ଗଜପତି: ଛାଡିଯାଇଛି ବର୍ଷା । ଦେଇଯାଇଛି ଦାରୁଣ ଦୁଃଖ । ନିଶ୍ଚିହ୍ନ 20 ପରିବାର । ଖୋଲା ଆକାଶ ତଳେ ବିତୁଛି ଜୀବନ । ହରାଇଛନ୍ତି ସବୁକିଛି । ମାଟି ତଳେ ପୋତି ହୋଇଯାଇଛି ସାଇତା ସମ୍ପତ୍ତି । କିପରି ଚଳିବେ ଘାରିଛି ଚିନ୍ତା । କିନ୍ତୁ ଆଶା ହରାଇ ନାହାନ୍ତି। ପରିସ୍ଥିତି ସ୍ବାଭାବିକ ପରେ ଆରମ୍ଭ କରିଛନ୍ତି ଖୋଜାଖୋଜି । ଆତୁର ହୋଇ ଖୋଳିଚାଲିଛନ୍ତି କାଦୁଅ ମାଟି । ଟିକେ ଭଲକରି ଦେଖନ୍ତୁ ଏ ଦୃଶ୍ୟକୁ । ହାତ, କୋଦାଳ- ଯାହା ପାଇଲେ ସେଥିରେ ଖୋଳୁଛନ୍ତି । ଆଶା କାଳେ କିଛି ମିଳିଯିବ । କିନ୍ତୁ ବାହାରୁଛି କେବଳ ପୁଳା ପୁଳା ମାଟି । ଏହି ଦୃଶ୍ୟ ହେଉଛି ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ବଡକଳାକଟୋର ମାଟି ଅତଡା ଧସିବା ପରର ଦୃଶ୍ୟ...
ମାଟି ଅତଡା ଧସିବା ପରେ ଗାଁରେ ପହଞ୍ଚିଥିଲା ପ୍ରଶାସନ । କ୍ଷତିଗ୍ରସ୍ତଙ୍କୁ 2ଟି ରିଲିଫ କ୍ୟାମ୍ପରେ ରଖିବା ସହ ରନ୍ଧାଖାଦ୍ୟ ମଧ୍ୟ ପ୍ରଦାନ କରିଥିଲା । କ୍ଷତିଗ୍ରସ୍ତଙ୍କ ନିକଟରେ ପହଞ୍ଚିଥିଲେ ଆଦିବାସୀ ଉନ୍ନୟନ ମନ୍ତ୍ରୀ ଜଗନ୍ନାଥ ସାରକା ଓ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ । ଲୋକଙ୍କ ସହ ଆଲୋଚନା କରିବା ସହ ସେମାନଙ୍କୁ ଅତିଶୀଘ୍ର ସହାୟତା ଯୋଗାଇ ଦିଆଯିବ ବୋଲି ଦେଇଛନ୍ତି ପ୍ରତିଶୃତି ।