ପାରଳାଖେମୁଣ୍ଡି:କୃଷିର ବିକାଶ ପାଇଁ ସମସ୍ତ ପ୍ରକାର ସୁବିଧା ରହିଥିବା ଦକ୍ଷିଣ ଆଫ୍ରିକାର ଆଣ୍ଡେମ ଅଞ୍ଚଳରେ ବୈଷୟିକ ଜ୍ଞାନର ଉପଯୋଗ କରି ଯୋଜନାବଦ୍ଧ ଭାବେ କୃଷିର ବିକାଶ କରିବା ପାଇଁ ପ୍ରୟାସ ଆରମ୍ଭ ହୋଇଛି । ସେଞ୍ଚୁରିୟନ ବିଶ୍ବବିଦ୍ୟାଳୟ ସହ ଦକ୍ଷିଣ ଆଫ୍ରିକା ଗାବୋନ ସ୍ଥିତ ଏଓଏମ ମଧ୍ୟରେ ମଙ୍ଗଳବାର ଏକ ଚୁକ୍ତିନାମା ସ୍ବାକ୍ଷରିତ ହୋଇଯାଇଛି । ପାରଳାଖେମୁଣ୍ଡି ସ୍ଥିତ ସେଞ୍ଚୁରିୟନ ବିଶ୍ବବିଦ୍ୟାଳୟ ପରିସରରେ ବିଶ୍ବବିଦ୍ୟାଳୟର ଉପସଭାପତି ପ୍ରଫେସର ଡିଏନ ରାଓ ଏବଂ ଏଓଏମର ମହାନିର୍ଦ୍ଦଶେକ ରାଜେଶ ପାରେଖଙ୍କ ଉପସ୍ଥିତ ରହି ଚୁକ୍ତିନାମା ସ୍ବାକ୍ଷର କରିଥିଲେ ।
ଦକ୍ଷତା ବୃଦ୍ଧି ଏବଂ କୃଷିର ବିକାଶ ପାଇଁ ସାରା ଦେଶରେ ପ୍ରତିଷ୍ଠା ଲାଭ କରିଥିବା ସେଞ୍ଚୁରିୟନ ବିଶ୍ବବିଦ୍ୟାଳୟ ସହ ମିଶି ଦକ୍ଷିଣ ଆଫ୍ରିକା ଗାବୋନ୍ ସ୍ଥିତ ଏଓଏମ ଅଞ୍ଚଳରେ ବୈଷୟିକ ଜ୍ଞାନର ଉପଯୋଗ କରି ଯୋଜନାବଦ୍ଧ ଭାବେ କୃଷିର ବିକାଶ କରିବା ପାଇଁ ପ୍ରୟାସ ଆରମ୍ଭ କରିଛି । ସେଞ୍ଚୁରିୟନ ବିଶ୍ବାବିଦ୍ୟାଳୟ ଅଧିନରେ ଥିବା ଏମ.ଏସ ସ୍ବାମୀନାଥନ କୃଷି ବିଦ୍ୟାଳୟରେ ସମସ୍ତ ପ୍ରକାର ବୈଷୟିକ ଜ୍ଞାନ କୌଶଳ ରହିଥିବାରୁ ଆଣ୍ଡେମ ଅଞ୍ଚଳରେ କୃଷିର ବିକାଶ ସହଜ ହେବା ସମ୍ଭାବନା ରହିଛି । ତେଣୁ ଆସନ୍ତା 5ବର୍ଷ ଯାଏଁ ମିଳିତ ଭାବେ କାମ କରିବା ପାଇଁ ମଙ୍ଗଳବାର ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଉଭୟ ସେଞ୍ଚୁରିୟନ ବିଶ୍ବବିଦ୍ୟାଳୟ ଏବଂ ଏଓଏମ ପକ୍ଷରୁ କୁହାଯାଇଛି ।