ଓଡିଶା

odisha

ETV Bharat / state

ଗଜପତିରେ ଖୋଲିଲା ଓଡିଶାର ପ୍ରଥମ ଶିଶୁମିତ୍ର ପ୍ରକୋଷ୍ଠ

ଏଣିକି ଥାନାରେ ଅଭିଯୋଗକାରିଣୀ ନିଜ ସନ୍ତାନଙ୍କୁ ଅନ୍ୟତ୍ର ରଖି ବିନା ସଙ୍କୋଚରେ ଅଭିଯୋଗ କରିପାରିବେ । ଏଥିଲାଗି ଗଜପତି ପାରଳାଖେମୁଣ୍ଡି ଆରକ୍ଷୀ କାର୍ଯ୍ୟାଳୟ ପକ୍ଷରୁ ନିଆଯାଇଛି ସ୍ବତନ୍ତ୍ର ପଦକ୍ଷେପ । ଏଥିପାଇଁ ଜିଲ୍ଲା ଆରକ୍ଷୀ କାର୍ଯ୍ୟାଳୟରେ ଖୋଲାଯାଇଛି ଓଡ଼ିଶାର ପ୍ରଥମ ମହିଳା ଓ ଶିଶୁମିତ୍ର ଆରକ୍ଷୀ ପ୍ରକୋଷ୍ଠ ।

By

Published : Jul 18, 2019, 12:22 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ଗଜପତି

ଗଜପତି: ପାରଳାଖେମୁଣ୍ଡି ଜିଲ୍ଲା ଆରକ୍ଷୀ କାର୍ଯ୍ୟାଳୟରେ ଖୋଲାଯାଇଛି ଓଡ଼ିଶାର ପ୍ରଥମ ମହିଳା ଓ ଶିଶୁମିତ୍ର ଆରକ୍ଷୀ ପ୍ରକୋଷ୍ଠ । ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ଅଭିଯୋଗକାରୀଙ୍କ ସଂଖ୍ୟା । ଏହାକୁ ଦୃଷ୍ଟିରେ ରଖି ସେମାନଙ୍କ ପାଇଁ ଏଭଳି ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି ।

ଉକ୍ତ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଜିଲ୍ଲା ଆରକ୍ଷୀ କାର୍ଯ୍ୟାଳୟର ଗୋଟିଏ ପ୍ରକୋଷ୍ଠକୁ ଶିଶୁ ଓ ମହିଳାଙ୍କ ସୁବିଧା, ଆରାମ ପ୍ରଦାନ ଓ ସେମାନଙ୍କ ପ୍ରତୀକ୍ଷାଳୟ ରୂପେ ବ୍ୟବହାର କରାଯିବ । ତେବେ ଏପରି କରିବାର ଉଦ୍ଦେଶ୍ୟ ହେଉଛି ଅଭିଯୋଗକାରିଣୀ ମହିଳାମାନେ ସେମାନଙ୍କ ସନ୍ତାନଙ୍କ ସମ୍ମୁଖରେ କୌଣସି ପ୍ରକାର ଅଭିଯୋଗ କରିବାକୁ କୁଣ୍ଠାବୋଧ ହେଉଛନ୍ତି । ଏଭଳି ପରିସ୍ଥିତିରେ ଅଭିଯୋଗକାରିଣୀମାନେ ନିଜ ସନ୍ତାନଙ୍କୁ ଉକ୍ତ ପ୍ରକୋଷ୍ଠରେ ଛାଡି ଦେଇ ବ୍ୟକ୍ତିଗତ ଭାବେ ଅଭିଯୋଗ କରିପାରିବେ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଗଜପତି

ଶିଶୁମିତ୍ର ପ୍ରକୋଷ୍ଠଟି ଶିଶୁଙ୍କ ପାଇଁ ଉପଯୁକ୍ତ ପରିବେଶ ସୃଷ୍ଟି କରି ଅଭିଯୋଗକାରିଣୀ ମହିଳାଙ୍କୁ ସେମାନଙ୍କ ଅସୁବିଧା ବର୍ଣ୍ଣନା କରିବାରେ ସହାୟକ ହୋଇପାରିବ । ସେହିଭଳି ଶିଶୁମାନେ ମଧ୍ୟ ଶିଶୁମିତ୍ର ପ୍ରକୋଷ୍ଠରେ ଥିବା ଆସବାବପତ୍ର, କଣ୍ଢେଇ ଓ ଖେଳ ସାମଗ୍ରୀରେ ବ୍ୟସ୍ତ ରହିଲେ, ସେମାନଙ୍କର ପରିବାରବର୍ଗ ସେମାନଙ୍କର ଅସୁବିଧା ଜଣାଇବାରେ ସହାୟକ ହୋଇପାରିବ । ଶିଶୁମାନେ ସେହି ପ୍ରକୋଷ୍ଠରେ ଥିବା ବିଭିନ୍ନ ପଶୁପକ୍ଷୀ ଚିତ୍ର, ଖେଳନା ଆଦିରେ ବ୍ୟସ୍ତ ରହି ସେମାନଙ୍କର ସମୟକୁ ବି ସହଜରେ ଉପଭୋଗ କରିପାରିବେ ।

ଏହି ପ୍ରକୋଷ୍ଠଟି ଗର୍ଭବତୀ ଓ ସ୍ତନ୍ୟପାନ କରାଉଥିବା ମହିଳାଙ୍କର ଗୋପନୀୟତା ରକ୍ଷା କରିବାରେ ସହାୟକ ହେବ । ଶିଶୁମିତ୍ର ପକୋଷ୍ଠଟି ଓଡ଼ିଶା ପୋଲିସ ପାଇଁ ଓଡିଶାରେ ପ୍ରଥମ । ତେବେ ଏହି ପ୍ରକୋଷ୍ଠଟିକୁ ଚିତ୍ରିତ ଓ ସାଜସଜ୍ଜା କରିବାରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ, ଗଜପତି ଆକୁଣ୍ଠ
ଚିତ୍ତରେ ସମସ୍ତ ସାହାଯ୍ୟ ଓ ସହଯୋଗ କରିଛନ୍ତି ।

ଭବିଷ୍ୟତରେ ଉକ୍ତ ପ୍ରକୋଷ୍ଠ ମହିଳା ଓ ଶିଶୁଙ୍କୁ ସହାୟତା କ୍ଷେତ୍ରରେ ଯେଉଁ ଅସୁବିଧା ପରିଲକ୍ଷିତ ହେଉଥିଲା, ତାହାକୁ ଦୂର କରି ପୋଲିସ ଓ ଜନସାଧାରଣଙ୍କ ମଧ୍ୟରେ ଥିବା ଦୂରତାକୁ କମାଇବାରେ ବିଶେଷ ସହାୟକ ହେବ । ପରବର୍ତ୍ତୀ ସମୟରେ ଜିଲ୍ଲାର ବିଭିନ୍ନ ଥାନାରେ ଏଭଳି ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ଗଜପତି ଏସପି ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ABOUT THE AUTHOR

...view details