ଗଜପତି: କାଶୀନଗର ଅଞ୍ଚଳରେ ଛାତିଥରା ଘଟଣା । ପାରିବାରିକ କଳହକୁ ନେଇ ନୃଶଂସ ପାଲଟିଗଲା ସ୍ବାମୀ । ଯେଉଁ ସିନ୍ଥିରେ ସିନ୍ଦୁର ଭରି ସାତ ଜନ୍ମ ସାଥି ହୋଇ ରହିବାକୁ ମିଠା ମିଠା ପ୍ରତିଶୃତି ଦେଇଥିଲା । ସେହି ମୁଣ୍ଡକୁ ଶରୀରରୁ ଅଲଗା କରିଦେଲା ସଇତାନ ସ୍ବାମୀ । ପରେ କଟାମୁଣ୍ଡକୁ ଧରି ଘରକୁ ଫେରିଲା ଜହ୍ଲାଦ ସ୍ବାମୀ । ଏଭଳି ବୀଭତ୍ସ ହତ୍ୟାକାଣ୍ଡ ଘଟିଛି ଗଜପତି ଜିଲ୍ଲା କାଶୀନଗର ଥାନା ଅନ୍ତର୍ଗତ ସାରା ଗ୍ରାମରେ । ମୃତକ ଜଣଙ୍କ ହେଉଛନ୍ତି ଉର୍ମିଳା କାର୍ଯି । ହତ୍ୟା ଘଟଣାରେ ସ୍ବାମୀ ଚନ୍ଦ୍ରଶେଖର କାର୍ଯିକୁ ପୋଲିସ ଅଟକ ରଖିଛି ।
କ୍ଷେତରେ ବିଗିଡିଲା ସମ୍ପର୍କ:ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳେ ସ୍ବାମୀ ଚନ୍ଦ୍ରଶେଖର ଓ ସ୍ତ୍ରୀ ଉର୍ମିଳା ମିଶି ବଗଡକୁ ଚାଷ କରିବା ପାଇଁ ଯାଇଥିଲେ । କୌଣସି କାରଣକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ଯାହା ପରବର୍ତ୍ତୀ ସମୟରେ ଉଗ୍ରରୂପ ନେଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ସ୍ବାମୀ ଚନ୍ଦ୍ରଶେଖର କାର୍ଯି ହାତରେ ଧରିଥିବା କଟୁରିରେ ସ୍ତ୍ରୀ ଉର୍ମିଳା କାର୍ଯିର ମୁଣ୍ଡକୁ ଗଣ୍ଡିରୁ ଅଲଗା କରିଦେଇଥିଲା । ଏହାପରେ ଘଟଣାସ୍ଥଳରେ ଗଣ୍ଡିକୁ ଛାଡ଼ିଦେଇ କଟା ମୁଣ୍ଡକୁ ସାଙ୍ଗରେ ଧରି ଚନ୍ଦ୍ରଶେଖର ଘରକୁ ଆସିଥିଲା ।
4 ବର୍ଷ ତଳେ ହୋଇଥିଲା ବିବାହ: ଏନେଇ ଖବର ପାଇ କାଶୀନଗର ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ହତ୍ୟାକାରୀ ସ୍ବାମୀକୁ ଅଟକ ରଖି ତଦନ୍ତ ଆରମ୍ଭ କରିଥିବା ଥାନା ଅଧିକାରୀ ସୁଶାନ୍ତ ସାହୁ କହିଛନ୍ତି । ଚନ୍ଦ୍ରଶେଖର ଏବଂ ଉର୍ମିଳାଙ୍କ ବିବାହ ୪ ବର୍ଷ ହେଲା ହୋଇଥିଲା । ଉଭୟଙ୍କ ମଧ୍ୟରେ ପାରିବାରିକ କଳହ ଲାଗି ରହିଥିଲା । ଯାହାର କରୁଣ ପରିଣତି ଆଜି ଦେଖିବାକୁ ମିଳିଛି । ଏପରି ହତ୍ୟାକାଣ୍ଡ ପରେ ସାରା ଗ୍ରାମରେ ଚାଞ୍ଚଲ୍ୟ ଖେଳିଯାଇଛି ।