ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ରାୟଗଡ ବ୍ଲକ ଲାଇଲାଇ ଗାଁରେ ଦେଖାଦେଇଛି ଜଳସଙ୍କଟ । ଏଠାକାର ଲୋକେ ବିଶୁଦ୍ଧ ପାଣି ଟୋପାଏ ପାଇ ପାରୁନଥିବାବେଳେ ନାଳ ପାଣି ହିଁ ଏମାନଙ୍କ ପାଇଁ ସାହା ଭରସା ହୋଇଛି । ଏହି ନାଳରୁ ପାଣି ଆଣିବାକୁ ହେଲେ ଗ୍ରାମବାସୀଙ୍କୁ 2 କିଲୋମିଟର ଯିବାକୁ ପଡୁଛି । ଏହି ସମସ୍ୟାର ସମାଧାନ ପାଇଁ ବାରମ୍ବାର ଗୁହାରୀ କରାଯାଇଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିବା ଗ୍ରାମର ମହିଳାମାନେ ଅଭିଯୋଗ କରିଛନ୍ତି । ସେପଟେ ଖବର ପାଇବା ପରେ ଅତିଶୀଘ୍ର ଏହି ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି ଗ୍ରାମ୍ୟ ଜଳ ଯୋଗାଣ ନିର୍ବାହୀ ଯନ୍ତ୍ରୀ।
ପଞ୍ଚାୟତ ସଦରମହକୁମା ଏହି ଗାଁରେ ଦେଢ ଶହରୁ ଅଧିକ ପରିବାର ବସବାସ କରୁଥିବାବେଳେ ଗାଁରେ ମାତ୍ର 2ଟି ନଳକୂପ ରହିଛି। ସେଥିରୁ ବାହାରୁଥିବା ପାଣି ଏତେ ମଇଳା ଯେ, ଲୋକେ ତାହାକୁ ପିଇବା ପାଇଁ ତ ଦୂରର କଥା ବ୍ୟବହାର ମଧ୍ୟ କରିପାରୁନାହାନ୍ତି । ସେହିପରି ଗ୍ରାଭିଟି ଫ୍ଲୋ ମାଧ୍ୟମରେ ଗାଁକୁ ପାଣି ଯୋଗାଇବା ପାଇଁ ଏକ ପ୍ରକଳ୍ପ କରାଯାଇଥିଲେ ମଧ୍ୟ ତାହା ଲୋକଙ୍କ କାମରେ ଆସିପାରୁନାହିଁ ।
ଏଭଳି ସ୍ଥିତିରେ ଗାଁର ମହିଳାମାନେ ଜଳ ସଂଗ୍ରହ ପାଇଁ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଥିବାବେଳେ ସାହା ଭରସା ପାଲଟିଛି ଗାଁ ଠାରୁ 2 କିଲୋମିଟର ଦୂରରେ ଥିବା ନାଳ । ଏହି ନାଳର ପାଣି ବର୍ଷା ଦିନେ ଗୋଳିଆ ରହୁଥିବାବେଳେ ଖରାଦିନେ ଦେଖାଦେଉଛି ଜଳକଷ୍ଟ । ଫଳରେ ମହିଳାମାନେ ଜଳ ସଂଗ୍ରହ ପାଇଁ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏପରିକି ନାଳ ପାଣି ବ୍ୟବହାର କରିବା ଦ୍ବାରା ବିଭିନ୍ନ ପ୍ରକାର ରୋଗରେ ପଡୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।