପ୍ରସ୍ତୁତି ପକ୍ରିୟା । କିନ୍ତୁ ପରବର୍ତ୍ତୀ ସମୟରେ ପ୍ରଶାସନର ପ୍ରତିଶ୍ରୁତି ଆଉ ଘୋଷଣା ଫାଇଲ ଭିତରେ ଲକ ହୋଇଯାଉଛି ।
ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ