ଗଜପତି:ରାଜ୍ୟ ଶ୍ରମ ଓ ସମନ୍ବୟ ସ୍ଵତନ୍ତ୍ର ସଚିବ ଚିତ୍ରା ଅରୁମୁଗମ ଦିନିକିଆ ଗସ୍ତରେ ଆସି ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ସମୀକ୍ଷା କରିଛନ୍ତି । ଏହା ପରେ ସ୍ବତନ୍ତ୍ର ସଚିବ ଚିତ୍ରା ଅରୁମୁଗମ ସାମ୍ବାଦିକ ସମ୍ମିଳନୀରେ ଖୁସି ବ୍ୟକ୍ତ କରିଛନ୍ତି । ତେବେ ଏହି ଗସ୍ତରେ ସ୍ଵତନ୍ତ୍ର ସଚିବଙ୍କ ସହିତ ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ରୋମାଞ୍ଚଳ ଖମାରୀ, ଜିଲ୍ଲା ପ୍ରକଳ୍ପ ସଂଯୋଜକଙ୍କ ସମେତ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।
ତେବେ ସ୍ବତନ୍ତ୍ର ସଚିବ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟକ୍ରମକୁ ବୁଲି ଦେଖିବା ସହିତ ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କ ସହିତ କଥା ହୋଇ ବିଭିନ୍ନ ୟୁନିଟ ଯାଇ ଆଲୋଚନା କରିଥିଲେ । ସେହିପରି ରାୟଗଡ଼ା ବ୍ଲକର ଗଣ୍ଡାହାତୀ ଗ୍ରାମର ଆଦର୍ଶ ଅଙ୍ଗନୱାଡ଼ି କେନ୍ଦ୍ର ବୁଲି ଦେଖିବା ସହିତ ଗ୍ରାମ ପଞ୍ଚାୟତକୁ ଯାଇ ମଧୁବାବୁ ପେନ୍ସନ୍ ଯୋଜନାରେ ଭତ୍ତା ପାଉଥିବା ହିତାଧିକାରୀଙ୍କ ସହିତ କଥା ହୋଇଥିଲେ । ସେହିପରି ଜିରାଙ୍ଗରେ ଥିବା ସ୍ୱୟଂ ସହାୟିକା ଗୋଷ୍ଠୀର ସିଲେଇ କାମ ବୁଲି ଦେଖିବା ସହିତ ସେମାନଙ୍କର ଉନ୍ନତି ଉପରେ ଆଲୋଚନା କରିଥିଲେ । ଏଥିସହ 5T ଉଚ୍ଚ ବିଦ୍ୟାଳୟକୁ ମଧ୍ୟ ପରିଦର୍ଶନ କରିଥିଲେ ।