ପାରଳାଖେମୁଣ୍ଡି: ମହାମାରୀ କୋରୋନାର ଲକଡାଉନ ଯୋଗୁଁ ସାରା ରାଜ୍ୟରେ ଫେରୁଛନ୍ତି ପ୍ରବାସୀ ଓଡିଆ। ରାଜ୍ୟ ସରକାର ଘୋଷଣା ପରେ ଉପାନ୍ତ ଗଜପତି ଜିଲ୍ଲାକୁ ବିଭିନ୍ନ ରାଜ୍ୟରୁ 31,445ଜଣ ପ୍ରବାସୀ ଫେରିବା ସମ୍ଭାବନା ରହିଛି । ଏଥିପାଇଁ ବର୍ତ୍ତମାନ ସୁଦ୍ଧା ୨୫,୫୭୪ ଜଣ ନିଜର ନାମ ପଞ୍ଜିକରଣ କରିସାରିଲେଣି । ବଳକା ମଧ୍ୟ ଅତିଶୀଘ୍ର କରିବା ସମ୍ଭାବନା ରହିଛି । ତେବେ ଫେରିବାକୁ ଥିବା ପ୍ରବାସୀଙ୍କୁ ସଙ୍ଗରୋଧରେ ରଖିବା ସହ ସେମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷାକୁ ସରକାର ବାଧ୍ୟତାମୂଳକ କରିଥିବାରୁ ଜିଲ୍ଲା ପ୍ରଶାସନ 207ଟି ସଙ୍ଗରୋଧ କେନ୍ଦ୍ର ପ୍ରସ୍ତୁତ କରାଯାଇଛି ।
ଆନ୍ଧ୍ରର ସୀମାନ୍ତରେ ଥିବା ଗଜପତି ଜିଲ୍ଲା ଏକ ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ହୋଇଥିବା ବେଳେ ଏଠାକାର ବହୁ ଲୋକେ ଚାଷ ଉପରେ ନିର୍ଭରଶୀଳ । ତେବେ ଗତ କିଛି ବର୍ଷ ହେଲାଣି ଅସ୍ବାଭାବିକ ପାଣିପାଗ କାରଣରୁ ଚାଷରେ ଅନେକ କ୍ଷତି ହେଉଥିବା ବେଳେ ସ୍ଥାନୀୟ ଅଞ୍ଚଳରେ କୌଣସି କଳକାରଖାନା ମଧ୍ୟ ନାହିଁ । ଫଳରେ ଏଠାରେ କୌଣସି କାମଧନ୍ଦା ନପାଇ ଲୋକେ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଚାଲିଯାଇଥାନ୍ତି । ହେଲେ କୋରୋନା ପ୍ରଭାବରେ ଲକଡାଉନ୍ ଜାରି ରହିଥିବା ଯୋଗୁଁ ସମସ୍ତ କଳକାରଖାନା ଏବଂ ନିର୍ମାଣ କାର୍ଯ୍ୟ ବନ୍ଦ ହୋଇଯାଇଛି । ଫଳରେ ଲୋକେ ଗତ ପ୍ରାୟ 40ଦିନ ହେଲାଣି କୌଣସି କାମଧନ୍ଦା ନପାଇ ବିଭିନ୍ନ ରାଜ୍ୟରେ ପଡିରହିଛନ୍ତି । ତେଣୁ ସେମାନେ ନିଜ ମାଟିକୁ ଫେରିଆସିବା ପାଇଁ ବ୍ୟଗ୍ର ହେଉଥିବା ବେଳେ ସରକାରଙ୍କ ଘୋଷଣା ଏମାନଙ୍କୁ ସଞ୍ଜୀବନୀ ସଦୃଶ୍ୟ ହୋଇଛି । ତେଣୁ ସେମାନେ ଫେରିଆସିବା ପାଇଁ ନିଜ ନାମ ପଞ୍ଜିକରଣ କରିଛନ୍ତି । ଜିଲ୍ଲାକୁ ଦାଦନ ଶ୍ରମିକଙ୍କ ଫେରିବା ସମ୍ଭାବନା ରହିଛି ସେନେଇ ପ୍ରଶାସନ ଏକ ସର୍ଭେ କରିଥିଲା । ଯେଉଁଥିରେ ଜିଲ୍ଲାର 31,445ଜଣ ପ୍ରବାସୀ ଫେରିବା ସମ୍ଭାବନା ରହିଛି ।