ଗଜପତି:ଜୋର ଧରିଲା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ବୟଂଶାସିତ ମହାବିଦ୍ୟାଳୟକୁ ବିଶ୍ବବିଦ୍ୟାଳୟ କରିବା ଦାବି । 127 ବର୍ଷ ପୁରୁଣା ଏହି କଲେଜକୁ ସରକାରୀ ସ୍ତରରେ ଯେଉଁଭଳି ଗୁରୁତ୍ବ ମିଳିବା କଥା ତାହା ଆଜି ଯାଏଁ ମିଳିପାରିନଥିବା ଅଭିଯୋଗ ହୋଇଛି । ପୁରାତନ ଛାତ୍ର ସଂସଦ ଠାରୁ ଆରମ୍ଭ କରି ବହୁ ବୁଦ୍ଧିଜୀବୀ ଏହି ମାନ୍ୟତା ଦାବି କରାଯାଇଛି । ତୁରନ୍ତ ସରକାର ଏ ଦିଗରେ ପଦକ୍ଷେପ ଗ୍ରହଣ ନକଲେ ଆଗାମୀ ଦିନରେ ଆନ୍ଦୋଳନ କରିବାକୁ ବିଭିନ୍ନ ସଂଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି ।
ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ବୟଂଶାସିତ କଲେଜ କେବଳ ଏକ ଶିକ୍ଷାନୁଷ୍ଠାନ ନୁହେଁ, ସ୍ବତନ୍ତ୍ର ଓଡିଶା ଗଠନର ମୁଖ୍ୟ କର୍ଣ୍ଣଧାର ପାରଳା ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତିଙ୍କ ସ୍ମୃତି ସହ ଜଡିତ । କେବଳ ସେତିକି ନୁହେଁ, 1896 ମସିହାରେ ପାରଳା ମହାରାଜାଙ୍କ ଦ୍ବାରା ସ୍ଥାପିତ ଏହି ବିଦ୍ୟାଳୟ 127 ବର୍ଷ ମଧ୍ୟରେ ଅନେକ ମଣିଷ ତିଆରି କରିଛି । ଯେଉଁମାନେ ପରବର୍ତ୍ତୀ ସମୟରେ ରାଜ୍ୟ ତଥା ଦେଶର ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପଦ ପଦବୀରେ ରହିଛନ୍ତି । ତଥାପି ନା ସରକାର ନା ଏହି କଲେଜରେ ପଢି ମଣିଷ ହୋଇଥିବା ଲୋକେ କେହି ବି ଅନୁଷ୍ଠାନର ଉନ୍ନତି ପାଇଁ ଦୃଷ୍ଟି ଦେଇନଥିବା ବୁଦ୍ଧିଜୀବୀଙ୍କ ମହଲରେ ତୀବ୍ର ପ୍ରତିକ୍ରିୟା ପାଇଛି । କେତେକ ସମୟରେ ବିଭିନ୍ନ ଦଳରୁ ଏହି କଲେଜରେ ପଢ଼ିଥିବା ଛାତ୍ରମାନେ ବିଧାୟକ କିମ୍ବା ସାଂସଦ ହୋଇଛନ୍ତି, କିନ୍ତୁ ସେମାନେ ମଧ୍ୟ ଏହି ଅନୁଷ୍ଠାନର ଉନ୍ନତି ପାଇଁ କେବେ ହେଲେ ବିଧାନସଭାରେ ଦାବି କରିନାହାନ୍ତି ।
ତେଣୁ ଏହି କଲେଜର ଦୂରାବସ୍ଥା ପାଇଁ ସରକାର ଯେତିକି ଦାୟୀ, ଏଠାରୁ ପାଠ ପଢି ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପଦ ପଦବୀରେ ରହିଥିବା ବ୍ୟକ୍ତି ଏବଂ ସ୍ଥାନୀୟ ଜନପ୍ରତିନିଧୀମାନେ ସମ ପରିମାଣରେ ଦାୟୀ ବୋଲି ଶିକ୍ଷାବିତମାନେ କହିଛନ୍ତି । ଆଦିବାସୀ ଅଧ୍ୟୁସିତ ତଥା ଆନ୍ଧ୍ର ସୀମାରେ ଥିବା ଗଜପତି ଜିଲ୍ଲାର ସଦରମହକୁମା ଠାରେ ଥିବା ମହାବିଦ୍ୟାଳୟ ଦିନେ ଏହାର ଶୈକ୍ଷିକ ବାତାବରଣ ପାଇଁ ସାରା ରାଜ୍ୟ ତଥା ଦେଶରେ ନାଁ କରିଥିଲା । ବର୍ତ୍ତମାନ ଉକ୍ତ କଲେଜକୁ ବିଶ୍ବବିଦ୍ୟାଳୟରେ ପରିଣତ କରିବା ସହ ଏହା ଅଧିନରେ ଗଜପତି ଏବଂ ରାୟଗଡା ଜିଲ୍ଲାର 31 କଲେଜକୁ ରଖାଯାଉ ବୋଲି ପୂର୍ବତନ ଛାତ୍ର ନେତାମାନେ ଦାବି କରିଛନ୍ତି ।