ଓଡିଶା

odisha

ETV Bharat / state

ସିଣ୍ଡିବୁର ଗ୍ରାମବାସୀଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ପ୍ରଦାନ କଲେ ଏସପି ସାରା ଶର୍ମା

ପୋଷ୍ୟ ଗ୍ରହଣ କରିବାର ୧୦ ଦିନ ମଧ୍ୟରେ ତୃତୀୟ ଥର ପାଇଁ ଗାଁରେ ପହଞ୍ଚି ଲୋକଙ୍କୁ ଅତ୍ୟାବଶ୍ୟକୀୟ ସାମଗ୍ରୀ ପ୍ରଦାନ କରିଛନ୍ତି ଗଜପତି ଏସପି ସାରା ଶର୍ମା । ଏନେଇ ବଣପାହାଡ ଘେରା ସିଣ୍ଡିବୁର ଗ୍ରାମବାସୀ ନିଜର ଖୁସି ବ୍ୟକ୍ତ କରିଥିବା ବେଳେ ଆଦିବାସୀଙ୍କ ଉନ୍ନତି ପାଇଁ ସାରାଙ୍କ ଏଭଳି ପଦକ୍ଷେପକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି । ଅଧିକ ପଢନ୍ତୁ...

ସିଣ୍ଡିବୁର ଗ୍ରାମବାସୀଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ପ୍ରଦାନ କଲେ ଏସପି ସାରା ଶର୍ମା
ସିଣ୍ଡିବୁର ଗ୍ରାମବାସୀଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ପ୍ରଦାନ କଲେ ଏସପି ସାରା ଶର୍ମା

By

Published : Jun 22, 2020, 10:14 PM IST

ଗଜପତି: ପୋଷ୍ୟ ଗ୍ରହଣ କରିବାର ୧୦ ଦିନ ମଧ୍ୟରେ ତୃତୀୟ ଥର ପାଇଁ ଗାଁରେ ପହଞ୍ଚି ଲୋକଙ୍କୁ ଅତ୍ୟାବଶ୍ୟକୀୟ ସାମଗ୍ରୀ ପ୍ରଦାନ କରିଛନ୍ତି ଗଜପତି ଏସପି ସାରା ଶର୍ମା । ଏନେଇ ବଣ ପାହାଡ ଘେରା ସିଣ୍ଡିବୁର ଗ୍ରାମବାସୀ ନିଜର ଖୁସି ବ୍ୟକ୍ତ କରିଥିବା ବେଳେ ଆଦିବାସୀଙ୍କ ଉନ୍ନତି ପାଇଁ ସାରାଙ୍କ ଏଭଳି ପଦକ୍ଷେପକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି । ପ୍ରାଥମିକ ଭାବେ ସେମାନଙ୍କ ଅତ୍ୟାବଶ୍ୟକ ସାମଗ୍ରୀ ପ୍ରଦାନ କରାଯାଇଥିବା ଏସପି ସାରା ଶର୍ମା କହିଛନ୍ତି । ପ୍ରଶାସନ ସହଯୋଗରେ ଏହି ଗାଁର ଉନ୍ନତି ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯିବ ସେ ପ୍ରକାଶ କରିଛନ୍ତି ।

ସିଣ୍ଡିବୁର ଗ୍ରାମବାସୀଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ପ୍ରଦାନ କଲେ ଏସପି ସାରା ଶର୍ମା

କୋରୋନା ମାଡରେ ସାରା ଦେଶର ସ୍ଥିତି ବେହାଲ । ଏଭଳି ସ୍ଥିତିରେ ପ୍ରକୃତ ଗରିବ ଲୋକଙ୍କ ଅବସ୍ଥା କିଭଳି ଥିବ ତାହା ସହଜେ ଅନୁମେୟ । ତେଣୁ ସେଭଳି ଲୋକଙ୍କୁ ସହାୟତା ଯୋଗାଇବା ପାଇଁ ହିଦାତୁଲ୍ଲା ନ୍ୟାସନାଲ ଲ' ୟୁନିଭରସିଟିର ପୁରାତନ ଛାତ୍ର ସଂଘ ଚାହୁଁଥିବା ବେଳେ ଏଠାକାର ପୂର୍ବତନ ଅଧ୍ୟାପିକା ତଥା ଗଜପତି ଏସପି ସାରା ଶର୍ମାଙ୍କୁ ପ୍ରସ୍ତାବ ଦେଇଥିଲେ । ଫଳରେ ସବୁବେଳେ ସାଧାରଣ ଲୋକଙ୍କ ଉନ୍ନତି କଥା ଚାହୁଁଥିବା ଏହି ଲେଡି ଆଇପିଏସ ପ୍ରକୃତ ଆବଶ୍ୟକତା ଥିବା ଗାଁକୁ ଖୋଜିବାକୁ ଲାଗିଥିଲେ । ତେବେ ଗତ ୧୨ ତାରିଖ ଦିନ ସେ ପହଞ୍ଚିଥିଲେ ସିଣ୍ଡିବୁର ଗାଁରେ । ଏଠାକାର ଲୋକଙ୍କ ସ୍ଥିତିକୁ ଦେଖିବା ପରେ ଏହି ଗାଁକୁ ହିଁ ପୋଷ୍ୟ ଭାବେ ଗ୍ରହଣ କରି ସହାୟତା ଯୋଗାଇବାକୁ ମନସ୍ଥ କରିଥିଲେ ।

ପରଦିନ ସେ ପୁଣି ସେହି ଗାଁକୁ ଯାଇ ଲୋକଙ୍କ ସହ ଆଲୋଚନା କରିଥିଲେ ଏବଂ ସେମାନଙ୍କ ପ୍ରାଥମିକ ଆବଶ୍ୟକତା କ'ଣ ତାହା ଜାଣିବାକୁ ଚାହିଁଥିଲେ । ଲୋକଙ୍କ ଆବଶ୍ୟକତା ଅନୁସାରେ ସୋମବାର ସମସ୍ତ ପ୍ରକାର ସାମଗ୍ରୀ ସାଙ୍ଗରେ ନେଇ ପୁଣି ସେହି ଗାଁରେ ପହଞ୍ଚିଥିଲେ ସାରା । ସେଗୁଡିକ ଲୋକଙ୍କୁ ଦେବା ସହ ଭବିଷ୍ୟତରେ ଏହି ଗାଁର ଉନ୍ନତି କିଭଳି ହେବ ସେନେଇ ପ୍ରଶାସନ ସହ ଆଲୋଚନା କରିବେ ବୋଲି କହିଛନ୍ତି । ଜିଲ୍ଲା ପ୍ରଶାସନ ସହ ପ୍ରାଥମିକ ଭାବେ ଆଲୋଚନା ଆରମ୍ଭ ହୋଇଥିବା ବେଳେ ପାହାଡ ଉପରେ ଥିବା ଏହି ଗାଁକୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ଯୋଜନା କରାଯାଉଥିବା ଏସପି ସୂଚନା ଦେଇଛନ୍ତି । ତେବେ ଏଥିପାଇଁ ଗ୍ରାମବାସୀମାନେ ପ୍ରଥମେ ରାଜି ହେବା ଆବଶ୍ୟକ । ନଚେତ ସେମାନଙ୍କ ପାଇଁ ପକ୍କା ରାସ୍ତା ନିର୍ମାଣ କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି । ଆଜିର ସାମଗ୍ରୀ କିଣାରେ ହିଦାତୁଲ୍ଲା ନ୍ୟାସନାଲ ଲ’ ୟୁନିଭରସିଟିର ପୁରାତନ ଛାତ୍ର ସଂଘ କିଛି ଟଙ୍କା ସହାୟତା କରିଥିବା ଅନ୍ୟଜଣେ ସ୍ଥାନୀୟ ବ୍ୟବସାୟୀ ଓ ଗଜପତି ପୁଲିସ ମଧ୍ୟ କିଛି ସହାୟତା କରିଥିବା ଏସପି କହିଛନ୍ତି ।

ଗଜପତି ଜିଲ୍ଲା ଭୁବୁନି ପଞ୍ଚାୟତର ସିଣ୍ଡିବୁର ଗାଁ । ପାହାଡି ଇଲାକାରେ ଥିବା ଏହି ଗାଁରେ ୧୯ଟି ଆଦିବାସୀ ପରିବାର ବସବାସ କରୁଥିବା ବେଳେ ଆଜି ଯାଏଁ ଏହି ଗାଁକୁ ରାସ୍ତା ଖଣ୍ଡିଏ ମଧ୍ୟ ହୋଇପାରିନାହିଁ । ଆଜି ବି ପାଦଚଲା ରାସ୍ତା ହିଁ ଲୋକଙ୍କ ଯିବା ଆସିବାର ମାଧ୍ୟମ ପାଲଟିଛି । ସେହିପରି ବିଶୁଦ୍ଧ ପାନୀୟ ଜଳ ବି ଏମାନଙ୍କ ପାଇଁ ସାତସପନ । ଏହି ଗାଁର ଲୋକେ ସମସ୍ୟା ସଂପର୍କରେ ବିଭିନ୍ନ ସମୟରେ ସ୍ଥାନୀୟ ସରପଞ୍ଚଙ୍କ ଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନ ଯାଏ ସମସ୍ତଙ୍କୁ ଜଣାଇଥିଲେ ମଧ୍ୟ କିଛି ସୁଫଳ ମିଳିନଥିଲା । ଏପରିକି ଦିନଟିଏ ପାଇଁ କେହି ଜଣେ ହେଲେ ଅଧିକାରୀ ଗାଁକୁ ଯାଇନଥିଲେ । ହେଲେ ଜିଲ୍ଲାର ଜଣେ ଏସପି ଗାଁକୁ ବାରମ୍ବାର ଯାଇ ସେମାନଙ୍କ କଥା ଶୁଣିବା ସହ ସେମାନେ କହିଥିବା ସାମଗ୍ରୀ ପ୍ରଦାନ କରିଥିବାରୁ ସମସ୍ତ ଗ୍ରାମବାସୀ ଖୁସି ପ୍ରକାଶ କରିଛନ୍ତି । ଏସପି ସୋମବାର ସେମାନଙ୍କ ମୌଳିକ ସମସ୍ୟା ବୁଝିଥିବା ବେଳେ ସେଗୁଡିକର ସମାଧାନ ପାଇଁ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିବାରୁ ଅତିଶୀଘ୍ର ସେମାନଙ୍କ ଭାଗ୍ୟ ପରିବର୍ତ୍ତନ ହେବା ନେଇ ଗ୍ରାମବାସୀ ଆଶା ରଖିଥିବା କହିଛନ୍ତି ।

ପ୍ରତିକୂଳ ପାଗ ସତ୍ତ୍ବେ ଖୋଦ ଏସପି ଏକାଧିକ ଥର ସେହି ଗାଁକୁ ଯିବା ସହ ଲୋକଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ପ୍ରଦାନ କରିବା ନିଶ୍ଚିତ ଭାବେ ଅନ୍ୟ ଅଧିକାରୀଙ୍କ ପାଇଁ ଉଦାହରଣ । ତେଣୁ ଏସପିଙ୍କ ଏଭଳି କାର୍ଯ୍ୟକୁ ବିଭିନ୍ନ ମହଲରେ ସ୍ଵାଗତ କରାଯାଇଛି ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ABOUT THE AUTHOR

...view details