ଗଜପତି: ଆଦିବାସୀଙ୍କ ଅନେକ ପାରମ୍ପରିକ ଖାଦ୍ୟ ମଧ୍ୟରୁ କାଇ ଚଟଣୀ ହେଉଛି ଅନ୍ୟତମ । ଏଥିରେ ଔଷଧୀୟ ଗୁଣ ଥିବା ଯୁକ୍ତି କରନ୍ତି ଆଦିବାସୀ ସଂପ୍ରଦାୟର ଲୋକେ । ତେଣୁ ଏହାକୁ ପିଲା ଠାରୁ ବୁଢା ସମସ୍ତେ ଖାଇଥାନ୍ତି । ହେଲେ ଏହା ଏକ ଅଖାଦ୍ୟ ଏବଂ ଏହାଦ୍ବାରା ବିଭିନ୍ନ ପ୍ରକାର ରୋଗ ବ୍ୟାପିବା ସମ୍ଭବନା ରହିଥିବା କହୁଛନ୍ତି ବିଶେଷଜ୍ଞ । ତଥାପି ଏହାକୁ ନେଇ ସଚେତନ ହୋଇନାହାନ୍ତି ଆଦିବାସୀ ।
'କାଈ ଚଟଣି ଆମ ପାଇଁ ଖାଦ୍ୟ ଓ ଔଷଧ' ବିଂଶ ଶତାବ୍ଦୀରେ ପାଦ ଥାପିଛି ମଣିଷ । ଲୋକେ ଚନ୍ଦ୍ରପୃଷ୍ଠକୁ ଯିବା ସହ ମଙ୍ଗଳ ଗ୍ରହରେ ଘର କରିବାକୁ ଯୋଜନା ପ୍ରସ୍ତୁତ କରିଲେଣି । ହେଲେ ଏବେବି ଏମିତି କିଛି ଅଞ୍ଚଳ ରହିଛି ଯେଉଁଠି ଲୋକେ ସେମାନଙ୍କ ପାରମ୍ପାରିକ ଖାଦ୍ୟ ଏବଂ ଔଷଧକୁ ନେଇ ବଞ୍ଚିଛନ୍ତି । ଏପରି ଏକ ଅଂଚଳ ହେଉଛି ଗଜପତି ଜିଲ୍ଲାର ଗୁମା ବ୍ଲକ । ଏହି ବ୍ଲକର ସାରୀ ଗାଁକୁ ସେମାନଙ୍କ ସମସ୍ୟା ସମ୍ବଳିତ ଏକ ଖବର ପରିବେଷଣ କରିବା ପାଇଁ ଯାଇଥିବା ବେଳେ ଆଦିବାସୀଙ୍କ ପାରମ୍ପରିକ ଖାଦ୍ୟକୁ ନେଇ ଏକ ରୋଚକ ତଥ୍ୟ ଆମ ସାମ୍ନାକୁ ଆସିଥିଲା । ତାହା ହେଉଛି କାଇ ଚଟଣୀ । ଲୋକେ ପଖାଳ ଏବଂ ମାଣ୍ଡିଆ ଜାଉ ସହ ଏହି ଚଟଣି ଖାଉଥିବା ଦେଖାଯାଇଥିଲା । ଏସମ୍ପର୍କରେ ଜାଣିବା ପାଇଁ ସେହି ଗାଁର କିଛି ଲୋକଙ୍କ ସହ ଆମେ ଆଲୋଚନା କରିଥିଲୁ । ସେମାନଙ୍କ ଠାରୁ ଏହାର ପ୍ରସ୍ତୁତି ସହ ଏହା ଖାଇବା ପଛରେ ଥିବା ବିଶ୍ବାସ ସମ୍ପର୍କରେ ଜାଣିବା ପରେ ଏହାର ଆଶ୍ଚର୍ଯ୍ୟ ଲାଗିଥିଲା ।
ଗଛରେ ଥିବା କାଇ ପୁଡାକୁ ବାହାର କରିବା ପରେ ସେମାନେ ଏହାକୁ ନିଆଁରେ ପୋଡିବା ପରେ ସେଗୁଡିକୁ ନେଇ ପିଆଜ, ରସୁଣ, ଲୁଣ ଏବଂ ଲଙ୍କା ଆଦି ଦେଇ ପଥର ସାହାଯ୍ୟରେ ବାଟି ଚଟଣୀ ପ୍ରସ୍ତୁତ କରିଥାନ୍ତି । ଗରମ ମାଣ୍ଡିଆ ଜାଉ କିମ୍ବା ପଖାଳ ସହ ଏହାକୁ ଖାଇଥାନ୍ତି ଏମାନେ । ଏହା କେବଳ ଏକ ଚାଖଣା ଭାବେ ବ୍ୟବହାର ହୋଇନଥାଏ । ବରଂ ଏହା ଦ୍ବାରା ଅନେକ ରୋଗରୁ ମଧ୍ୟ ଉପଶମ ମିଳିଥାଏ ବୋଲି କହିଛନ୍ତି ଏହି ଗାଁର ଲୋକେ । ଏହା ଖାଇବା ଦ୍ବାରା ଆଣ୍ଠୁଗଣ୍ଠି ବାତ ଠାରୁ ଆରମ୍ଭ କରି ଦୃଷ୍ଟିଶକ୍ତି ସୁଦୃଢ କରିବା ଯାଏଁ ସବୁକିଛି ପାଇଁ କାମ ଦେଇଥାଏ । ଏହାକୁ ଆମ ପୂର୍ବପୁରୁଷମାନେ ଖାଉଥିଲେ ଏବଂ ବର୍ତ୍ତମାନ ଆମେ ଖାଉଛୁ । ତେଣୁ ଏହା ଏକ ପାରମ୍ପରିକ ଖାଦ୍ୟ ସହ ଔଷଧ ମଧ୍ୟ ବୋଲି କହିଛନ୍ତି ଏଠାକାର ଲୋକେ । ଏପରିକି ସାରା ବିଶ୍ବ କରୋନା ଆକ୍ରାନ୍ତରେ ହୋଇଥିବା ବେଳେ ଆମ ଅଞ୍ଚଳରେ ଏହା ହୋଇନାହିଁ । ଏହାର କାରଣ ଏହି କାଇ ବୋଲି ସେମାନେ କହିଛନ୍ତି ।
କେବଳ ସାରୀ ଗାଁ କିମ୍ବା ଗୁମ୍ମା ବ୍ଲକରେ ନୁହେଁ ବରଂ ଅଧିକାଂଶ ଆଦିବାସୀ ଏହା ଖାଉଥିବା କହିଛନ୍ତି ଗ୍ରାମବାସୀ । ସେହିପରି ଏଥିରେ ଯଥେଷ୍ଟ ପରିମାଣର ଔଷଧୀୟ ଗୁଣ ଥିବା ବିଶ୍ବାସ ରହିଥିବାରୁ ସବୁ ବୟସର ଲୋକେ ଏହାକୁ ଖାଉଥିବା କହିଛନ୍ତି ଗାଁର ୱାର୍ଡ ମେମ୍ବର । ଏନେଇ ଗଜପତି ଜିଲ୍ଲାର ଜଣେ ଭେଷଜ ବିଶେଷଜ୍ଞଙ୍କ ମତ ଅନୁସାରେ, କୌଣସି ପୁସ୍ତକରେ କାଇରେ ଔଷଧୀୟ ଗୁଣ ଥିବା ନେଇ ଉଲ୍ଲେଖ ନାହିଁ । ବରଂ ଏହା ହେଉଛି ଆମ ପାଇଁ ଅଖାଦ୍ୟ । ଏହାକୁ ଖାଇବା ଦ୍ବାରା ପେଟ ରୋଗ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ତେଣୁ ଏସବୁ ଖାଇବା ଅନୁଚିତ । ଆଦିବାସୀମାନେ ପାରମ୍ପରିକ ଖାଦ୍ୟ ଭାବେ ଏହାକୁ ଖାଉଛନ୍ତି । ସେମାନଙ୍କୁ ସଚେତନ କରାଯିବା ସହ ଏଥିରୁ ନିବୃତ ରଖାଯିବାର ଆବଶ୍ୟକତା ରହିଛି ବୋଲି ଡାକ୍ତର କହିଛନ୍ତି ।
ଆଦିବାସୀଙ୍କ ଜୀବନଶୈଳୀରେ ପରିବର୍ତ୍ତନ ଆଣିବା ପାଇଁ ସରକାର ବିଭିନ୍ନ ପ୍ରକାର ଯୋଜନା ପ୍ରସ୍ତୁତ କରୁଛନ୍ତି । ଏହି ଯୋଜନାକୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ସରକାରଙ୍କ ଠାରୁ ଆରମ୍ଭ କରି ସ୍ଵଛାସେବୀ ସଂସ୍ଥାମାନେ ଏହି ଅଞ୍ଚଳରେ କାମ କରୁଛନ୍ତି । ମାତ୍ର ଆଦିବାସୀମାନେ ଆଜି ପର୍ଯ୍ୟନ୍ତ ଏପରି ଚିନ୍ତାଧାରାରୁ ବାହାରି ପାରିନାହାନ୍ତି ।
ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ