ଗଜପତି:ଗଜପତି ଜିଲ୍ଲାରେ ବ୍ୟାପୁଛି ଡେଙ୍ଗୁ । ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ 31ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ଭାବେ କୁହାଯାଉଥିଲେ ମଧ୍ୟ ବେସରକାରୀ ଭାବେ ଏହି ସଂଖ୍ୟା ଢେର୍ ଅଧିକ । ସ୍ଥିତି ଦିନକୁ ଦିନ ସଙ୍ଗୀନ ହେଉଥିବା ବେଳେ ଏହାକୁ ନିୟନ୍ତ୍ରଣ ପାଇଁ ପ୍ରଶାସନର କୌଣସି ତତ୍ପରତା ପ୍ରକାଶ ନପାଇବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ପାରଳାଖେମୁଣ୍ଡି ସହରର ସ୍ଥିତିକୁ ଦେଖିଲେ ପୌରପରିଷଦ ଡେଙ୍ଗୁ ଚାଷ କରୁଥିବା ଭଳି ମନେ ହେଉଛି ।
ସହରର ଅଧିକାଂଶ ସ୍ଥାନରେ କୁଢ କୁଢ ମଇଳା ଜମି ରହୁଥିବା ବେଳେ ନାଳ ନର୍ଦ୍ଦମାରୁ ସଠିକ ଭାବେ ଭାବେ ଅଳିଆ ଉଠାଯାଉନଥିବାରୁ ବିଭିନ୍ନ ସ୍ଥାନରେ ପାଣି ଜମିରହୁଛି । ସହରର ଏମିତି କିଛି ସ୍ଥାନ ରହିଛି ଯେଉଁଠି ସହରର ଉନ୍ନତି କରିବା ଆଳରେ ଯେଉଁଭଳି କାମ ହୋଇଛି ତାହାର ପ୍ରଭାବରେ ଜଳ ନିଷ୍କାସନ ମଧ୍ୟ ହୋଇପାରିନାହିଁ । ଫଳରେ ସାମାନ୍ୟ ବର୍ଷା ହେଲେ ସହର ତଳି ଅଞ୍ଚଳରେ କୁତ୍ରିମ ବନ୍ୟା ସୃଷ୍ଟି ହେଉଛି ।
ଫଳରେ ଘରମାନଙ୍କରେ ପାଣି ପଶି ନାହିଁନଥିବା ସମସ୍ୟା ସୃଷ୍ଟି କରୁଛି। ଖାଲିସେତିକି ନୁହେଁ ଅଧିକାଂଶ ସ୍ଥାନରେ ନାଳ ମୁକୁଳା ପଡିଛି । ପଇଡ଼ ଖୋଳପା ଗୁଡିକ ଏଣେତେଣେ ପଡ଼ିଛି । ଏହି ସବୁଥିରେ ପାଣି ଜମି ସମସ୍ୟା ସୃଷ୍ଟି କରୁଛି । ତଥାପି ଏଥିରେ ସୁଧାର ଆଣିବା ପାଇଁ କୌଣସି ପଦକ୍ଷେପ ଗ୍ରହଣ କରାନଯିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।