ଗଜପତି: କଷ୍ଟଅର୍ଜିତ ଟଙ୍କାରେ ଜମି କ୍ରୟ । ପାଖରେ ଜାଗା ପଞ୍ଜୀକରଣ ପଟ୍ଟା । ଏପରିକି ଘର ନିର୍ମାଣ ସାରି ସେଠାରେ ଲୋକେ ରହୁଛନ୍ତି । ହେଲେ ଦୀର୍ଘ 22 ବର୍ଷ ଧରି ମୂଲ ଲାଗି ମୁଣ୍ଡ ଝାଳ ତୁଣ୍ଡରେ ମାରିଥିବା ଏହି ଘରକୁ ବର୍ତ୍ତମାନ ସରକାରୀ ବୋଲି କହୁଛନ୍ତି ରାଜସ୍ବ ବିଭାଗର ଅଧିକାରୀ । ଏ ଅବସ୍ଥା ହେଉଛି ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ହାତିବାଡି ଗାଁର 15 ଆଦିବାସୀଙ୍କ । ରାଜସ୍ବ ନିରୀକ୍ଷକ ଗାଁରେ ପହଞ୍ଚି ତୁରନ୍ତ ଘର ଛାଡି ଚାଲିଯିବା ପାଇଁ ତାଗିଦ କରିବା ପରେ ଏମାନଙ୍କ ମୁଣ୍ଡରେ ଚଡକ ପଡିଛି ।
ଭିଡିଓ ସୌଜନ୍ୟ: ପ୍ରତିନିଧି, ଗଜପତି ସୂଚନା ଅନୁସାରେ, ଗଜପତି ଜିଲ୍ଲା ଗୋଷାଣୀ ବ୍ଲକର ହାତିବାଡି ଗାଁ । 1997 ମସିହାରେ କିଛି ଆଦିବାସୀ ପରିବାର ଜାଗା ଖଣ୍ଡିଏ କିଣି ଏଠାରେ ଆରମ୍ଭ କରିଥିଲେ ଜନବସତି । ଆଦିବାସୀମାନେ ମୁଲ ଲାଗି ଯାହା ସଞ୍ଚୟ କରିଥିଲେ ସେଥିରୁ ଜାଗା ଖଣ୍ଡିଏ କିଣିଥିଲେ । ଏହାପରେ ଗ୍ରାମବିକାଶ ସହାୟତାରେ ଘର ନିର୍ମାଣ କରି ରହିଆସୁଛନ୍ତି । ଏମାନଙ୍କ ନାଁରେ ଜାଗା ପଞ୍ଜୀକରଣ ହୋଇଥିବା ବେଳେ ପଟ୍ଟା ମଧ୍ୟ ରହିଛି ।
ତେବେ ଗତ କିଛି ଦିନ ତଳେ ସ୍ଥାନୀୟ ରାଜସ୍ବ ନିରୀକ୍ଷକ ଗାଁରେ ପହଞ୍ଚି ଏହା ସରକାରୀ ଜାଗା ବୋଲି କହିବା ସହ ତୁରନ୍ତ ଏଠାରୁ ଛାଡି ଚାଲିଯିବା ପାଇଁ ତାଗିଦ କରିବା ପରେ ଏମାନଙ୍କ ମୁଣ୍ଡରେ ଚଡକ ପଡିଥିଲା । ଲୋକେ ତହସିଲଦାରଙ୍କ ଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କ ଯାଏଁ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ଏହାର ସମାଧାନ ପାଇଁ ଗୁହାରୀ କରିଛନ୍ତି । କିନ୍ତୁ ଆଜିଯାଏଁ ସମସ୍ତେ କେବଳ ପ୍ରତିଶ୍ରୁତି ଦେଇଛନ୍ତି ସିନା କିଛି ସୁଫଳ ହୋଇନାହିଁ ବୋଲି ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି ।
ବର୍ତ୍ତମାନ ସରକାରୀ ଜମିକୁ କିଛି ପ୍ରଭାବଶାଳୀ ଲୋକ ନିଜ ଆୟତ୍ତରେ ରଖି ବ୍ୟବସାୟ ଚଳାଇଥିବା ବେଳେ ପାଇଁ ପ୍ରଶାସନ ସ୍ଥାଣୁ । ହେଲେ ନିଜ ଟଙ୍କାରେ ଘର କରି ରହିଥିବା ଆଦିବାସୀଙ୍କ ଜମିକୁ ସରକାରୀ ବୋଲି ଦର୍ଶାଇବା ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି । ତେବେ ଏନେଇ ପାରଳାଖେମୁଣ୍ଡି ତହସିଲଦାର କହିଛନ୍ତି ଯେ, ଏହି ଘଟଣା ସଂପର୍କରେ ତାଙ୍କ ପାଖରେ କୌଣସି ଖବର ନାହିଁ । ଆଗାମୀ ଦିନରେ ଘଟଣାର ତଦନ୍ତ କରାଯାଇ ପଦକ୍ଷେପ ଗ୍ରହଣ କରାଯିବ ।
ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ