ଗଜପତି: ବାତ୍ୟା ମାଣ୍ଡସ୍ ଶନିବାର ସକାଳେ ତାମିଲନାଡୁର ମାମଲାପୁରମରେ ଲ୍ୟାଣ୍ଡଫଲ୍ କରିଛି। ଏହାର ପ୍ରଭାବରେ ଶୁକ୍ରବାର ସନ୍ଧ୍ୟାରୁ ଗଜପତି ଜିଲ୍ଲାରେ ଲାଗି ରହିଛି ଝିପ୍ ଝିପ୍ ବର୍ଷ। ଶନିବାର ସକାଳେ ଏହାର ପ୍ରଭାବ ଅଧିକ ମାତ୍ରାରେ ରହିଥିଲା । ତେବେ ଧାନ ଅମଳର ସମୟ ହୋଇଥିବାରୁ ଚିନ୍ତାରେ ରହିଛନ୍ତି ଚାଷୀ ।
ବାତ୍ୟାର ପ୍ରଭାବ ଓଡିଶାରେ କିଛି ରହିବ ନାହିଁ ବୋଲି ପ୍ରାଥମିକ ଭାବେ ଆକଳନ କରାଯାଇଥିବାରୁ ଚାଷୀ ଆଶ୍ବସ୍ତ ହୋଇପଡିଥିଲେ । ବର୍ତ୍ତମାନ ଧାନ ଅମଳର ସମୟ । ତେଣୁ ଚାଷୀମାନେ ଧାନ କାଟି ଦେଇ ଜମିରେ ପକାଇ ରଖିଛନ୍ତି । ବର୍ତ୍ତମାନ ହୋଇଥିବା ବର୍ଷ।ରେ ବିଲରେ ପଡି ରହିଥିବା ପାଚିଲା ଧାନ ଭିଜୁଛି । ଏହି ବର୍ଷ।ର ପରିମାଣ କେତେ ରହିବ ଏବଂ କେତେ ଦିନ ଧରି ଜାରି ରହିବ ସେନେଇ କୌଣସି ସ୍ପଷ୍ଟ ସୂଚନା ନଥିବାରୁ ଧାନ ନଷ୍ଟ ହେବା ନେଇ ଚାଷୀମାନେ ଚିନ୍ତାରେ ପଡିଛନ୍ତି ।
ଗତ 5ବର୍ଷ ହେଲା ଅଦିନିଆ ବର୍ଷା ଏବଂ କୋଭିଡ୍ କଟକଣା ପାଇଁ କ୍ଷତିଗ୍ରସ୍ତ ହୋଇଥିବା ଚାଷୀ ଚଳିତ ବର୍ଷ ଭଲ ଅମଳ କରି କରିଥିବା ଋଣ ସୁଝିବାରେ ସକ୍ଷମ ହେବେ ବୋଲି ଆଶା କରିଥିଲେ । ହେଲେ ଚଳିତ ବର୍ଷର ଏହି ଅଦିନିଆ ବର୍ଷା ସେହି ଆଶାରେ ପାଣି ପକାଇଦେଇଛି । ବର୍ଷା ସଂପର୍କରେ ପ୍ରଶାସନ କୌଣସି ଆଗୁଆ ସୂଚନା ଦେଇନଥିଲା । ତେଣୁ ଚାଷୀମାନେ ଧାନ କାଟି ଦେଇ ଜମିରେ ହିଁ ପକାଇ ରଖିଛନ୍ତି । ଶେଷ ମହୁର୍ତ୍ତରେ ବର୍ଷା ଖବର ପାଇ ଚାଷୀମାନେ ଯେତିକି ପାରିଲେ ନିଜ ଧାନକୁ ସୁରକ୍ଷା ଦେବା ପାଇଁ ଧାନଗଦାରେ ପଲିଥିନ୍ ଘୋଡାଇଛନ୍ତି । କିନ୍ତୁ ପଲିଥିନ୍ ଅଭାବରୁ ଅଧିକାଂଶ ଚାଷୀ ତାହା ବି କରିପାରିନାହାନ୍ତି । ସେପଟେ ଆଜି ଯାଏଁ ଧାନ ମଣ୍ଡିର ତାଲିକା ଆସିନାହିଁ । ତେଣୁ ଚାଷୀ ଧାନ ବିକ୍ରି ମଧ୍ୟ କରିପାରିନାହିଁ । ଫଳରେ ଚଳିତ ବର୍ଷ ଚାଷୀ କ୍ଷତିଗ୍ରସ୍ତ ହେବା ନିଶ୍ଚିତ ବୋଲି କୋହଭରା କଣ୍ଠରେ କହିଛନ୍ତି ଚାଷୀ ।