ଗଜପତି: ଜିଲ୍ଲାରେ ଗତ ଅକ୍ଟୋବର ମାସରେ ସାମୁଦ୍ରିକ ଝଡ 'ତିତଲି' ବହୁ କ୍ଷୟକ୍ଷତି କରିଥିଲା । ଏହାର ପ୍ରଭାବରେ ଜିଲ୍ଲାରେ ଅନେକ ଗଛ ମଧ୍ୟ ପଡି ନଷ୍ଟ ହୋଇଥିଲା । ତେବେ ଏହାକୁ କାଟି ସଫା କରିବା ଆଳରେ କାଠ ମାଫିଆମାନେ ଜୀବନ୍ତ ଗଛକୁ କାଟି ଦେଉଥିବା ଅଭିଯୋଗ ହୋଇଛି । ବନ ବିଭାଗ ନିକଟରେ ବାରମ୍ବାର ଅଭିଯୋଗ ପରେ ମଧ୍ୟ କୌଣସି ସୁଫଳ ନମିଳିବାରୁ ଜଣେ ବ୍ୟକ୍ତି ଭିଜିଲାନ୍ସର ଦ୍ବାରସ୍ତ ହୋଇଥିବାବେଳେ ଏହାର ତଦନ୍ତ ବର୍ତ୍ତମାନ ଆରମ୍ଭ ହୋଇଛି ।
ପାରଳାଖେମୁଣ୍ଡି ଉପକଣ୍ଠ ସାନ ରାଣିପେଣ୍ଠା ନିକଟରେ ପ୍ରାୟ 84ଟି ଗଛ ପଡି ଯାଇଥିବାବେଳେ ଏହାକୁ ସଫା କରିବା ପାଇଁ ବନ ବିଭାଗ ପକ୍ଷରୁ 4ଜଣଙ୍କୁ ଦାୟିତ୍ବ ଦିଆଯାଇଛି । ତେବେ ଏମାନେ ଏହି ଗଛ ସହ ବହୁ ଜୀବନ୍ତ ଗଛକୁ ମଧ୍ୟ କାଟି ନେଇ ଆନ୍ଧ୍ରକୁ ଚାଲାଣ କରୁଥିବା ଅଭିଯୋଗ ହୋଇଛି । ଏସମ୍ପର୍କରେ ରାମାନୁଜ ଦାଶ ନାମକ ଜଣେ ବ୍ୟକ୍ତି ବାରମ୍ବାର ବନ ବିଭାଗର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା । ଫଳରେ ସେ ବାଧ୍ୟ ହୋଇ ଭିଜିଲାନ୍ସର ଦ୍ବାରସ୍ଥ ହୋଇଥିଲେ ।
ଏହି ଅଭିଯୋଗ ପାଇବା ପରେ ଭିଜିଲାନ୍ସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି । ତଦନ୍ତ ପାଇଁ ଆସିଥିବା ଟିମକୁ ସହଯୋଗ କରିବା ପାଇଁ ଘଟଣାସ୍ଥଳକୁ ଯାଇଥିବାବେଳେ କାଠ ମାଫିଆମାନେ ଅଭିଯୋଗକାରୀଙ୍କ ଉପରେ ଆକ୍ରମଣ କରିବା ସହ ବିଭିନ୍ନ ପ୍ରକାର ଧମକ ଚମକ ଦେଇଥିବା ସେ ଅଭିଯୋଗ କରିଛନ୍ତି ।